ଦାନଗଦୀ: କଳିଙ୍ଗନଗର ଥାନା ଅନ୍ତର୍ଗତ ବ୍ରାହ୍ମଣୀ ବ୍ରିଜ୍‌ ନିକଟରୁ ଗତକାଲି ରାତିରେ ଏହି ଥାନା ଅନ୍ତର୍ଗତ କଇଥା ଗ୍ରାମର ବ୍ୟବସାୟୀ ବାଇଧର ବେହେରାଙ୍କ ନିକଟରୁ ଦୁଇଜଣ ଦୁର୍ବୃତ୍ତ ପ୍ରାୟ ୮ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏସମ୍ପର୍କରେ ବାଇଧର କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି। କେସ୍‌ ନମ୍ବର ୨୧୫/୨୨ ରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁଯାୟୀ, ବାଇଧର ଗତକାଲି ରାତି ପ୍ରାୟ ୮ଟାରେ ଏକ ସ୍କୁଟିରେ ଘରକୁ ଫେରୁଥିଲେ। ନୂତନ ଖାତାପୂଜା ଥିବାରୁ ଆଦାୟ ହୋଇଥିବା ପ୍ରାୟ ୮ ଲକ୍ଷ ଟଙ୍କା ତାଙ୍କ ସ୍କୁଟି ଡିକିରେ ରଖିଥିଲେ। ବ୍ରାହ୍ମଣୀ ବ୍ରିଜ୍‌ରୁ ଗଡ଼ିବା ପରେ ଜିନ୍ଦଲ ପାଣି ଟାଙ୍କି ନିକଟରେ ଏକ ପଲସର୍‌ ବାଇକ୍‌ରେ ଆସି ୨ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଜଣେ ଯୁବକ ବାଇଧରଙ୍କ ବେକରେ ଏକ କଟୁରି ଲଗାଇ ଧମକ ଦେଇଥିଲା। ଏଥିରେ ବାଇଧର ଭୟଭୀତ ହୋଇ ପଡ଼ିଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟି ଡିକି ଖୋଲି ଟଙ୍କା ନେଇ ଢୋଲପଥର ଗାଁ ଆଡ଼କୁ ଦ୍ରୁତଗତିରେ ପଳାଇ ଯାଇଥିଲେ। ଏନେଇ ସେ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି।