ପାରଳାଖେମୁଣ୍ତି : ଜଙ୍ଗଲ ଜମି ଉପରେ ଜନଜାତି ବର୍ଗର ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ଲଢ଼େଇ କରିବେ। ଆଜି ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏଥିସହିତ, ଗଜପତି ଜିଲ୍ଲା ପାଇଁ ୬୩୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗାରାବନ୍ଧା ଠାରେ ଆୟୋଜିତ କାଳିଆ ସମାବେଶରେ ଯୋଗଦେଇଥିଲେ। ସେ କହିଥିଲେ ଯେ, ଚାଷୀଙ୍କ ବିକାଶ ପାଇଁ ରାଜ୍ୟରେ ପ୍ରଣୟନ କରାଯାଇଥିବା କାଳିଆ ଯୋଜନାରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦେକ୍ଷପ । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ସରିଥିବା ବେଳେ ଆଉ ଦଶ ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆହୁରି ମଧ୍ୟ କହିଥିଲେ ଯେ, ଜଙ୍ଗଲ ଜମି ଉପରେ ଜନଜାତି ବର୍ଗର ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ଲଢ଼େଇ କରିବେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାର ୭ଟି ବ୍ଲକର ୬୦ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଉନ୍ନୟନ ପ୍ରକଳ୍ପକୁ ଉଦ୍ଘାଟନ କରିଥିବା ବେଳେ ନୂତନ ଭାବେ ହେବାକୁ ଥିବା ୭୮୩ ପ୍ରକଳ୍ପ ପାଇଁ ଶୁଭ ଦେଇଥିଲେ। ଏଥିସହିତ, ୭ଟି ବ୍ଲକର ୭ଜଣ ମହିଳା ଏବ˚ ୭ଜଣ ପୁରୁଷ ଚାଷୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ୟତିନ୍ଦ୍ର କୋଏଲ , ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟାନ ପାଣ୍ତିଆନ ଜିଲ୍ଲାପାଳ ଅନୁପମ ସାହା , ପିଡି ଡିଆର୍ଡିଏ ଚଞ୍ଚଳ ରଣା, ଏସପି ସାରା ଶର୍ମାଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ସେହଭଳି କାଳିଆ ସମାବେଶରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଗୋପାଳପୁର ଡ.ପ୍ରଦୀପ ପାଣିଗ୍ରାହୀ, ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପାରଳା ରାଜକୁମାରୀ କଲ୍ୟାଣୀ ଗଜପତି ,ପୂର୍ବତନ ବିଧାୟକ କେ.ନାରାୟଣ ରାଓ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାଶ, ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ସହ ବରିଷ୍ଠ ବିଜେଡି ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।