ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅଞ୍ଚଳରେ ହୋଇଥିବା ଭାପୁର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ୍ ଦସ୍ତଖତରେ ୮୦ କୋଟି ଟଙ୍କାର ଫଲ୍ସ ବିଲ୍ ଘଟଣା ଏବେ ଦାଣ୍ତରେ ପଡ଼ି ହାଟରେ ଗଡ଼ୁଛି। ପୂର୍ବରୁ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏହି ଟଙ୍କା ହଡ଼ପ ସମ୍ବନ୍ଧରେ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ବସିପଡ଼ିଥିଲା। ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ତଦନ୍ତ କରି ଦସ୍ତଖତ ଜାଲ୍ ହୋଇଥିବା କହିଥିଲେ ଏବଂ ତାଙ୍କ ରିପୋର୍ଟ ଜିଲ୍ଲାରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ବର୍ତ୍ତମାନ ରାଜ୍ୟ ଫୋରେନସିକ୍ ରିପୋର୍ଟ ମଧ୍ୟ ପୂର୍ବତନ ଅଧ୍ୟକ୍ଷାଙ୍କ ବିଭିନ୍ନ ଫାଇଲ୍ରେ ଜାଲ୍ ଦସ୍ତଖତ ହୋଇଥିବା ପ୍ରମାଣିତ ହୋଇଛି। ଏଥି ନେଇ ବ୍ଲକ୍ ପ୍ରଶାସନ ସରକାରୀ ବାବୁମାନଙ୍କ ମଧ୍ୟରେ ହୃତ୍କମ୍ପନ ବଢ଼ିଚାଲିଛି।
ଅଭିଯୋଗ କରିଥିଲେ ପୂର୍ବତନ ଅଧ୍ୟକ୍ଷା
ତଦନ୍ତ କରିଥିଲେ ଉପଜିଲ୍ଲାପାଳ
ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍ରେ ୨୦୧୭ ମସିହାରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାପୁର ବ୍ଲକ୍ରେ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲ୍ଲାପରିଷଦର ସଭ୍ୟମାନେ ସଂଖ୍ୟା ଗରିଷ୍ଠତାରେ ବିଜୟ ହାସଲ କରିଥିବା ବେଳେ ପଛୁଆବର୍ଗର ମହିଳା ଭାବେ ଶାନ୍ତିଲତା ବେହେରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ଉପାଧ୍ୟକ୍ଷ ଭାବେ ଗୟାଧର ପରିଡ଼ା ମନୋନୀତ ହୋଇଥିଲେ। ତେବେ ୫ ବର୍ଷ ଶେଷ ହେବାକୁ ଅଳ୍ପ ଦିନ ବାକି ଥିବା ବେଳେ ଅଧ୍ୟକ୍ଷା ଶାନ୍ତିଲତା ଉପାଧ୍ୟକ୍ଷ ଗୟାଧରଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସରକାରୀ କାର୍ଯ୍ୟାଳୟକୁ ନିଜେ ନିଜ ହେପାଜତରେ ରଖିବା, ବ୍ଲକ୍ କାର୍ଯ୍ୟାଳୟକୁ ନ ଆସିବାକୁ ଅଧ୍ୟକ୍ଷାଙ୍କୁ ଧମକ୍ ଦେବା, ଜାଲ୍ ଲେଟର୍ପ୍ୟାଡ୍ ଏବଂ ଅଧ୍ୟକ୍ଷାଙ୍କ ଦସ୍ତଖତକୁ ଜାଲ୍ କରି ୮୦ କୋଟି ଟଙ୍କାର ଫଲ୍ସ ବିଲ୍ ହୋଇଥିବା ବାବଦରେ ଫତେଗଡ଼ ଥାନାରେ ୧୧/୭/୨୦୨୧ ତାରିଖରେ ଶ୍ରୀମତୀ ବେହେରା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ଭାପୁର ରାଜନୀତିରେ ଭିନ୍ନ ମୋଡ଼ ସୃଷ୍ଟି ହେଲା। ଶ୍ରୀମତୀ ବେହେରାଙ୍କ ପ୍ରତିବାଦ ଯୋଗୁ ତାଙ୍କୁ ଜାତିଆଣ ଆକ୍ଷେପ, ହତ୍ୟା ଧମକ୍ ଦିଆଯାଇଥିବା ସେ ପୁନଶ୍ଚ ଅଭିଯୋଗ କଲେ। କ୍ରମେ ବର୍ଷେ ତଳେ ଅନାସ୍ଥା ପ୍ରସ୍ତାବରେ ଶାନ୍ତିଲତାଙ୍କୁ ପଦଚ୍ୟୁତ କରାଗଲା।
ତେବେ ଜାଲ୍ ଦସ୍ତଖତ ନେଇ ଶାନ୍ତିଲତା ଜିଲ୍ଲାପାଳଙ୍କ ନିକଟରେ ଯେଉଁ ଅଭିଯୋଗ କରିଥିଲେ ତାହାକୁ ଭିତ୍ତିକରି ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ତଦନ୍ତ ଆରମ୍ଭ କରିଥିଲେ। ବ୍ଲକ୍ କାର୍ଯ୍ୟାଳୟକୁ ଘନ ଘନ ଗସ୍ତ କରି ୨୦୧୮ ମସିହାଠାରୁ ୨୦୨୧ ମସିହା ପର୍ଯ୍ୟନ୍ତ ପ୍ରାୟ ୩୦ଟି ଫାଇଲ୍କୁ ଯାଞ୍ଚ କରିଥିଲେ। ତଦନ୍ତ ସମୟରେ ଶ୍ରୀମତୀ ବେହେରାଙ୍କ ଦସ୍ତଖତ ଜାଲ୍ ହୋଇଥିବା ଉପଜିଲ୍ଲାପାଳ ଶ୍ରୀ ରାଉତ ଜାଣିବାକୁ ପାଇଥିଲେ ଏବଂ ଜିଲ୍ଲାପାଳ ଡ. ପୋମା ଟୁଡ଼ୁଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହି ଜାଲ୍ ଦସ୍ତଖତ କେଉଁ ସ୍ତରରେ ହୋଇଛି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିଲା। ବ୍ଲକ୍ର ମୁଖ୍ୟ କିରାଣୀ, କନିଷ୍ଠ ଯନ୍ତ୍ରୀ, ଜିପିଓଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ସହିତ ପଚରାଉଚରା କରାଯାଇଥିଲା। ଏସବୁ ସହ ତାଳ ଦେଇ ରାଜ୍ୟ ଫୋରେନସିକ୍ ରିପୋର୍ଟ ମଧ୍ୟ ଦସ୍ତଖତ ସବୁ ଜାଲ୍ ହୋଇଥିବା ଦର୍ଶାଇଛି। ଏବେ ଘଟଣା କେଉଁ ମୋଡ଼ ନେବ ତାହାକୁ ଜନସାଧାରଣ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/bhapur.jpg)