ଡାକ୍ତରଙ୍କ ଠାରୁ ୭୮ ଲକ୍ଷ ହଡ଼ପ ଘଟଣା : ଝାଡ଼ଖଣ୍ଡ ଜାମତରାର ସାଇବର ଠକଙ୍କ ହାତ

୬ଟି ଫିକ୍ସଡ୍‌ ଡିପୋଜିଟକୁ ଭାଙ୍ଗି ସେଭିଙ୍ଗ୍‌ସ ଆକାଉଣ୍ଟକୁ ନେବା ପରେ ପୋଛି ନେଲେ
ଆୟୁର୍ବେଦିକ୍‌ ଡାକ୍ତରଙ୍କ ୫୨ ଲକ୍ଷ ଲୁଟ୍ ମାମଲାର ବି ତନାଘନା

କଟକ : ରାଜ୍ୟର ସବୁଠୁ ବଡ଼ ସାଇବର ଠକେଇର ଶିକାର ହୋଇଥିବା ଦୁଇ ଜଣ ଡାକ୍ତର ସନାତନ ମହାନ୍ତି ଓ ନାରାୟଣ ମହାନ୍ତି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଡାକ୍ତର ସନାତନ ମହାନ୍ତିଙ୍କ ଆକାଉଣ୍ଟରୁ ୭୮ ଲକ୍ଷ ଟଙ୍କା ଚଳୁ ଘଟଣା ପଛରେ ଝାଡ଼ଖଣ୍ଡ ଜାମତରା ସାଇବର ଅପରାଧୀଙ୍କ ହାତ ରହିଛି। ଡାକ୍ତରଙ୍କ ୬ଟି ଫିକ୍ସଡ୍‌ ଡିପୋଜିଟକୁ ଭାଙ୍ଗି ସେଭିଙ୍ଗ୍‌ସ ଆକାଉଣ୍ଟକୁ ନେବାପରେ ଏହି ଟଙ୍କା ପୋଛି ନେଇଛନ୍ତି ସାଇବର ଅପରାଧୀ। ତେବେ, ପ୍ରାଥମିକ ଛାନଭିନ୍‌ରୁ ଯେଉଁ ତଥ୍ୟ ସାମନାକୁ ଆସିଛି, ସେଥିରେ ବ୍ୟାଙ୍କ ଆକାଉଣ୍ଟସରେ ଟଙ୍କା ଜମା ଓ ନେଟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସୁରକ୍ଷାକୁ ନେଇ ବି ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।

କ୍ରାଇମବ୍ରାଞ୍ଚ ଦେଇଥିବା ସୂଚନା ଅନୁଯାୟୀ ଝାଡ଼ଖଣ୍ଡ ଜାମତରା ସାଇବର ଅପରାଧୀ ଗ୍ୟାଙ୍ଗ୍‌ ସନାତନଙ୍କ ନାଁରେ ଅନଲାଇନରେ ଖୋଲିଥିବା ନେଟ୍‌ ବ୍ୟାଙ୍କି˚ ମାଧ୍ୟମରେ ହିଁ ୬ଟି ଫିକ୍ସଡ୍‌ ଡିପୋଜିଟ୍‌(ସ୍ଥାୟୀ ଜମା) ଟଙ୍କା ମ୍ୟାଚୁରିଟି ପୂର୍ବରୁ ଉଠାଇ ନେଇଛନ୍ତି। ନେଟ୍‌ ବ୍ୟାଙ୍କି˚ରେ ଫିକ୍ସଡ୍‌ ଡିପୋଜିଟ୍‌ ଟଙ୍କା ଉଠାଇବାରେ ବ୍ୟାଙ୍କ୍‌ର କୌଣସି ପ୍ରକାର ଅନୁମୋଦନ ନେବାର ଆବଶ୍ୟକତା ନାହିଁ। ମାତ୍ର ଏକ ମିନିଟ୍‌ ଭିତରେ ଫିକ୍ସଡ୍‌ ଡିପୋଜିଟ୍‌ ବନ୍ଦ ହୋଇ ଟଙ୍କା ସନାତନଙ୍କ ସେଭି˚ ଆକାଉଣ୍ଟସ୍‌କୁ ପ୍ରଥମେ ଆସିଛି। ପରେ ସେହି ଟଙ୍କା ସାଇବର‌୍‌ ଅପରାଧୀ ନିଜର ଅନଲାଇନରେ ଖୋଲିଥିବା ସେଭି˚ ଆକାଉଣ୍ଟସକୁ ଟ୍ରାନ୍ସଫର‌୍‌ କରି ନେଇଛନ୍ତି। କଟକ ସିଡିଏରେ ରହୁଥିବା ଅବସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତି ଏବ˚ ତାଙ୍କ ପତ୍ନୀଙ୍କର ବିଡାନାସୀ ଏସ୍‌ବିଆଇ ଶାଖାରେ ଥିବା ଜଏଣ୍ଟ ଆକାଉଣ୍ଟରେ ୬ଟି ଫିକ୍ସଡ୍‌ ଡିପୋଜିଟ୍‌(ସ୍ଥାୟୀ ଜମା)ରେ ଥିବା ୬୭ ଲକ୍ଷ ୫୦ ହଜାର ଟଙ୍କା ଭାଙ୍ଗିବା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ କରିଛି।

କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଯେ ଡାକ୍ତର ମହାନ୍ତିଙ୍କ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଥିବାବେଳେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଅନ୍ୟପଟେ ୫୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଆୟୁର୍ବେଦିକ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚରେ ହାଜର ହେବାକୁ କୁହାଯାଇଛି। ସେ ହାଜର ହେଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରଯିବ ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।

ସମ୍ବନ୍ଧିତ ଖବର