ରେଳ ବିକାଶ ପାଇଁ ୬୯୯୫.୫୮କୋଟି

ଏଥର ୨୧.୪୫% ଅଧିକ ଅର୍ଥ, ଖୋର୍ଧା-ବଲାଙ୍ଗୀରକୁ ୧୦୦୦ କୋଟି
ରାଜ୍ୟ ସରକାରଙ୍କ ଦାବି ରହିଲାନି, ୭୨୦୦ କୋଟି ମାଗିଥିଲେ
ତାଳଚେର-ବିମଳାଗଡ଼, କଳାହାଣ୍ଡି ଇଞ୍ଜିନ୍ ୱାର୍କସପ୍‌ ଅବହେଳିତ
ସ୍ବାଚ୍ଛନ୍ଦ୍ୟ ଓ ସୁରକ୍ଷାକୁ ଗୁରୁତ୍ବ, ଅଧିକ ଅର୍ଥ ବରାଦ ହୋଇଛି

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟ ସରକାର ମାଗିଥିବା କୌଣସି ନୂଆ ରେଳଲାଇନ୍‌କୁ ଅନୁମୋଦନ ମିଳିନାହିଁ। କୌଣସି ନୂଆ ଟ୍ରେନ୍ ବି ନୁହେଁ। ତେବେ ଖୋର୍ଧା-ବଲାଙ୍ଗୀର ରେଳପଥ ଲାଗି ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ରେଳପଥ ଏବଂ ଆନୁଷଙ୍ଗିକ ବିକାଶ କ୍ଷେତ୍ରରେ ଓଡ଼ିଶାରେ ୬୯୯୫ କୋଟି ୫୮ଲକ୍ଷ ଟଙ୍କା ବିନିଯୋଗ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୧ ତାରିଖରେ ଆଗତ କରିଥିବା କେନ୍ଦ୍ର ବଜେଟ୍ ଅଂଶ ସ୍ବରୂପ ରେଳବାଇ କ୍ଷେତ୍ରରେ ଓଡ଼ିଶା ଲାଗି ଏହି ଅର୍ଥ ବରାଦ ହୋଇଛି। ପୂର୍ବବର୍ଷ ତୁଳନାରେ ଏହା ୨୧.୪୫% ଅଧିକ। ୨୦୨୦-୨୧ରେ ୫୭୫୯ କୋଟି ୬୪ଲକ୍ଷ ଟଙ୍କା ଓଡ଼ିଶା ଲାଗି ବ୍ୟୟବରାଦ ହୋଇଥିଲା।

