ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଭୟମୁଖି ପଞ୍ଚାୟତରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଚାରାରୋପଣ ନାଁରେ ୭୦ ଲକ୍ଷ ଟଙ୍କା ଚଳୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହ ହେର୍ଫେର ହୋଇଥିବା ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ କୃଷି ଓ କୃଷକ ମଙ୍ଗଳ ବିଭାଗ ପ୍ରମୁଖ ସଚିବଙ୍କୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଡେଲାଙ୍ଗ ବ୍ଲକ୍ ଅଭୟମୁଖି ପଞ୍ଚାୟତରେ ୩୦ଟି ଚାରାରୋପଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା। ଏ ଭିତରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୯ଟି ପକ୍ରଳ୍ପ ଜରିଆରେ ନଡ଼ିଆ ଚାରା ରୋପଣ କରାଯାଇଥିଲା। ଏ ବାବଦକୁ ୩୫ ଲକ୍ଷ ୪ହଜାର ୮୫୧ ଟଙ୍କା ଖର୍ଚ୍ଚ କରାଯାଇଥିବା କାଗଜପତ୍ରରେ ଦର୍ଶାଇଥିଲା। କିନ୍ତୁ ପ୍ରକୃତରେ ଏହି ପ୍ରକଳ୍ପ ଜରିଆରେ କୌଣସିଠାରେ ଗୋଟିଏ ବି ନଡ଼ିଆ ଗଛ ଲଗାଯାଇନଥିଲା। ସେ ସମୟରେ ଏହା ଫନିରେ ନଷ୍ଟ ହୋଇଯାଇଥିବା ବିଭାଗ ଦର୍ଶାଇ ପ୍ରସଙ୍ଗକୁ ଚପାଇ ଦେଇଥିଲା। ପରେ ପୁନର୍ବାର ସମାନ ସ୍ଥାନରେ ଆହୁରି ୧୨ଟି ପ୍ରକଳ୍ପ ଜରିଆରେ ଆମ୍ବ ଓ ନଡ଼ିଆ ଗଛ ଲଗାଯିବା ଦର୍ଶାଯାଇ ୭୦ ଲକ୍ଷ ଟଙ୍କା ଚଳୁ କରି ଦିଆଯାଇଥିଲା। ଅଭୟମୁଖି ପଞ୍ଚାୟତର ଗାଁ ରାସ୍ତା ଓ ସରକାରୀ ଜମିରେ ଚାରାରୋପଣ ପାଇଁ ମୋଟ୍ ଏକ କୋଟି ୨୬ ଲକ୍ଷ ୬୭ ହଜାର ଟଙ୍କାର ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ମିଳିଥିବାବେଳେ ଚାରା ନ ଲଗାଇ ଏ ବାବଦରେ ୭୦ଲକ୍ଷ ଟଙ୍କା ବିଲ କରି ଲୁଟି ନେଇଥିଲେ ଅଧିକାରୀ।
ଏହି ଦୁର୍ନୀତି ସମ୍ପର୍କରେ ସୋମନାଥ ସେନାପତି ୨୦୨୧ ମସିହାରେ ଓଡ଼ିଶା ଲୋକାୟୁକ୍ତ(କେସ୍ ନଂ-୧୩୬/୨୦୨୧)ଙ୍କ ଦ୍ବାରସ୍ଥ ହୋଇଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗର ତତ୍କାଳୀନ ସହକାରୀ ନିର୍ଦ୍ଦେଶକ ଉଚ୍ଛବ ଚରଣ ସ୍ବାଇଁ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଅଙ୍କିତା ମିଶ୍ର ଓ ଡେମୋନେଷ୍ଟ୍ରେଟର ବିଶ୍ବଜିତ ପ୍ରଧାନଙ୍କ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦର୍ଶାଇଥିଲେ। ଲୋକାୟୁକ୍ତ ଅଭିଯୋଗକୁ ଗୁରୁତ୍ବ ସହ ନେଇ ଘଟଣାର ବିଧିବଦ୍ଧ ତଦନ୍ତ କରିଥିଲେ। ତଦନ୍ତ ବେଳେ ସମ୍ପୃକ୍ତ ଅଧିକାରୀମାନେ ବି ଏ ସମ୍ପର୍କରେ କୌଣସି ତଥ୍ୟ ରଖି ପାରିନଥିଲେ। ଇଥିମଧ୍ୟରେ ବିଶ୍ବଜିତଙ୍କ ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇପାରିନଥିଲା। ଅନ୍ୟଅଧିକାରୀଙ୍କୁ ପଚରାଉଚରା ସହ ତଦନ୍ତ ପରେ ଅଭୟମୁଖି ପଞ୍ଚାୟତରେ ଚାରାରୋପଣ ନାଁରେ ବ୍ୟାପକ ଦୁର୍ନୀତି ଧରାପଡ଼ିବାରୁ ଲୋକାୟୁକ୍ତ ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀ ସ୍ବାଇଁ ଓ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀମତୀ ମିଶ୍ରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/plantation.jpg)