ଗୃହ ବିଭାଗର ଶ୍ବେତପତ୍ରରେ ସାଂଘାତିକ ତଥ୍ୟ : ଲୁଟିଛନ୍ତି ୮୨ କୋଟି

ଦିନକୁ ୭ ମହିଳାଙ୍କୁ ଦୁଷ୍କର୍ମ, ୫ ଜଣଙ୍କୁ ହତ୍ୟା, ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଅଧା ମାମଲାରେ ଚାର୍ଜସିଟ୍ ଦାଖଲରେ ପୁଲିସ ବିଫଳ

ଭୁବନେଶ୍ବର : ୨୦୧୮ ମସିହାରେ ୧ ଲକ୍ଷ ୭ ହଜାର ୪୦୮ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ମାତ୍ର ୭୯ ହଜାର ୩୪୧ଟି ମାମଲାରେ ପୁଲିସ ଚାର୍ଜସିଟ୍ ବା ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ୧୩୭୮ଟି ହତ୍ୟା ଘଟଣା ମଧ୍ୟରୁ ଅଧା ଗୁରୁତ୍ବପୂଣ୍ମର୍ଣ୍ଣ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି। ମାତ୍ର ୬୪୫ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରିପାରିଛି। ୨୦୧୮ ମସିହାରେ ଓଡ଼ିଶାର ଅପରାଧ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ଜାରି ଶ୍ବେତପତ୍ରରେ ଏଭଳି ଚାଞ୍ଚଲ୍ୟକର ତଥ୍ୟର ସୂଚନା ମିଳିଛି।

ଶ୍ବେତପତ୍ରରେ ଦର୍ଶାଯାଇଛି, ୨୦୧୮ରେ ଡକାୟତମାନେ ୨୬ କୋଟି ୨୫ ଲକ୍ଷ ୪୧ ହଜାର ଟଙ୍କାର ସମ୍ପତ୍ତି ଚୋରି କରି ନେଇଥିଲେ। ଏହାର ଚାରି ଭାଗରୁ ଭାଗେ ଅର୍ଥାତ୍ ୬ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇପାରିଛି। ଯେଉଁ ୫୫୦ଟି ଡକାୟତି ମାମଲା ସତ ବୋଲି ପୁଲିସ ଜାଣିପାରିଛି ତାହାର ଅଧା (୨୨୯) ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି। ଲୁଣ୍ଠନ ଚିତ୍ର ତା ଠାରୁ ଆହୁରି ସାଂଘାତିକ। ଅପରାଧୀମାନେ ୧୨୧ ଜଣଙ୍କ ଘରେ ଲୁଟ୍‌ତରାଜ କରିଛନ୍ତି। ରାସ୍ତାଘାଟରେ ୫୨୯ ଜଣଙ୍କ ଠାରୁ ଲୁଟି ନେଇଛନ୍ତି। ଟ୍ରେନରେ ୨୨ଟି ଘଟଣା ଘଟିଛି। ଗୋଟିଏ ବ୍ୟାଙ୍କରେ ଲୁଣ୍ଠନ ହୋଇଛି ଓ ୧୩୪ଟି ବାଣିଜ୍ୟିକ ପ୍ରତିଷ୍ଠାନରୁ ଲୁଟ୍‌ତରାଜ କରିଛନ୍ତି ଅପରାଧୀ। ରିପୋର୍ଟରେ ଦର୍ଶାଯାଇଛି, ପୁଲିସ ଏସବୁ ମାମଲାରେ ୧୯୪୬ ଜଣ ଅପରାଧୀଙ୍କୁ ଗିରଫ କରିଛି। ଲୁଣ୍ଠନ ସାମଗ୍ରୀର ପରିମାଣ ୧୪ କୋଟି ୬୭ ଲକ୍ଷ ୪୫ ହଜାର ଟଙ୍କା ହୋଇଥିଲେ ହେଁ ପୁଲିସ ୪ କୋଟି ୫୪ ଲକ୍ଷ ୭୧ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିପାରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଲୁଣ୍ଠନ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲର ହାର ମଧ୍ୟ ନୈରାଶ୍ୟଜନକ। ଯେଉଁ ୨୧୦୦ ମାମଲା ସତ୍ୟ ବୋଲି ଦର୍ଶାଯାଇଛି, ସେଥିରୁ ପ୍ରାୟ ଅଧା ଘଟଣା (୯୪୮)ରେ ଦୋଷାରୋପଫର୍ଦ୍ଦ ଦାଖଲ କରାଯାଇ ପାରିନାହିଁ। ୩୭୧୩ଟି ସିନ୍ଧି ଚୋରି ମାମଲା ରୁଜୁ ହୋଇଛି ଯେଉଁଥିରୁ ୧୧୦୮ ଟି ମାମଲାରେ ପୁଲିସ ଅଭିଯୋଗଫର୍ଦ୍ଦ ଦାଖଲ କରିଛି। ଚୋରମାନେ ୫୨ କୋଟି ୨୨ ଲକ୍ଷ ୮୨ ହଜାର ଟଙ୍କା ମୂଲ୍ୟର ସମ୍ପତ୍ତି ଚୋରି କରି ନେଇଛନ୍ତି। ପୁଲିସ ଏଥିରୁ ୧୯ କୋଟି ୭୨ ଲକ୍ଷ ଟଙ୍କା ଜବତ କରିପାରିଛି। ଚୋରି, ଡକାୟତି ଓ ଲୁଣ୍ଠନର ମୂଲ୍ୟକୁ ବିଚାରକୁ ନେଲେ ପାଖାପାଖି ୮୨ କୋଟି ଟଙ୍କାରୁ ଅଧିକ ହେବ। ୨୭୯୪ଟି ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଛି ଯେଉଁଥିରୁ ୭୦୭ଟିରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ୧୦୦ କି ୨୦୦ ନୁହେଁ, ୨୧୨୦ଟି ଦଙ୍ଗା ମାମଲା ୨୦୧୮ ମସିହାରେ ପୁଲିସ ପଞ୍ଜୀକୃତ କରିଛି। ଏଥିରୁ ଅଧା ଘଟଣା (୧୧୩୧)ରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ଦୁଷ୍କର୍ମ ସଂଖ୍ୟା ୨୦୧୭ ତୁଳନାରେ ବଢ଼ିଯାଇଛି। ଦୈନିକ ହାରାହାରି ୭ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ୨୦୧୮ ମସିହାରେ ୨୫୦୨ଟି ମାମଲା ପଞ୍ଜୀକୃତ ହୋଇଥିଲା। ପୁଲିସ ତଦନ୍ତ ବେଳେ ୨୪୫୯ଟି ସତ ବୋଲି ଜଣାପଡ଼ିଛି ଯେଉଁଥିରୁ ୧୫୨୬ଟି ମାମଲାରେ ଚାର୍ଜସିଟ ଦାଖଲ ହୋଇଛି।