ତେବେ ସବୁଠାରୁ ଉଦ୍‌ବେଗଜନକ କଥା ହେଉଛି ଯେ ଓଡ଼ିଶାର କଳାହାଣ୍ଡିରେ ହେବାକୁ ଥିବା ଵାଗନ୍ ଫ୍ୟାକ୍ଟ୍ରିକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଗଲା। ଏହା ବିରୋଧରେ ଜନମତ ତୀବ୍ର ହେବା ପରେ କଳାହାଣ୍ଡିରେ ଇଲେକ୍ଟ୍ରିକ୍ ଇଞ୍ଜିନ୍ ଵାର୍କସପ୍ ସଂପର୍କରେ ଯେଉଁ ଘୋଷଣା ହେଲା, ତାହାକୁ ଏଯାଏ କେନ୍ଦ୍ର ସରକାର ଗୁରୁତ୍ବ ଦେଇନାହାନ୍ତି। ରାଜ୍ୟ ସରକାରଙ୍କ ଦାବି ସତ୍ତ୍ବେ ଏହି ପ୍ରକଳ୍ପ ଲାଗି ଆସନ୍ତା ଆର୍ଥିକ ବର୍ଷରେ ମାତ୍ର ୧କୋଟି ଟଙ୍କା ବରାଦ ହୋଇଛି, ଯାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୧-୨୨ ପ୍ରାକ୍‌ ବଜେଟ୍ ଆଲୋଚନା ବେଳେ ରେଳବାଇ କ୍ଷେତ୍ରରେ ରାଜ୍ୟ ସରକାର ୭୨୦୦କୋଟି ଟଙ୍କାର ଦାବି କେନ୍ଦ୍ର ସାମ୍ନାରେ ରଖିଥିଲେ। ହେଲେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କର କହିବା କଥା ହେଉଛି, ଏଥର ଅଧୁରା କାମ ସାରିବା, ଆଧୁନିକୀକରଣ, ସୁରକ୍ଷା ତଥା ଯାତ୍ରୀଙ୍କ ସୁଖସ୍ବାଚ୍ଛନ୍ଦ୍ୟକୁ ବଜେଟ୍‌ରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ନୂଆ ରେଳଲାଇନ୍‌ ବିକାଶ କ୍ଷେତ୍ରରେ ୧୫୫୩ କୋଟି ୬୦ଲକ୍ଷ ଟଙ୍କା ବରାଦ ହୋଇଥିବା ବେଳେ ଦୋହରାକରଣ ବାବଦରେ ୧୭୦୨.୪୯ କୋଟି ଟଙ୍କା ଦିଆଯାଇଛି। ଟ୍ରାକ୍ ନବୀକରଣ କ୍ଷେତ୍ରରେ ୪୦୨ କୋଟି, ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟରେ ଉନ୍ନତି ଆଣିବା ଲାଗି ୩୦୦କୋଟି ୮୦ଲକ୍ଷ ଏବଂ ବିଦ୍ୟୁତକରଣ କ୍ଷେତ୍ରରେ ୧୭୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଖୋର୍ଧା-ବଲାଙ୍ଗୀର ରେଳପଥ ଲାଗି ସର୍ବାଧିକ ୧୦୦୦ କୋଟି ୫୦ଲକ୍ଷ ଟଙ୍କା ବଜେଟ୍‌ରେ ରହିଛି। ଗତବର୍ଷ (୫୨୦କୋଟି)ତୁଳନାରେ ଏହା ୯୨.୪% ଅଧିକ। ଦୋହରାକରଣ କ୍ଷେତ୍ରରେ ବାଂଶପାଣି-ଦୈତାରୀ-ଟମ୍‌କା-ଯଖପୁରା ପାଇଁ ୨୨୮ କୋଟି ୮୦ଲକ୍ଷ ଟଙ୍କା ବଜେଟ୍‌ରେ ରହିଛି। ଗତ ବଜେଟ୍‌ (୮୦କୋଟି) ତୁଳନାରେ ଏହା ୧୮୫% ଅଧିକ। ବୃନ୍ଦାମାଲ-ଝାରସୁଗୁଡା ଫ୍ଲାଇ ଓଭର ବାବଦରେ ପୂର୍ବ ବଜେଟ୍‌ ତୁଳନାରେ ଦୁଇଗୁଣ ଅର୍ଥାତ୍ ୨୦େକାଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍‌ ପାଇଁ ୨୨୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପୂର୍ବ ବର୍ଷ ଏହି ପ୍ରକଳ୍ପ ଲାଗି୧୦୨ କୋଟି ଟଙ୍କା ଦିଆଯାଇଥିଲା।

