ଗଞ୍ଜେଇ ମାଫିଆର ଗୁପ୍ତ କୋଠରିରୁ ୭୫ ଲକ୍ଷ ଟଙ୍କା ଜବତ

୧ ଲକ୍ଷର ଗଞ୍ଜେଇ, ୩ ଲକ୍ଷର ଅଳଙ୍କାର ଜବତ; ବାପା, ମା ବି ପେସାଦାର ମାଫିଆ

କଟକ : ନିଶା ମାଫିଆ ନିକଟରୁ ଶନିବାର ଦିନ ଏକକାଳୀନ ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି କଟକ କମିସନରେଟ୍ ପୁଲିସ। ଓଡ଼ିଶା ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି। ଅନ୍ତଃଜିଲ୍ଲା କୁଖ୍ୟାତ ନିଶା ମାଫିଆ ବୁବୁ ଓରଫ ନାରାୟଣ ପତି ଘରେ ଥିବା ଗୁପ୍ତ କୋଠରିରୁ ବାଦାମବାଡ଼ି ଥାନା ପୁଲିସ ଏହି ଟଙ୍କା ସମେତ ୨୦ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଓ ୮୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧ ଲକ୍ଷ ୨ହଜାର ୫୦୦ ଟଙ୍କା ହୋଇଥିବା ବେଳେ ଅଳଙ୍କାରର ମୂଲ୍ୟ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି। କେବଳ ବୁବୁ ନିକଟରୁ ମୋଟ ୭୯ ଲକ୍ଷ ୯୦ ହଜାର ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ସୂଚନା ମିଳିଛି।

ବୟାଳିଶମୌଜା ଝିଙ୍କିରିଆ ଅଞ୍ଚଳର ୪୪ ବର୍ଷୀୟ ବୁବୁ ଓରଫ ନାରାୟଣ ପତି ଏବଂ ସହଯୋଗୀ ମଧୁପାଟଣା କଲ୍ୟାଣୀନଗର ଅଞ୍ଚଳର ୩୪ ବର୍ଷୀୟ ଅବକାଶ ସ୍ବାଇଁ ଗଲା ୧୧ ତାରିଖ ରାତି ପ୍ରାୟ ୮ଟା ବେଳେ ଲିଙ୍କରୋଡ୍‌ ବିଏସ୍‌ଏନ୍‌ଏଲ୍ ଅଫିସ ନିକଟରେ ଛିଡ଼ା ହୋଇଥିଲେ। ଏକ ହୋଣ୍ଡା ଆକ୍ଟିଭା ସ୍କୁଟର(ଓଡି-୦୫ଏଜି-୮୭୯୦)ରେ ଧଳାରଙ୍ଗର ଜରିବସ୍ତାରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବାଦାମବାଡ଼ି ଥାନା ପୁଲିସ ଖବର ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିବା ସହିତ ବୁବୁର ବୟାଳିଶମୌଜା ଘରେ ବି ସମାନ୍ତରାଳ ଭାବେ ଚଢ଼ଉ କରିଥିଲା। ଘରେ ବେଡ୍‌ରୁମ୍‌ରେ ଥିବା ଆଲମିରାର ଗୁପ୍ତ କୋଠରିରୁ ପୁଲିସ ନଗଦ ୭୫ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିଲା। ଏହି ଗୁପ୍ତ କୋଠରିରୁ ୫୦୦ ଟଙ୍କିଆ ବିଡ଼ା ୧୪୬ଟି ସମେତ ୨ ହଜାର ଟଙ୍କା, ୨୦୦ ଟଙ୍କା ଓ ୧୦୦, ୫୦ ଟଙ୍କା ଓ ୧୦ ଟଙ୍କିଆ ନୋଟ୍ ୧୦ଟି ବିଡ଼ା ଜବତ ହୋଇଥିଲା। ବୁବୁ ଘରୁ ଏକ ଏକ ଦାମୀ ସୁନାହାର ଜବତ ହୋଇଥିବା ବେଳେ ଉଭୟ ବୁବୁ ଓ ଅବକାଶଙ୍କ ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି।

ପୁଲିସ ନିକଟରୁ ମିଳିଥିବା ସୂଚନା ମୁତାବକ, ବୁବୁ ବିରୋଧରେ ୨୦୦୫ରେ ପ୍ରଥମଥର ଗଞ୍ଜେଇ ମାମଲା ରୁଜୁ ହୋଇଥିଲା। ଏହାପରେ ୨୦୧୮ରେ ଗୋଟିଏ, ୨୦୨୦ରେ ୩ଟି ଓ ଗଲା ଶୁକ୍ରବାର ଗୋଟିଏ ମାମଲକୁ ମିଶାଇ ମୋଟ ୬ଟି ମାମଲା ରୁଜୁ ହୋଇଛି। ସେହିଭଳି ଅବକାଶ ବିରୋଧରେ ବାବାମବାଡ଼ି ଥାନାରେ ପ୍ରଥମଥର ପାଇଁ ଶୁକ୍ରବାର ଏକ ମାମଲା ରୁଜୁ ହୋଇଛି। ବୁବୁର ସହଯୋଗୀ ଅବକାଶ ବିରୋଧରେ ଅନ୍ୟ ଥାନାରେ କୌଣସି ଅବକାରୀ ମାମଲା ରହିଛି କି ନାହିଁ, ସେ ନେଇ ପୁଲିସ ତଦନ୍ତ କରୁଛି। ଅନ୍ୟପଟେ ବିପୁଳ ପରିମାଣର ଟଙ୍କା ବୁବୁ ଘରୁ ଜବତ ହୋଇଥିବାରୁ ଇଡି ଓ ଆୟକର ବିଭାଗକୁ କମିସନରେଟ୍ ପୁଲିସ ପକ୍ଷରୁ ଚିଠି ଲେଖାଯିବ। ସେମାନେ ଅର୍ଥନୈତକ କାରବାର ଦିଗକୁ ଖୋଳତାଡ଼ କରିବେ। ସମ୍ପତ୍ତି ବାଜ୍ୟାପ୍ତ ଦିଗରେ ବି ପଦକ୍ଷେପ ନିଆଯିବ।

ଗଲା ଜାନୁଆରି ୨୪ ତାରିଖରେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ନୟାଗଡ଼ରୁ ଜଣେ କୁଖ୍ୟାତ ବ୍ରାଉନସୁଗାର୍‌ ମାଫିଆ କେ. ଭିକି ରାଓକୁ ଗିରଫ କରିଥିଲା। ତା ନିକଟରୁ ନଗଦ ୬୫ ଲକ୍ଷ ଟଙ୍କା ଓ ୪ କେଜି ଓଜନର ବ୍ରାଉନସୁଗାର ଜବତ କରିଥିଲା। ତେବେ ଏସ୍‌ଟିଏଫ୍‌ର ଏହି ମାମଲା ପରେ ସର୍ବାଧିକ ଟଙ୍କା ୭୫ ଲକ୍ଷ ୨୦ ହଜାର ଟଙ୍କା କଟକ କମିସନରେଟ୍ ପୁଲିସ ଜବତ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଡିସିପି ପ୍ରତୀକ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୁବୁର ଗଞ୍ଜେଇ କାରବାର ସମ୍ପର୍କରେ ପର୍ଦ୍ଦାଫାସ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିସିପି ଅନିଲ ମିଶ୍ର, ଏସିପି ଅମରେନ୍ଦ୍ର ପଣ୍ଡା ଓ ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର