ଫାଇନାନ୍ସ କର୍ମଚାରୀଙ୍କୁ ଭୁଜାଲି ଦେଖାଇ ନେଇଗଲେ ୮୦ ହଜାର

ବାଲିଅନ୍ତା: ଆଜି ଅପରାହ୍ନ ସାଢ଼େ ୩ଟା ସମୟରେ ସତ୍ୟଭାମାପୁର–ଭିଙ୍ଗାରପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ଭିଙ୍ଗାରପୁରସ୍ଥିତ ମା’ ଜାଡ଼ମଲ୍ଲୀଙ୍କ ପୀଠ ନିକଟ ନିଛାଟିଆ ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ଦୁଇଜଣ ଫାନନାନ୍ସ କର୍ମଚାରୀଙ୍କ ମୁଣ୍ଡରେ ଭୁଜାଲି ଲଗାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ବାଲିଅନ୍ତା ଥାନା ଏସଆଇ ରାକେଶ କୁମାର ସାମନ୍ତରାୟ ଓ ଏଏସଆଇ ଅରୁଣ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏହାର ଛାନଭିନ କରିଥିଲେ। ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲେ। ହେଲେ ରିପୋର୍ଟ ଲେଖା ହେବା‌ ବେଳକୁ ପୁଲିସ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇପାରି ନାହିଁ।

ସୂଚନା ମୁତାବକ ବାଳକାଟି ଜାଗେଶ୍ବରୀ କଲୋନୀ ସ୍ଥିତ ଭାରତ ଫାଇନାନ୍ସ ସଂସ୍ଥାର ଦୁଇଜଣ କର୍ମଚାରୀ ଭିଙ୍ଗାରପୁର ଶାସନ, ଗୁଆବାଡ଼ି ସାହି ଗ୍ରାମରୁ ମହିଳା ମଣ୍ଡଳଙ୍କ ଠାରୁ ଋଣକିସ୍ତି ଟଙ୍କା ସଂଗ୍ରହ କରି ବେଣ୍ଟପୁର ଡେଲଟାବଜାର ଅଭିମୁଖେ ଆସୁଥିବା ବେଳେ ଦୁଇଜଣ ‌ଉଭୟଙ୍କୁ ପିଛାକରି ଭୁଜାଲି ଦେଖାଇ ଭୟଭୀତ କରାଇ ବ୍ୟାଗରେ ଭର୍ତ୍ତି ୮୦ ହଜାର ଟଙ୍କା ଛଡ଼ାଇ ନେଇ ଭିଙ୍ଗାରପୁର ରାସ୍ତାରେ ପଳାଇଥିଲେ। କର୍ମଚାରୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ଦୁର୍ବୃତ୍ତଙ୍କ ପିଛା କରିଥିଲେ। ହେଲେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇନଥିଲେ।

ସମ୍ବନ୍ଧିତ ଖବର