ଗଂଜାମ ଶ୍ରମିକଙ୍କ ପାଇଁ ୬୫.୮୩ କୋଟିର ସ୍ବତନ୍ତ୍ର କୋଭିଡ୍ ସହାୟତା

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ମନରେଗା ଶ୍ରମିକମାନଙ୍କ ପାଇଁ ୬୫.୮୩ କୋଟି ଟଙ୍କାର ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରାଯାଇଛି। ମନରେଗାରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ଦୈନିକ ଧାର୍ଯ୍ୟ ମଜୁରୀ ସହ ଅତିରିକ୍ତ ୫୦ ଟଙ୍କା କୋଭିଡ୍ ସହାୟତା ଦେବା ଲାଗି ସ୍ଥିର ହୋଇଛି। ୧ ଏପ୍ରିଲଠୁ ଜୁନ୍ ୩୦ ତାରିଖ ମଧ୍ୟରେ ମନରେଗା ଯୋଜନାରେ କାମ କରିଥିବା ଗଞ୍ଜାମ ଜିଲ୍ଲାର ୩ ଲକ୍ଷ ୪୯ ହଜାର ୪୪୬ ଜଣ ଶ୍ରମିକ ଏହାର ଲାଭ ପାଇବେ। ଏହି ଅବସରରେ ଛତ୍ରପୁର ବ୍ଲକ୍‌ କଣମଣା ପଞ୍ଚାୟତର ମହିଳା ଶ୍ରମିକ ଏସ୍‌.ନିକି ଆମ୍ମା ଏବଂ ଚିକିଲଖଣ୍ତି ପଞ୍ଚାୟତର ପୁରୁଷ ଶ୍ରମିକ କୈଳାସ ଗୌଡଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ। ଶ୍ରମିକମାନଙ୍କୁ ସ୍ବତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଥିବାରୁ ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଆୟୋଜିତ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିେର୍ଦ୍ଦଶକ ଜ୍ୟୋତିଶଙ୍କର ରାୟ ଏବଂ ଶ୍ରମିକମାନେ ଉପସ୍ଥିତ ଥିଲେ।

ଜିଲ୍ଲାରେ ୨୦୨୧–୨୨ ଆର୍ଥିକ ବର୍ଷ ଲାଗି ୪ କୋଟି ଶ୍ରମଦିବସ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏପ୍ରିଲ ମାସରୁ ଏବେ ସୁଦ୍ଧା ୧ କୋଟି ୩୭ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଥିବା ବେଳେ ଏହି ବାବଦରେ ୨୫୦ କୋଟି ଟଙ୍କା ଅନୁଦାନ ମଧ୍ୟ ଖର୍ଚ୍ଚ କରାଯାଇଛି। ଏହାସହ ଚଳିତ ବର୍ଷା ଦିନରେ ମନରେଗା ଯୋଜନାରେ ମେଗା ବୃକ୍ଷରୋପଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଜିଲ୍ଲାରେ କେବଳ ୧୨ ଲକ୍ଷ ୫୦୦ ନଡିଆ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରହିଥିବା ବେଳେ ପ୍ରତି ଚାଷୀଙ୍କୁ ୭ଟି ନଡିଆ ଗଛ ଲଗାଇବା ପାଇଁ ଯୋଜନା ରହିଛି। ଏହି କ୍ରମରେ ଆଜି ସୁଦ୍ଧା ଜିଲ୍ଲାରେ ୮୦ ହଜାର ନଡିଆ ଗଛ ଲଗାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର