୮୧୨୬ କୋଟିର ଅତିରିକ୍ତ ବଜେଟ୍‌

ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ଉପରେ ନଜର, ସପ୍ତମ ବେତନ କମିସନ ବକେୟା ନେଇ ସ୍ପଷ୍ଟ କଲେନି, ରାଜ୍ୟ ଋଣ ପରିମାଣ ୮୩ ହଜାର କୋଟି ଛୁଇଁଲା

ଭୁବନେଶ୍ବର : ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟା ଅଭିଯୋଗ ପ୍ରସଙ୍ଗ ନେଇ କମ୍ପୁଥିଲା ବିଧାନସଭା। ଗୃହ ମଧ୍ୟରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ ଜାରି ରଖିଥିଲେ। ଠିକ୍ ଏମିତି ସମୟରେ ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୮ହଜାର ୧୨୬କୋଟି ୩୨ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ଗ୍ରାମାଞ୍ଚଳ ଭିତ୍ତିଭୂମି ଉପରେ ଗୁରୁତ୍ବ ଦିଆଯାଇଛି। ବିଧାନସଭା ବାହାରେ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ଯୁକ୍ତି ରଖିଛନ୍ତି ଯେ ବଜେଟ୍ ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କର ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ସେ ବାବଦ ଅର୍ଥ ବରାଦ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ଆବଶ୍ୟକ ପଡିଲା। ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତିତ ଯୋଜନା ଓ ଭାରତ ସରକାରଙ୍କ ନୂତନ କେନ୍ଦ୍ର ପ୍ରବର୍ତିତ ଯୋଜନା କାରଣରୁ ଅତିରିକ୍ତ ବଜେଟ୍ ପ୍ରସ୍ତୁତି ଗୁରୁତ୍ବପୂର୍ଣ୍ଣ ହୋଇପଡିଥିଲା।

ହେଲେ ୧ଲକ୍ଷ ୩୯ ହଜାର କୋଟି ଟଙ୍କାର ବିଶାଳ ମୂଳ ବଜେଟ୍ ଆଗତ କରାଯାଇଥିବା ବେଳେ ଅତିରିକ୍ତ ବଜେଟର ସଂକ୍ଷିପ୍ତ ସ୍ବରୂପକୁ ନେଇ ଅର୍ଥନୀତିଜ୍ଞମାନେ ବିସ୍ମୟ ପ୍ରକାଶ କରିଛନ୍ତି। ଆର୍ଥିକ ଦୁଃସ୍ଥିତିର ସଙ୍ଗିନ ପ୍ରଭାବ କାରଣରୁ ଅତିରିକ୍ତ ବଜେଟ୍ ଆକାର ଛୋଟ ହୋଇଥିବା କୁହାଯାଉଛି। ହେଲେ ଅର୍ଥ ବିଭାଗ କିନ୍ତୁ ଏଥିରେ ସହମତି ପ୍ରକାଶ କରିନାହିଁ। ବରଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଛନ୍ତି ଯେ ମୂଳ ବଜେଟର ୧୦% ମଧ୍ୟରେ ଅତିରିକ୍ତ ବଜେଟକୁ ଅଟକାଇ ଦିଆଯାଇପାରିଲେ, ତାହା ଏକ ଉତ୍ତମ ବ୍ୟବସ୍ଥା ସଂପର୍କରେ ସଙ୍କେତ ରଖେ। ଏଥର ଅତିରିକ୍ତ ବଜେଟର ପରିମାଣ ୫.୮୪%ରେ ସୀମିତ ରହିଛି। କିନ୍ତୁ ବଜେଟ୍ ପାଇଁ ରାଜ୍ୟ ସରକାର ଯେଉଁ ଭଳି ଭାବେ ଅର୍ଥ ସଂଗ୍ରହ କରିଛନ୍ତି, ଅର୍ଥ ବରାଦ ସଂପର୍କରେ ଯେଭଳି ଅସ୍ପଷ୍ଟ ଚିତ୍ର ରହିଛି, ତାହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ରାଜ୍ୟର ଅର୍ଥନୀତି ଠିକ୍ ରାସ୍ତାରେ ନାହିଁ।

