ରାଉରକେଲା: ଇସ୍ପାତସହର ଓ ଆଖପାଖ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର କମିବାର ନାଁ ନେଉନି। ଦେଶୀ ମଦଠାରୁ ଆରମ୍ଭକରି ନକଲି ବିଦେଶୀ ମଦ, ଗଞ୍ଜେଇ, ମହୁଲପୋଚ, ବ୍ରାଉନସୁଗାର, ମହୁଲି, ହାଣ୍ଡିଆ ଆଦି ବେପାର ଜୋର୍‌ ଧରିଛି। ଅବଶ୍ୟ ନିୟମିତ ବ୍ୟବଧାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଗତ ୨୦୨୨-୨୩ ବର୍ଷରେ ରାଉରକେଲା ଅବକାରୀ ନିରୀକ୍ଷକଙ୍କ ଅଧିନସ୍ଥ ବିଭିନ୍ନ ଅଞ୍ଚଳରୁ ମୋଟ୍‌ ୮ କୋଟି ୨୭ ଲକ୍ଷ, ୪୭ ହଜାର ୬୪୧ ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନେ କେବଳ ବାଇକ୍‌ରେ ଚୋରାଚାଲାଣ କରୁନାହାନ୍ତି; ବରଂ ସାଇକେଲ, ଅଟୋ, କାର୍‌, ପିକଅପ୍‌ ଭ୍ୟାନ୍‌, ମୋପେଟ୍‌, କାର୍‌ ଆଦି ବ୍ୟବହାର କରାଯାଉଛି।

Advertisment

୨୦୨୧-୨୨ ବର୍ଷ ତୁଳନାରେ ଗତବର୍ଷ(୨୦୨୨-୨୩) ୬୩ ପ୍ରତିଶତରୁ ଅଧିକ ଅବକାରୀ ମାମଲୁ ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅବକାରୀ ବିଭାଗ ପକ୍ଷରୁ ୨୪୯୫ଟି ମାମଲା ରୁଜୁ ହୋଇଥିବାବେଳେ ପୂର୍ବବର୍ଷ(୨୦୨୧-୨୨) ୧୫୭୦ ମାମଲା ରୁଜୁ ହୋଇଥିବାବେଳେ ୧୩୫୯ ଜଣ ବେପାରି ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଉଭୟ ପୁରୁଷ ଓ ମହିଳା ସାମିଲ ଅଛନ୍ତି। ଗତବର୍ଷ ଅବକାରୀ ବିଭାଗ ୩୧୨୩ ଲିଟର ନକଲି ବିଦେଶୀ ମଦ ଜବତ କରିଥିଲା; ଯାହାକି ରାଜ୍ୟରେ ସର୍ବାଧିକ। ଏହାସହ ୮୪ ହଜାର ୯୬୯ ଲିଟର ଦେଶୀ ମଦ ଜବତ କରାଯାଇଛି। ବୀରମିତ୍ରପୁର, କୁଆରମୁଣ୍ଡା ଅଞ୍ଚଳରେ ଦେଶୀ ମଦ ତିଆରି ଓ ଚୋରାଚାଲାଣ ସର୍ବାଧିକ ରହିଛି। ଏତଦ୍‌ବ୍ୟତୀତ ୧୦୪୮.୪୮ ଟନ୍‌ ମହୁଲ ପୋଚ ଜବତ ହୋଇଥିଲା। ଦେଶୀ ମଦ ତିଆରିରେ ମହୁଲ ପୋଚ ବ୍ୟବହୃତ ହେଉଥିବାବେଳେ ଏହାକୁ ସ୍ଥାନୀୟ ଅଞ୍ଚଳର ମହୁଲ ବୋପରି ଅନୈତିକଭାବେ ବିକ୍ରି କରିଥାନ୍ତି। ଅବକାରୀ ଚଢ଼ଉ ଭୟରେ ଏହି ମହୁଲ ପୋଚକୁ ଜଙ୍ଗଲ ଭିତରେ, କୂଅ ଭିତରେ ତଥା ମାଟି ପୋତି ମଧ୍ୟ ରଖି ମନଇଛା ଦେଶୀ ମଦ ତିଆରି କରିଥାନ୍ତି।

ଏହାସହ ୯୩୭ ଲିଟର ସରକାରୀ ମଦଭାଟିର ପାଉଚ୍‌ ମଦ ସମେତ ୨୪୧୬ ଲିଟର ତାଡ଼ି, ୧୨୬ ଲିଟର ବିଦେଶୀ ମଦ, ୩୩୧ ଲିଟର ବିଅର୍‌, ୩୮୮୦ ଲିଟର ହାଣ୍ଡିଆ, ୨୩୨ କ୍ବିଣ୍ଟାଲ ମହୁଲ ଫୁଲ, ୩୬୯ କେଜି ଗଞ୍ଜେଇ, ୧୬.୭୫୦ ଗ୍ରାମ୍‌ ବ୍ରାଉନସୁଗାର, ୩୧୨୩ ଲିଟର ନକଲି ବିଦେଶୀ ମଦ, ୨୦ ଲିଟର ସ୍ପିରିଟ୍‌ ଜବତ ହୋଇଛି। ଚୋରାଚାଲାଣରେ ବ୍ୟବହୃତ ବିଭିନ୍ନ ଯାନବାହନକୁ ମଧ୍ୟ ଜବତ କରାଯାଇଥିଲା। ସେ ଗୁଡ଼ିକ ହେଲା,- ୭ଟି କାର୍‌, ୯୯ଟି ସ୍କୁଟି, ୮୩ଟି ବାଇକ୍‌, ୧୩ଟି ଅଟୋ, ୧୪ଟି ସାଇକେଲ, ୩ଟି ପିକ୍‌ଅପ୍‌ ଭ୍ୟାନ, ଗୋଟିଏ ଲୁନା ମୋପେଟ୍‌, ୧ଟି ସ୍କୁଟର ଆଦି ଜବତ ହୋଇଥିଲା। ଗତବର୍ଷ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ରାଉରକେଲା ଅବକାରୀ ବିଭାଗକୁ ସ୍କଚ୍‌ ଆୱାର୍ଡ, ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଓ ଡିଜିଟାଲ ଇଣ୍ଡିଆ ଗୋଲ୍‌ଡ ଆୱାର୍ଡ ପ୍ରଦାନ କରାଯାଇଥିଲା। ଅବକାରୀ ନିରୀକ୍ଷକ ଶେଖ୍‌ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶରେ ତଥା ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ବିଭିନ୍ନ ଅଞ୍ଚଳରେ ଧରପଗଡ଼ କରାଯାଇଥିଲା।