୨୦୧୨-୧୯ ମଧ୍ୟରେ ବିଜୟ କେତନଙ୍କ ଖାତାରେ ଜମା ହୋଇଥିଲା ୭୦ ଲକ୍ଷ ଟଙ୍କା: ଭିଜିଲାନ୍ସ

ଭୁବନେଶ୍ୱର: ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍‌ ଯାଇଥିବା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିଛି ଭିଜିଲାନ୍ସ। ଭିଜିଲାନ୍ସକୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବିଜୟ କେତନଙ୍କ ଏକାଧିକ ବ୍ୟାଙ୍କ ଖାତାରେ ୨୦୧୨ରୁ ୨୦୧୯ ମଧ୍ୟରେ ୭୦ ଲକ୍ଷ ଟଙ୍କା ଜମା ହୋଇଛି। ଏହି ଟଙ୍କା ଉଭୟ ବ୍ୟାଙ୍କ କାଉଣ୍ଟର ଓ କ୍ୟାସ ଜମା ମେସିନ ଦ୍ୱାରା କରାଯାଇଛି।

ଭିଜିଲାନ୍ସ ବିଭାଗ ତରଫରୁ ବିଜୟ କେତନଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ପରେ ଏହି ତଥ୍ୟ ପଦାକୁ ଆସିଥିବା ଜଣାପଡ଼ିଛି। ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବା ବେଳେ ୨୨ ଲକ୍ଷ ଟଙ୍କା ଜମା ହୋଇଛି। ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଛି ଯେ, ଗୋଟିଏ ଦିନରେ ବିଜୟଙ୍କ ଖାତାରେ ଏକାଧିକ ଥର ଟଙ୍କା ଜମା ହୋଇଛି। ବିଜୟ କେତନ ସେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ  କରିଥିବା ନିବେଶ ନେଇ ଯାଞ୍ଚ ଚାଲିଛି।

ସୂଚନାଯୋଗ୍ୟ, ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ପରେ ୨୦୦୯ ବ୍ୟାର ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ନିଲମ୍ବିତ କରିଥିଲେ। ବିଲ୍‌ ପାସ୍‌ କରିବା ପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏହା ପରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ। ଏହାପରେ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ଅଣାଯାଇଥିଲା। ପରେ ତାଙ୍କର ଜାମିନ ଆବେଦନ ଉପରେ ଶୁଣାଣି କରି ଅଦାଲତ ରାୟ ସ୍ଥଗିତ ରଖିବାରୁ ଜେଲ୍ ଯାଇଛନ୍ତି ଉପାଧ୍ୟାୟ।

ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରିତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲାଯ ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।

ସମ୍ବନ୍ଧିତ ଖବର