ବୁଢ଼ାପଙ୍କ-ସାଲଗାଁଓ ପାଇଁ ୨୧୫ କୋଟି ଟଙ୍କା, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍ ପାଇଁ ୨୦୨୦-୨୧ ତୁଳନାରେ ୩୫ପ୍ରତିଶତ ଅଧିକ ଅର୍ଥ ଅର୍ଥାତ୍ ୨୩୦ କୋଟି ଟଙ୍କା ଏଥର ଦିଆଯାଇଛି। ନାରାୟଣଗଡ-ଭଦ୍ରକ ତୃତୀୟ ଲାଇନ୍ ବାବଦରେ ପୂର୍ବବର୍ଷ ବଜେଟ୍‌ରେ ମାତ୍ର ୫୦ କୋଟି ଟଙ୍କା ଦିଆଯାଇଥିଲା, ଯାହା ଏଥର ବଢ଼ି ୨୨୫ କୋଟି ଟଙ୍କା ଛୁଇଁଛି। ତେବେ ତାଳଚେର-ବିମଳାଗଡ଼ ୧୫୪ କିଲୋମିଟର ଦୀର୍ଘ ରେଳପଥ ପାଇଁ ମାତ୍ର ୧୦ କୋଟି ଟଙ୍କା ବରାଦ ହୋଇଛି। ସେହିଭଳି ଜୟପୁର-ମାଲକାନଗିରି ନୂଆ ରେଳ ଲାଇନ୍‌ ପାଇଁ ୨୮ କୋଟି ଏବଂ ଜୟପୁର-ନବରଙ୍ଗପୁର ରେଳ ଲାଇନ୍ ପାଇଁ ୧୫ କୋଟି ୧୦ଲକ୍ଷ ଟଙ୍କା ବଜେଟ୍‌ରେ ରହିଛି। ଚଳିତବର୍ଷ ଗୋପାଳପୁରରୁ ସମ୍ବଲପୁର ଭାୟା ଫୁଲବାଣୀ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ସତ, ହେଲେ ସେ ବାବଦରେ ମାତ୍ର ୧ହଜାର ଟଙ୍କା ରଖାଯାଇଛି। ଗତବର୍ଷ ହାତକୁ ନେଇଥିବା ନୂଆପଡ଼ା-ଗୁଣପୁରରୁ ଥେରୁବାଲି ପର୍ଯ୍ୟନ୍ତ ଯିବାକୁ ଥିବା ୭୯.୪୫ କିଲୋମିଟର ଦୀର୍ଘ ରେଳପଥ ସ୍ଥିତି ମଧ୍ୟ ଅନୁରୂପ। ଏହି ପ୍ରକଳ୍ପକୁ ମଧ୍ୟ ୧ହଜାର ଟଙ୍କା ଦିଆଯାଇଛି। ଖୋର୍ଧା ରୋଡ୍‌-ବିଜୟ ନଗରମ୍ ବାଇପାସ୍ ପାଇଁ ୧୧କୋଟି ରହିଛି ବଜେଟ୍‌ରେ। ଅଳ୍ପ କିଛି ପ୍ରକଳ୍ପକୁ ବାଦ୍ ଦେଲେ େଦାହରାକରଣରେ ଅଧିକାଂଶ ପ୍ରକଳ୍ପକୁ ଯେଉଁ ଅନୁଦାନ ଦିଆଯାଇଛି, ତାହା ଅତି ନଗଣ୍ୟ।

ପୂର୍ବତଟ ରେଳପଥ କହିଛି ଯେ ଯାତ୍ରୀଙ୍କ ସ୍ବାଚ୍ଛନ୍ଦ୍ୟକୁ ଗୁରୁତ୍ବ ଦେବାକୁ ଯାଇ ଏଥର ଅଧିକ ୩୦୦କୋଟି ଟଙ୍କା ପ୍ରଦାନ କରାଯାଇଛି। ପୂର୍ବ ବଜେଟ୍‌ରେ ୧୨୯ କୋଟି ଟଙ୍କା ଦିଆଯାଇଥିଲା, ଏଥର ଏହା ୪୨୯ କୋଟିରୁ ଛୁଇଁଛି। ରାଜ୍ୟରେ ରେଳପଥରେ ଫାଟକ ଶୂନ୍ୟ ଲାଗି ରେଳବିଭାଗ ଯେଉଁ କଠୋର ନିଷ୍ପତ୍ତି ନେଇଛନ୍ତି, ତାହାର କାର୍ଯ୍ୟାନ୍ବୟନ ପାଇଁ ଏଥର ବି ବଜେଟ୍‌ରେ ୪୦୦କୋଟି ଟଙ୍କା ବରାଦ ହୋଇଛି। ପୂର୍ବବର୍ଷ ୩୨୪ କୋଟି ଟଙ୍କା ଦିଆଯାଇଥିଲା।

୨୦୨୧-୨୨ବର୍ଷରେ ଭିତ୍ତିଭୂମି ବିକାଶ ଓ ସୁରକ୍ଷା ବାବଦରେ ମୋଟ ୫୫୨୮ କୋଟି ଟଙ୍କା ଦିଆଯାଇଥିବା ବୁଧବାର କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର