ହାଟଡିହି : କିଛିଦିନର ନିରବତା ପରେ ହାଟଡିହିର ଛେନାପନିଛକରେ ଏବେ ପୁଣି ଲୁଟେରାଙ୍କ ପ୍ରାଦୁର୍ଭାବ ଆରମ୍ଭ ହୋଇଛି। ଛେନାପଦିଛକର ଗାଙ୍ଗୁରାମ ମିଠା ଦୋକାନ ସମ୍ମୁଖରୁ ଲୁଟେରାମାନେ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୭୬ ହଜାର ଟଙ୍କା ଲୁଟି ନେଇଛନ୍ତି। ସରମଙ୍ଗା ଗ୍ରାମର ରାଜନ ଘଡ଼େଇ ହାଟଡିହି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇ ଗାଡ଼ି ଡିକିରେ ରଖି ଛେନାପଦିଛକକୁ ଆସିଥିଲେ। ଗାଙ୍ଗୁରାମ ମିଠା ଦୋକାନରୁ ମିଠା କିଣି ଫେରିବା ବେଳକୁ ତାଙ୍କ ବାଇକ୍‌ ଡିକି ଭଙ୍ଗା ଯାଇଥିବାବେଳେ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ନନ୍ଦିପଦା ଥାନାକୁ ଯାଇ ଅଭିଯୋଗ କରିଥିଲେ।

Advertisment

ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅରମ୍ଭ କରିଛନ୍ତି। ଦୁଇଜଣ ଯୁବକ ମୁହଁରେ ମାସ୍କ ଲଗାଇ ଏକ ବାଇକ୍‌ରେ ତାଙ୍କୁ ହାଟଡିହି ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟରୁ ପିଛା କରିଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି। ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ୍‌ ଯାଞ୍ଚ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ କହିଛନ୍ତି।

ଡିକି ଭାଙ୍ଗି ଏକଲକ୍ଷ ଲୁଟ୍‌

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବଜାର ନିକଟସ୍ଥ ଦୁର୍ଗାଦେଈପୁରଛକ ନିକଟରେ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ପାଟଣା ବ୍ଲକ୍‌  ଟାଙ୍ଗରପଡ଼ା ଗ୍ରାମର ମାଧବାନନ୍ଦ ସାହୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପାଟଣା ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ଦୁର୍ଗାଦେଈପୁରଛକରେ ଗାଡ଼ି ରଖି ଜଣେ ବ୍ୟକ୍ତିଙ୍କ ସହ କଥା ହେଉଥିଲେ।  ତାଙ୍କ ପିଛା‌ କରୁଥିବା ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ଆସି ମାଧବାନନ୍ଦଙ୍କ ବାଇକ୍‌ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।