ଯଦିଓ କୌଣସି ବଡ଼ ଧରଣର ଛାତ୍ର ଆନ୍ଦୋଳନ ବା ଅଶାନ୍ତି ରାଜ୍ୟରେ ଦେଖାଯାଇ ନଥିଲା ତଥାପି ଛାତ୍ର ସଂସଦ ନିର୍ବାଚନ ବାତିଲ କାରଣରୁ କିଛି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ହୋଇଥିଲା। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ନବ ନିର୍ମାଣ କୃଷକ ସଂଗଠନ ପ୍ରମୁଖ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ।

୨୦୧୮ରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖାଯାଇ ନାହିଁ, କିନ୍ତୁ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାରେ ନକ୍ସଲମାନେ ଚିନ୍ତାର କାରଣ ହୋଇଥିଲେ। ୨୦୧୮ ମସିହାରେ ୫୪ଟି ନକ୍ସଲ ଆକ୍ରମଣ ଘଟଣା ଘଟିଥିଲା ଯେଉଁଥିରେ ୨୬ଟି ଘଟଣାରେ ପୁଲିସ ନକ୍ସଲ ମୁହାଁମୁହିଁ ହୋଇଥିଲେ। ୧୯ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୯ ଜଣ ଗିରଫ ହୋଇଥିଲେ। ୨୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ୪୦ଟି ବନ୍ଧୁକ, ୨୪ଟି ବିସ୍ଫୋରକ ଓ ବହୁ ଗୁଳିଗୋଳ ଜବତ ହୋଇଥିଲା। ତେବେ ରାଜ୍ୟର ୬ଟି ଜିଲ୍ଲା ତଥା ଯାଜପୁର, ଢେଙ୍କାନାଳ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ନକ୍ସଲ ଆକ୍ରମଣ ଘଟଣା ପରିଦୃଷ୍ଟ ହୋଇନାହିଁ। ୨୦୧୮ ମସିହାରେ ୩୪ ଥର ହିନ୍ଦୁ-ମୁ‌ସଲମାନ ‌ବିଦ୍ବେଷ ଦେଖାଦେଇଥିଲା। ୫ ଥର ହିନ୍ଦୁ-ଖ୍ରୀଷ୍ଟିଆନ ମୁହାଁମୁହିଁ ହୋଇଥିଲେ। ୨୦୧୮ ମସିହାରେ ମୋଟ ୨୮ଟି ଅର୍ଥନୈତିକ ଅପରାଧ ରୁଜୁ ହୋଇଥିଲା। ସେହିଭଳି ସେହି ବର୍ଷ ୧୪୪୯ ଜଣ ବାଳ ଅପରାଧୀଙ୍କ ବିରୋଧରେ ୧୧୫୫ଟି ମାମଲା ରୁଜୁ କରାଯାଇଥିଲା।

ଉଲ୍ଲେଖ ଥାଉ କି, ୨୦୦୦-୦୧ରୁ ୨୦୧୭-୧୮ ମଧ୍ୟରେ ୮୯୧ କୋଟି ୪୧ ଲକ୍ଷ ଟଙ୍କା ପୁଲିସ ବିଭାଗର ଆଧୁନିକୀକରଣ ନିମନ୍ତେ ମିଳିଥିଲା। ସେଥିରୁ ୮୭୫.୨୧ କୋଟି ଅର୍ଥାତ୍ ପାଖାପାଖି ୯୫.୧୮ ପ୍ରତିଶତ ବ୍ୟୟ କରାଯାଇଛି।

ସମ୍ବନ୍ଧିତ ଖବର