ଅର୍ଥ ବିଭାଗ କହିଛି ଯେ ଅତିରିକ୍ତ ବଜେଟ୍‌ରେ ପ୍ରଶାସନିକ ବ୍ୟୟ ବାବଦରେ ମାତ୍ର ୨୬୭ କୋଟି ୨୩ଲକ୍ଷ ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୭୪୩୨ କୋଟି ୮୦ଲକ୍ଷ ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠି ପାଇଁ ୬.୫୨କୋଟି ଏବ˚ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ସ୍ବରୂପ ୪୧୯ କୋଟି ୭୮ଲକ୍ଷ ଟଙ୍କା ଏମିତି ୪ଟି କ୍ଷେତ୍ରକୁ ମିଶାଇ ମୋଟ ୮୧୨୬ କୋଟି ୩୨ଲକ୍ଷ ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଯେଉଁ ବ୍ୟୟବରାଦ କରାଯାଇଛି, ତାର ପ୍ରାୟ ଅଧାରୁ ଅଧିକ ଟଙ୍କା ବିଭିନ୍ନ ବିଭାଗର ବ୍ୟୟବରାଦ ଓ ଅନୁଦାନରୁ ସମର୍ପଣ ରାଶି ଉପରେ ପର୍ଯ୍ୟବେସିତ। ୪୧୪୪ କୋଟି ୫୦ଲକ୍ଷ ଟଙ୍କା ଏହି ସୂତ୍ରରୁ ଆସିବ। ତେବେ କେଉଁ ବିଭାଗ କେତେ ଟଙ୍କା ସରେଣ୍ଡର କଲେ, କିଏ ଅଧିକ କଲେ, ନିର୍ଦିଷ୍ଟ କେଉଁ ଯୋଜନା ଖର୍ଚ୍ଚ ହୋଇପାରିବ ନାହିଁ ବୋଲି ବିଭାଗମାନେ ଜାଣି ସାରିଲେଣି, ସେ ତଥ୍ୟ ଅର୍ଥ ବିଭାଗ ଦେଇନାହିଁ। ତେବେ ୨୯୮୧ କୋଟି ୮୮ଲକ୍ଷ ଟଙ୍କା ସହବନ୍ଧିତ ଅର୍ଥାତ୍‌ ଟାଏଡ୍‌-ଅପ୍‌ ସମ୍ବଳ ସୂତ୍ରରୁ ମିଳିବ। ସେହିପରି ଅଣବନ୍ଧିତ (ଅନ୍‌ ଟାଏଡ୍‌) ସମ୍ବଳରୁ ୧୦୦୦କୋଟି ଟଙ୍କା ଆସିବ। ସମୀକ୍ଷା ବେଳେ ଜଣାପଡିଛି ଯେ ଆହୁରି ୮୧୭ କୋଟି ବିଭାଗମାନେ ସରେଣ୍ଡର କରିବେ।

ଅର୍ଥ ବିଭାଗ ଯୁକ୍ତି ରଖିଛି ଯେ ରାଜ୍ୟ ସରକାର କର୍ମଚାରୀଙ୍କ ପାଇଁ ବେତନ ହାର ସଂଶୋଧନ ଓ ବକେୟା ବେତନ ପ୍ରଦାନ, ବିଭିନ୍ନ ଦାବି ଅନ୍ତର୍ଗତ ହିସାବ ବ୍ୟବସ୍ଥାପନ ନିମନ୍ତେ ଏହି ଅତିରିକ୍ତ ବଜେଟ୍ ପ୍ରସ୍ତୁତ କରାଯାଇଛି। ୫ଟି ପାଇଁ ନିଆଯାଇଥିବା ପଦକ୍ଷେପ, ମୋ ସରକାର, ଐତିହ୍ୟ ସହର ପୁରୀର ବିକାଶ, ଜନସ୍ବାସ୍ଥ୍ୟ ବିକାଶ ପାଇଁ ପଦକ୍ଷେପ, ପିଇବା ପାଣି, ଗ୍ରାମ୍ୟ ଗୃହ ନିର୍ମାଣ, କ୍ରୀଡା ଭିତ୍ତିଭୂମିର ବିକାଶ ଦିଗରେ ମୁଖ୍ୟତଃ ଏହି ଅର୍ଥ ଖର୍ଚ୍ଚ ହେବ। ଏଣୁ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ମୋଟ ଅତିରିକ୍ତ ବଜେଟ୍ ପରିମାଣର ୯୨% ଅର୍ଥ ଏ ବାବଦରେ ବ୍ୟୟ କରାଯିବ। ଯେଉଁଥିରୁ ୯୬% ଅର୍ଥାତ୍ ୭୧୨୯ କୋଟି ୩୮ଲକ୍ଷ ଟଙ୍କା ବିକାଶ ବାବଦରେ ଖର୍ଚ୍ଚ ହେବ। ଏଥିରୁ ସାମାଜିକ କ୍ଷେତ୍ର ଲାଗି ୪୫% (୩୩୩୯ କୋଟି ୩୯ଲକ୍ଷ) ଓ ଅର୍ଥନୈତିକ କ୍ଷେତ୍ରର ବିକାଶ ଲାଗି ୩ହଜାର ୭୮୯ କୋଟି ଟଙ୍କା ବରାଦ କରାଯାଇଛି।

