ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଚିମିଳା ଗ୍ରାମର ଖେଳପଡ଼ିଆରେ ଜଣେ ଯୁବକକୁ ଆକ୍ରମଣ କରି ପିକ୍‌ଅପ୍‌ ଭ୍ୟାନ୍‌ ଓ ୭୦ ହଜାର ଟଙ୍କା ଲୁଟ୍‌ ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଗତ ୨ ତାରିଖ ରାତି ସାଢ଼େ ୯ଟା ବେଳେ ଝାଡ଼ଖଣ୍ଡ କୁମରଡୁଙ୍ଗିର ଦିନେଶ ପଲେଇ ନିଜ ସାଙ୍ଗ ଲିଟୁନ ମାଟିଆଙ୍କ ପିକ୍‌ଅପ୍‌ ଭ୍ୟାନ୍ ନେଇ ନିଜ ଗ୍ରାମକୁ ଫେରୁଥିଲେ। ଚିମିଳା ଗ୍ରାମର ଖେଳପଡ଼ିଆରେ ଗାଡ଼ି ଅଟକାଇ ବିଶ୍ରାମ ନେଉଥିଲେ। ଏହି ସମୟରେ ଦୁଇଟି ବାଇକ୍‌ରେ ୬/୭ଜଣ ଯୁବକ ଆସି ତାଙ୍କୁ ଠେଙ୍ଗାରେ ପ୍ରାଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ସହ ପିକ୍‌ଅପ୍‌ ଭ୍ୟାନ୍‌ ଓ ୭୦ ହଜାର ଟଙ୍କା ଲୁଟି ନେଇଥିଲେ।

Advertisment

ଏନେଇ ଚମ୍ପୁଆ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଚିମିଳା ଓ କୋଦଗାଡ଼ିଆ ଗ୍ରାମରେ ଚଢ଼ଉ କରି ତିନିଜଣକୁ ଗିରଫ କରିଛି। ସେମାନେ ହେଲେ ଚିମିଳା ଗ୍ରାମର କେଶରଞ୍ଜନ ବାରିକ, ଧ୍ୟାନେନ୍ଦ୍ର ବାରିକ ଓ ମିଥୁନ ବାରିକ। ସେମାନଙ୍କଠାରୁ ଚୋରି ପିକ୍‌ଅପ୍‌ ଭ୍ୟାନ୍‌ ଉଦ୍ଧାର କରିବା ସହ ଏକ ବାଇକ୍‌ ଓ ଆକ୍ରମଣରେ ବ୍ୟବହାର ହୋଇଥିବା ଠେଙ୍ଗାକୁ ଜବତ କରିଛି। ଏନେଇ କେସ୍‌ ନମ୍ବର ୧୩୬/୨୩ରେ ଏକ ମାମଲା ରୁଜୁ କରାଯାଇ ୩ଜଣଙ୍କୁ କୋର୍ଟଚାଲାଣ କରାଯାଇଛି।