ନୂଆଁଖାଇରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୭୪୩କୋଟି

ସରକାର ସବୁବେଳେ ଚାଷୀଙ୍କ ସାଥୀରେ ଅଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ ‘କାଳିଆ’ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ୭୪୨.୫୮କୋଟି ଟଙ୍କା ପ୍ରଦାନ କରିଛନ୍ତି। ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି।

ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା। ସାରା ରାଜ୍ୟର ସମସ୍ୟା। ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ। ସାର ଯୋଗାଣ ନେଇ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏମ୍‌ଏସ୍‌ପି ଓ ଫସଲ ବୀମା ସମ୍ପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ସରକାର ସବୁବେଳ ଚାଷୀଙ୍କ ସାଥୀରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Ommcom News

ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି। ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିପାରେ। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ଏହାସହ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ ନୂଆଁଖାଇ ହେଉଛି ମାଟି ମା’ର ପର୍ବ। କୃଷକମାନେ ହେଉଛନ୍ତି ମାଟି ମା’ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ମୁଁ ବହୁତ ଖୁସି। କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା। ଭୂମିହୀନ ଚାଷୀମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ। ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି। କୋଭିଡ୍‌ ମହାମାରୀ ଆରମ୍ଭ ହେବାଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି।

କୃଷି ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ରୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ କାଳିଆ କାର୍ଯ୍ୟକ୍ରମ ଚାଷୀକୁଳ ପାଇଁ ସାହାରା ହୋଇଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରର ମକରଧ୍ବଜ ମେଣ୍ଡଳି, ବରଗଡର ଲାସିମା ବିଶ୍ବାଳ, ବଲାଙ୍ଗୀରର ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ ନିଜର ମତ ରଖି କାଳିଆ ଯୋଜନାର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହି ଯୋଜନାରେ ଠିକ୍‌ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବାକୁ ପଡୁନାହିଁ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିୟାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷି ସଚିବ ଏସ୍. କେ ବଶିଷ୍ଠ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର