ଅତିରିକ୍ତ ବଜେଟ୍‌ର ପ୍ରାୟ ୯୨% ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ
ଅଧିକ ପୁଞ୍ଜି ଖର୍ଚ୍ଚ ପାଇଁ ଖୋଲା ବଜାରରୁ ଋଣ କରାଯିବ

Advertisment

ଭୁବନେଶ୍ବର : ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରାଜସ୍ବ ସଂଗ୍ରହ ଗତ ବର୍ଷ ତୁଳନାରେ ଅଧିକ ରହିଛି। ସେହିପରି ଋଣ ଭାର ମଧ୍ୟ ଆମ ସୀମା ଭିତରେ ରହିଛି। ଖୋଲା ବଜାରରୁ ଯେଉଁ ଋଣ ନିଆଯାଉଛି, ତାହା ମଧ୍ୟ ସୀମା ଭିତରେ। ତେଣୁ ସମ୍ବଳ ସଂଗ୍ରହ ଓ ଋଣ ଭାରକୁ ନେଇ ବିରୋଧୀମାନେ ସନ୍ଦେହ ପ୍ରକାଶ କରିବାର କୌଣସି କାରଣ ନାହିଁ। ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ବ୍ୟୟମଞ୍ଜୁରି ବିଲ୍‌ ଆଲୋଚନାରେ ବିରୋଧୀଙ୍କ ବିଭିନ୍ନ ଅଭିଯୋଗର ଏମିତି ଜବାବ ଦେଇଛନ୍ତି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ବିଧାନସଭାରେ ଆଜି ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହେବା ପରେ ୮୧୨୬ କୋଟି ୩୨ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରି ବିଲ୍‌ ଗୃହୀତ ହୋଇଥିଲା। ବିରୋଧୀ ଦଳର ବିଭିନ୍ନ ଅଭିଯୋଗ ଓ ପ୍ରସ୍ତାବ ଉପରେ ଉତ୍ତର ରଖି ଅର୍ଥ ମନ୍ତ୍ରୀ କହିଥିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ନିଜସ୍ବ ରା‌ଜସ୍ବ ସଂଗ୍ରହ ଗତ ବର୍ଷ ସେପ୍ଟେମ୍ବର ସୁଦ୍ଧା‌ ଆଦାୟ ତୁଳନାରେ ୮.୫ ପ୍ରତିଶତ ବୃଦ୍ଧି ହୋଇଛି। ଚଳିତ ଆର୍ଥିକ ବର୍ଷର ରାଜସ୍ବ ବୃଦ୍ଧି ମୁଖ୍ୟତଃ ମୁଦ୍ରାଙ୍କ ଓ ନିବନ୍ଧନ ଶୁଳ୍କ, ଅବକାରୀ ଟିକସ ଏବଂ ଖଣି ରାଜସ୍ବ ଆଦାୟରେ ବୃଦ୍ଧି ଯୋଗୁ ସମ୍ଭବ ହୋଇଛି। ଏହା ଦ୍ବାରା ଆମେ ମୂଳ ବଜେଟ୍‌ ଆକଳନ ତୁଳନାରେ ନିଜସ୍ବ ରାଜସ୍ବ ବାବଦକୁ ପ୍ରାୟ ଅତିରିକ୍ତ ୧୦୦୦ କୋଟି ଟଙ୍କା ଆଦାୟ କରିବା ପାଇଁ ଆଶା ରଖିଛୁ।