ବଜେଟ୍ ଆକାର ରେକର୍ଡ ଛୁଇଁଛି। କାରଣ ମୂଳ ବଜେଟ୍ ଓ ଅତିରିକ୍ତ ବଜେଟ୍ ପରିମାଣକୁ ମିଶାଇଲେ, ପୂର୍ବରୁ ଏତେ ପରିମାଣର ଅର୍ଥ କେବେ ବି ବରାଦ ହୋଇନଥିଲା। ଅର୍ଥ ସଚିବ କହିଛନ୍ତି ଯେ ଆର୍ଥିକ ସ୍ଥିତି ନିୟନ୍ତ୍ରଣରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ୩.୫ ପ୍ରତିଶତ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଛି। ସେହି ସୀମା ଭିତ୍ତରେ ସରକାର ରହିବେ। ସେହିଭଳି ବର୍ଷ ଶେଷ ବେଳକୁ ରାଜସ୍ବ ବଳକା ରହିବ। ମୂଳ ବଜେଟ୍‌ରେ ସରକାର ପ୍ରସ୍ତାବ ରଖିଥିଲେ ଯେ ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୨୩ ହଜାର ୭୮୪କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରୁ ଋଣ କରିବେ। ଏ ମଧ୍ୟରୁ ପ୍ରାୟ ୧୬ ହଜାର ୪୩୪ କୋଟି ଟଙ୍କା ଖୋଲା ବଜାରରୁ ଋଣ କରାଯିବ। ସେପ୍ଟେମ୍ବର ସୁଦ୍ଧା ୩ ହଜାରନ ୫୦୦ କୋଟି ଟଙ୍କା ସରକାର ଖୋଲା ବଜାରରୁ ଋଣ ଉଠାଇଛନ୍ତି। ଏଥିସହିତ ଏହି ସମୟ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ପରିମାଣ ୮୩ ହଜାର ୩୦୭ କୋଟିରେ ପହଞ୍ଚିଛି।

କୌତୂହଳର କଥା ହେଲା ଯେ ପ୍ରଶାସନିକ ଖର୍ଚ୍ଚ ବାବଦରେ ମାତ୍ର ୨୬୭ କୋଟି ୨୩ଲକ୍ଷ ଟଙ୍କା ରଖାଯାଇଛି। ସରକାର କେଉଁଠି ବି କହିନାହାନ୍ତି ଯେ ସପ୍ତମ ବେତନ କମିସନ ସୁପାରିସ୍ ହାରରେ କର୍ମଚାରୀଙ୍କୁ ସଂଶୋଧିତ ଘରଭଡ଼ା ଦିଆଯିବ। ସେହିଭଳି ଅତିରିକ୍ତ ବଜେଟରେ ୨୦୧୬ ଜାନୁଆରିରୁ ୨୦୧୭ ଅଗଷ୍ଟ ବର୍ଧିତ ବକେୟା ରାଶିର ବଳକା ୬୦% (ସପ୍ତମ ବେତନ କମିସନ ବାବଦ ବକେୟା) ଦରମା ପ୍ରଦାନ କରାଯିବ। ଅର୍ଥ ସଚିବ ଆଜି ଆଶ୍ବାସନା କିନ୍ତୁ ଦେଇଛନ୍ତି ଯେ ଟଙ୍କା ଅଛି। ସରକାର ନୀତିଗତ ନିଷ୍ପତ୍ତି ନେଲେ ଦିଆଯିବ।

ଅତିରିକ୍ତ ବଜେଟ୍‌ ରୂପରେଖ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କୃଷକ କଲ୍ୟାଣ ଓ ଖାଦ୍ୟ ନିରାପତ୍ତା ପାଇଁ ୫୨୭ କୋଟି ୪୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ଟଙ୍କିକିଆ ଚାଉଳ ପାଇଁ ଆବଶ୍ୟକ ଥିବା ୧୮୫ କୋଟି ୫୨ଲକ୍ଷ, ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ପାଇଁ ୫୦୧ କୋଟି ୫୬ଲକ୍ଷ ଟଙ୍କା, ଜନସ୍ବାସ୍ଥ୍ୟ ସେବା ପାଇଁ ୪୫୯କୋଟି, ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୩୭୦କୋଟି, ଅତିରିକ୍ତ ପୁଷ୍ଟି କାର୍ଯ୍ୟକ୍ରମ ପୋଷଣ ପାଇଁ ୧୯୦ କୋଟି ୨୮ଲକ୍ଷ, ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ ପାଇଁ ୧୦୭୩କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮ କୋଟି ୫୫ଲକ୍ଷ, ସହରାଞ୍ଚଳ ଉନ୍ନୟନ ପାଇଁ ୪୧୬ କୋଟି, ପୁରୀ ପାଇଁ ଅବଢା ଯୋଜନାରେ ୭୩୦କୋଟି, ରାଜ୍ୟରେ ରାସ୍ତାର ବିକାଶ ପାଇଁ ୭୩୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ସମ୍ବନ୍ଧିତ ଖବର