ସିଏଜି ସ୍ୱତନ୍ତ୍ର: ରାସ୍ତା ମୋଟେଇରେ ୮ କୋଟି ଅଧିକ ଖର୍ଚ୍ଚ

ଭୁଲ୍ ସ୍ଥାନରେ ଟୋଲ୍ ପ୍ଲାଜା ନିର୍ମାଣ

ଭୁବନେଶ୍ବର : ପୂର୍ତ୍ତ ବିଭାଗ କାର୍ଯ୍ୟର ସମୀକ୍ଷା କରିଥିବା ସିଏଜି ଜଣାଇଛନ୍ତି ଯେ ୪୪.୦୭ କୋଟି ଟଙ୍କା ବ୍ୟୟରେ ତିଟି ରାସ୍ତା ତିଆରି କରିବା ଲାଗି ନିଷ୍ପତ୍ତି ହୋଇଥିଲା ଓ ସେହି ଅନୁସାରେ କାର୍ଯ୍ୟାଦେଶ ଜାରି କରାଯାଇଥିଲା। ସେଥିରୁ ଗୋଟିଏ ରାସ୍ତା ପାହାଡ଼ିଆ ଅଞ୍ଚଳରେ ଓ ଅନ୍ୟ ଦୁଇଟି ସମତଳ ଅଞ୍ଚଳ ଦେଇ ଅତିକ୍ରମ କରୁଥିଲେ। ରାସ୍ତାଗୁଡ଼ିକର ମୋଟେଇକୁ ନିର୍ବାହୀ ଯନ୍ତ୍ରୀ ଅଯଥାରେ ବଢ଼ାଇଥିଲେ। ଏହି ରାସ୍ତାଗୁଡ଼ିକର ମୋଟେଇ ୬୦ ଏମ୍‌ଏମ୍‌ରୁ ୨୦୫ ଏମ୍ଏମ୍‌କୁ ବୃଦ୍ଧି କରାଯାଇଥିଲା। ସେଥିପାଇଁ ଅଧିକ ନିର୍ମାଣ ଉପାଦାନ ବ୍ୟବହାର କରିବାକୁ ପଡ଼ିଥିଲା ଯେଉଁଥିରେ ୮.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସଠିକ୍ ଭାବେ ରାସ୍ତା ତିଆରି କରାଯାଇଥିଲେ ଏହି ଖର୍ଚ୍ଚକୁ ରୋକାଯାଇପାରିଥାନ୍ତା ବୋଲି ସିଏଜି କହିଛନ୍ତି।

ଅନ୍ୟ ଏକ ମାମଲାରେ ଗଞ୍ଜାମ ଜିଲ୍ଲାର ପିପଲପଙ୍କଠାରୁ ମୁଣ୍ଡମାରେଇ ପର୍ଯ୍ୟନ୍ତ ୧୩୨.୪୭ କୋଟି ଟଙ୍କା ବ୍ୟୟରେ ରାସ୍ତା କାମ ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପର ସମୀକ୍ଷା ଯାଞ୍ଚରୁ ଜଣାପଡ଼ିଥିଲା ଯେ ଟୋଲ୍‌ ପ୍ଲାଜା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ) ଯେଉଁ ସ୍ଥାନ ଚୟନ କରିଥିଲେ ତାହା‌ ସୋରଡ଼ା ବିଞ୍ଜାପିତ ଅଞ୍ଚ ପରିଷଦଠାରୁ ମାତ୍ର ଅଢ଼େଇ କିମି ଦୂରରେ ଥିଲା। ତାହା ଜାତୀୟ ରାପଥ ମାର୍ଗଦର୍ଶିକାର ଉଲ୍ଲଂଘନ କରୁଥିଲା। ସହରାଞ୍ଚଳ ପାଖାପାଖି ଥିବାରୁ ଟୋଲ୍‌ ପ୍ଲାଜାରୁ କୌଣସି ଦେୟ ଆଦାୟ କରାଯାଇନପାରିନଥିଲା। ଏହି କାମରେ ଯେଉଁ ୨.୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାହାର ଲାଭ ମିଳିନଥିଲା। ଟୋଲ୍ ପ୍ଲାଜାରୁ ବାର୍ଷିକ ୯୯.୧୦ ଲକ୍ଷ ଟଙ୍କା ଆଦାୟ ହେବ ବୋଲି ଆକଳନ କରାଯାଇଥିଲା। ଟୋଲ୍ ପ୍ଲାଜା କାର୍ଯ୍ୟକାରୀ ନହେବାରୁ ୨.୮୯ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା।

ରାଉରକେଲା (ରାସ୍ତା ଓ କୋଠାବାଡ଼ି) ଡିଭିଜନରେ ସ୍ବଳ୍ପ ମୂଲ୍ୟ ବିଶିଷ୍ଟ ଧାତୁମଳ ଉପଲବ୍ଧ ଥିବା ସତ୍ତ୍ବେ ରାସ୍ତା ଚଟାଣ ନିର୍ମାଣ କାର୍ଯ୍ୟରେ ଉଚ୍ଚ ମୂଲ୍ୟ ବିଶିଷ୍ଟ ସାମଗ୍ରୀ ବ୍ୟବହାର କରିଥିଲେ। ସେଥିପାଇଁ ୨.୧୨ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହୋଇଥିଲା। ଅନ୍ୟ ଏକ ମାମଲାରେ ଝାରସୁଗୁଡ଼ାରେ ଠିକାଦାରମାନଙ୍କୁ ପ୍ରଦାନ କରାଯାଇଥିବା ମୋବିଲାଇଜେସନ୍ ଅଗ୍ରୀମର ଅସୁଲିର ତଦାରଖରେ ଢିଲାପଣ ଯୋଗୁଁ ସୁଧ ଦମେତ ୨.୧୬ କୋଟି ଟଙ୍କା ଅସୁଲ ହୋଇପାରିନଥିଲା।

ସମ୍ବନ୍ଧିତ ଖବର