ଋଣ ଭାର ସମ୍ପର୍କରେ ଶ୍ରୀ ପୂଜାରୀ କହିଥିଲେ ଯେ ଋଣ ଭାରର ପୋଷଣୀୟତାର ଦୁଇଟି ପରିମାପକ ହେଲା, ଋଣଭାରର ମୋଟ ଘରୋଇ ଉତ୍ପାଦର ଅନୁପାତ ଏବଂ ସୁଧ ଦେୟ-ରାଜସ୍ବ ଆୟର ଅନୁପାତ। ଓଡ଼ିଶା ଆର୍ଥିକ ଉତ୍ତରଦାୟୀ ଓ ବଜେଟ୍‌ ପରିଚାଳନା ଆଇନ୍‌-୨୦୦୫(ଓଡ଼ିଶା ଏଫ୍‌ଆର୍‌ବିଏମ୍‌ ଆକ୍ଟ) ଅନୁସାରେ ଉଭୟ ଅନୁପାତକୁ ଯଥାକ୍ରମେ ୨୫ ଓ ୧୫ ପ୍ରତିଶତ ମଧ୍ୟରେ ରଖିବା ଆବଶ୍ୟକ। ଆମେ ଏହି ସୀମାରେଖାର ଯଥେଷ୍ଟ ତଳେ ଅଛୁ। ତେଣୁ ଋଣ ଭାରକୁ ନେଇ କୌଣସି ସନ୍ଦେହର କାରଣ ନାହିଁ। ସେହିପରି ୨୦୧୪-୧୫ ବର୍ଷରେ ଆମେ ପ୍ରାୟ ୯ ବର୍ଷ ପରେ ପ୍ରଥମ ଥର ପାଇଁ ଖୋଲା ବଜାରରୁ ଋଣ ଉଠାଇଥିଲୁ। ଏହା ପରେ ଗତ ୫ ବର୍ଷ ହେଲା ଆମେ ଖୋଲା ବଜାରରୁ ଋଣ ଆଣୁଛୁ। ଆମେ ଏହି ଋଣ ଓଡ଼ିଶା ଏଫ୍‌ଆର୍‌ବିଏମ୍‌ ଆକ୍ଟ ସୀମା ମଧ୍ୟରେ କରିଛୁ ଓ ଏହି ଋଣ ସମ୍ପୂର୍ଣ୍ଣ ଭାବେ ପୁଞ୍ଜି ଖର୍ଚ୍ଚ ପାଇଁ ବିନିଯୋଗ ହୋଇଛି। ଚଳିତ ବର୍ଷ ମଧ୍ୟ ଆମେ ଅଧିକ ପୁଞ୍ଜି ଖର୍ଚ୍ଚ ପାଇଁ ଏଫ୍‌ଆର୍‌ବିଏମ୍‌ ସୀମା ମଧ୍ୟରେ ଖୋଲା ବଜାରରୁ ଋଣ ଆହରଣ କରାଯିବ ବୋଲି ଶ୍ରୀ ପୂଜାରୀ କହିଥିଲେ।

ଅର୍ଥ ମନ୍ତ୍ରୀ କହିଥିଲେ ଯେ ଅତିରିକ୍ତ ବଜେଟ୍‌ର ଆକାର ମୂଳ ବଜେଟ୍‌ର ପ୍ରାୟ ୫.୮ ପ୍ରତିଶତ। ଅତିରିକ୍ତ ବଜେଟ୍‌ରେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ‘୫-ଟି’ ଓ ‘ମୋ ସରକାର’ର ସଫଳ ରୂପାୟନ, ଜଗନ୍ନାଥ ଧାମ ପୁରୀ ସହରର ଉନ୍ନତି, କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା, ସାମାଜିକ ନିରାପତ୍ତା, ପାନୀୟ ଜଳ ଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ସାମାଜିକ କ୍ଷେତ୍ରର ଉନ୍ନତି ଉପରେ ଗୁରୁ୍ତ୍ବାରୋପ କରାଯାଇଛି। ଅତିରିକ୍ତ ବଜେଟ୍‌ର ପ୍ରାୟ ୯୨ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ। ଏହା ମଧ୍ୟରୁ ପୁଞ୍ଜି ଖର୍ଚ୍ଚ ପାଇଁ ୩୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମୂଳ ବଜେଟ୍‌ ସହିତ ଅତିରିକ୍ତ ବଜେଟ୍‌କୁ ମିଶାଇଲେ ମୋଟ ପୁଞ୍ଜି ବିନିଯୋଗ ରାଜ୍ୟର ମୋଟ୍ ଘେରୋଇ ଉତ୍ପାଦ(ଜିଏସ୍‌ଡିପି)ର ୫ ପ୍ରତିଶତକୁ ଟପିଯିବ। କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ମୋଟ ବ୍ୟୟ ବରାଦ ୭,୪୩୩ କୋଟି ଟଙ୍କା ମଧ୍ୟରୁ ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୨୬୨୩ କୋଟି ଟଙ୍କା ଉଦ୍ଦିଷ୍ଟ। ଏହା ମଧ୍ୟରେ ପୁରୀରେ ମୌଳିକ ସୁବିଧା ଏବଂ ଐତିହ୍ୟ ଓ ସ୍ଥାପତ୍ୟର ଉନ୍ନୟନ ପାଇଁ ଜମି ଅଧିଗ୍ରହଣ ନିମିତ୍ତ ୭୩୦ କୋଟି ଟଙ୍କା ଦିଆଯାଇଛି। ରାଜ୍ୟର ସହରାଞ୍ଚଳଗୁଡ଼ିକର ଉନ୍ନୟନ ପାଇଁ ପ୍ରସ୍ତାବିତ ୪୧୭ କୋଟି ଟଙ୍କା ବ୍ୟୟବରାଦ ମଧ୍ୟରୁ ଜାଗା ମିସନ୍ ପାଇଁ ୨୦୦ କୋଟି, ସହରାଞ୍ଚଳ ପରିବହନ ପାଇଁ ୩୮ କୋଟି ଓ ଅମୃତ ଯୋଜନା ପାଇଁ୧୬୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ସାମାଜିକ କ୍ଷେତ୍ରରେ ବ୍ୟବସ୍ଥିତ ୧୯୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୪୫୯ କୋଟି ଟଙ୍କା ଦିଆଯାଇଛି।

