ରାଉରକେଲା: ଉଦିତନଗରସ୍ଥ ନୂଆ କୋର୍ଟ ପରିସରରେ ଜାତୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଡକ୍ଟର ଭି. ସୁଜାତା ଅଧ୍ୟକ୍ଷତା କରିଥିଲେ। ମୋଟ ୪୦୩ ବିଭିନ୍ନ ମାମଲା ଫଇସଲା କରାଯାଇ ୮ କୋଟି ୮୭ ଲକ୍ଷ ୪୩ ହଜାର ଦେବାକୁ ବିଭିନ୍ନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ୭୩ଟି ମୋଟର ଦୁର୍ଘଟଣାଜନିତ ମାମଲା ଫଇସଲା କରାଯାଇ ବିଭିନ୍ନ ବୀମାକମ୍ପାନୀକୁ ୩ କୋଟି ୫୨ ଲକ୍ଷ ୯୩ ହଜାର ଦେବାକୁ ନିର୍ଦ୍ଦେଶ ‌ଦେଇଛନ୍ତି। ୩୫ଟି ଚେକ୍‌ବାଉନ୍ସ ମାମଲା ଫଇସଲା କରାଯାଇ ୩୬ ଲକ୍ଷ ୫୩ ହଜାର ୪୭୮ ଟଙ୍କା ଆଦାୟ କରାଯାଇଛି। ୧୦ଟି ମନ୍‌ ରିକଭରି ମାମଲାର ଫଇସଲା କରାଯାଇ ୪ କୋଟି ୯୭ ଲକ୍ଷ ୫୭ ହଜାର ଟଙ୍କା ଆଦାୟ କରାଯାଇଛି। ସେମିତି ୧୫ ପାରିବାରିକ, ୫ଟି ଦେୱାନୀ ଓ ୨୭୪ଟି ଅପରାଧିକ ମାମଲାର ଫଇସଲା କରାଯାଇଛି। ପରିବାର ଅଦାଲତର ବିଚାରପତି ବିଦ୍ୟୁତ୍‌ କୁମାର ମିଶ୍ର, ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମନୋଜ କୁମାର, ସବ୍‌ଜଜ୍‌ ସାବିତ୍ରୀ ନାୟକ, ଏସ୍‌ଡିଜେଏମ୍‌ ଅରୋଲିପି ପରିଜା, ଜେଏମ୍‌ଏଫ୍‌ସି(ରୁରାଲ) ସୌରଭ ଶର୍ମା, ଜେଏମ୍‌ଏଫ୍‌ସି ଉମାକାନ୍ତ ବେହେରା ପ୍ରମୁଖ ବିଭିନ୍ନ ମାମଲାର ଫଇସଲା କରିଥିଲେ। ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ଏସ.କେ.ବିଶି, ବି.ଏନ୍. ତ୍ରିପାଠୀ, ବି.ଏନ୍‌. ପଢ଼ିହାରୀ, ଏ.କେ. ମହାପାତ୍ର, ନିର୍ମଳ ସ୍ବାଇଁ, ଏସ୍‌. ହୋତା, ସନ୍ତୋଷ ନାୟକ, ମନୋଜ ପଟ୍ଟନାୟକ, ପାଣ୍ଡବ ପାତ୍ର ପ୍ରମୁଖ ମାମଲା ପରିଚାଳନାରେ ସହଯୋଗ କରିଥିଲେ।