ବିରୋଧୀ ଦଳ ନେତାଙ୍କ ଠିକା ନିଯୁକ୍ତି ସଂକ୍ରାନ୍ତୀୟ ଅଭିଯୋଗ ଉପରେ ଶ୍ରୀ ପୂଜାରୀ ଯୁକ୍ତି ଦର୍ଶାଇଥିଲେ ଯେ ୨୦୧୩ ମସିହାରେ ରାଜ୍ୟ ସରକାର ସରକାରୀ ନିଯୁକ୍ତି ବାବଦକୁ ଏକ ନୂଆ ନୀତି ପ୍ରଣୟନ କରିଛନ୍ତି। ଏହି ନୀତି ଅନୁଯାୟୀ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି(ଆଂଶିକ) ନିଯୁକ୍ତି ସିଧାସଳଖ ସ୍ଥାୟୀ ଭାବରେ ‌ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେବ। ତେବେ ଅନ୍ୟାନ୍ୟ ଶ୍ରେଣୀର ନିଯୁକ୍ତି ପ୍ରଥମ ୬ ବର୍ଷ ପାଇଁ ଠିକା ଭାବରେ ହେବ ଏବଂ ସପ୍ତମ ବର୍ଷ ଠାରୁ ସେହି କର୍ମଚାରୀମାନେ ସ୍ଥାୟୀ ହେବେ।

କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦକୁ ମିଳୁଥିବା ଅର୍ଥ ସଂକ୍ରାନ୍ତରେ ଅର୍ଥ ମନ୍ତ୍ରୀ କହିଥିଲେ ଯେ ଅଧିକାଂଶ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ରର ଅଂଶ ୬୦ ପ୍ରତିଶତ ଥିଲା ବେଳେ ରାଜ୍ୟ ଅଂଶ ୪୦ ପ୍ରତିଶତ ଅଟେ। କେନ୍ଦ୍ର ସରକାରଙ୍କ ଠାରୁ ଏହି ଯୋଜନାଗୁଡ଼ିକ ପାଇଁ ୬୦ ପ୍ରତିଶତ ଅର୍ଥ ମିଳୁଥିବା ବେଳେ ବିନିଯୋଗ ସମୟରେ ରାଜ୍ୟ ଅଂଶକୁ ମିଶାଇ ଖର୍ଚ୍ଚ କରାଯାଇଥାଏ। ରାଜ୍ୟ ସରକାରଙ୍କ ଯୋଜନା ‘ମମତା’ ଏକ ଲୋକପ୍ରିୟ ‌େଯାଜନା। ଏହି ଯୋଜନାର ସଫଳତାକୁ ଦେଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା’ ପ୍ରଣୟନ କଲେ। ଆମ ରାଜ୍ୟ ସରକାରଙ୍କ ନିଜ ଯୋଜନା ‘ମମତା’ର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏହି ଯୋଜନା ବଦଳରେ ‘ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା’କୁ ପ୍ରଣୟନ କରିବୁ କି ନାହିଁ, ତାହାର ତର୍ଜମା କରା‌ଯିବ।

ସେହିପରି ଲଘୁ ଖଣିଜରୁ ରାଜସ୍ବ ଆଦାୟ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି ଓ ଏଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ସ୍ଥାପନ କରାଯାଇଛି। ଆଗାମୀ ବର୍ଷଗୁଡ଼ିକରେ ଲଘୁ ଖଣିଜ ଦ୍ରବ୍ୟରୁ ଅଧିକ ରାଜସ୍ବ ଆଦାୟ କରିବାକୁ ଆଶା ରଖାଯାଇଛି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଗତ ୫ ବର୍ଷ ଭିତରେ ରାଜ୍ୟ ସରକାର ୭୦ ହଜାର ପଦବି ପୂରଣ କରିଛନ୍ତି ବୋଲି ଅର୍ଥ ମନ୍ତ୍ରୀ କହିଥିଲେ।