କଂପାନି ଚାକିରି କରାଇଦେବା ନାଁରେ ୮୩ ହଜାର ଚଳୁ!

ବୈପାରିଗୁଡା: ଜିଓ ଟାୱାର କମ୍ପାନିରେ ଚାକିରି କରାଇଦେବା ନାଁରେ ୮୩ ହଜାର ଟଙ୍କା ଠକି ନେଇଥିବା ନେଇ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କିଛି ଯୁବକଙ୍କ ବୈପାରିଗୁଡା ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ମାଝୀଗୁଡା ଗ୍ରାମର ହେମନ୍ତ ନାୟକ ବୋରିଗୁମ୍ମା ବ୍ଲକର କିଛି ଯୁବକଙ୍କ ନିକଟକୁ ଯାଇ ନିଜେ ଜଣେ ଜିଓ କମ୍ପାନିର ସୁପରଭାଇଜର୍ ବୋଲି କହି ପରିଚୟ ଦେଇଥିଲେ। ବୋରିଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ବେକାରୀ ଯୁବକମାନଙ୍କ ସହ ମିଶିବା ସହ ସେମାନଙ୍କ ସହିତ ପ୍ରଥମେ ବନ୍ଧୁତ୍ୱ ସ୍ଥାପନ କରୁଥିଲେ। କିଛି ଦିନ ସେମାନଙ୍କ ସହ ମିଳାମିଶା କରିବା ପରେ ସେମାନଙ୍କୁ ଚାକିରି କରାଇଦେବା ପାଇଁ କହୁଥିଲେ। ଜିଓ ଟାଓ୍ବାର୍ କମ୍ପାନିରେ ଚାକିରି ପାଇଁ ପଦବି ଖାଲି ଅଛି। ଆଉ ମାସକୁ ୯ ହଜାର ଟଙ୍କା ଦରମା ଏବଂ ଦିନକୁ ଆଠ ଘଣ୍ଟା ଡ୍ୟୁଟି କରିବାକୁ ପଡ଼ିବ ବୋଲି କହିଥିଲେ।

ବେକାରୀ ଯୁବକମାନେ ହେମନ୍ତଙ୍କ କଥାକୁ ଅନ୍ଧ ଭାବରେ ବିଶ୍ବାସ କରିନେଇଥିଲେ। ହେମନ୍ତ ସେହି ଯୁବକ ମାନଙ୍କୁ ଅଗ୍ରୀମ ଗୋଟିଏ ମାସର ଦରମା ଦେବାକୁ କହିଥିଲେ। ଗୋଟିଏ ମାସର ଦେଲେ ଚାକିରି ଦିଆଯିବ ବୋଲି କହି ଟଙ୍କା ଆଦାୟ କରିଥିଲେ। ଫୋନ୍ ପେ କିମ୍ବା ନଗଦ ଟଙ୍କା ଦେବାକୁ କହି ଏକ ମାସ ଭିତରେ ଚାକିରିରେ ନିଯୁକ୍ତି କରାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କୋଡ଼ିଏରୁ ଊର୍ଦ୍ଧ୍ବ ବେକାର ଯୁବକ ସର୍ବମୋଟ ୮୩ ହଜାର ଟଙ୍କା ନଗଦ ଏବଂ ଫୋନ୍ ପେ ମାଧ୍ୟମରେ ଦେଇଥିଲେ। ହେମନ୍ତ ସବୁ ଟଙ୍କା ନେଇ ଆର ମାସକୁ ଆସି ସମସ୍ତଙ୍କ ନିଯୁକ୍ତି କାଗଜ ଆଣି ଦେବାକୁ କହି ଆଉ ଫେରି ନଥିଲେ।

ବେକାରୀ ଯୁବକମାନେ ଦୁଇ ମାସ ଅପେକ୍ଷା କରିବା ପରେ ମଧ୍ୟ ହେମନ୍ତର ଦେଖା ମିଳିନଥିଲା। ବାରମ୍ବାର ଫୋନ୍ କଲେ ମଧ୍ୟ ଫୋନ୍ ଉଠାଇଲେ ନାହିଁ ବେଳେବେଳେ ଫୋନ୍ ବନ୍ଦ ରହୁଥିଲା। ଠକାମୀର ଶିକାର ହୋଇଥିବା ସଂଦେହ କରି ସେମାନେ ବୈପାରିଗୁଡା ଥାନାର ଦ୍ବାରସ୍ଥ ହୋଇ ହେମନ୍ତର ନାଁରେ ଏକ ଲିଖିତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ବୈପାରିଗୁଡା ପୁଲିସ ତଦନ୍ତ ଆରମ୍ଭ କରିଛି। ଥାନା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ହେମନ୍ତକୁ ଯଥାଶୀଘ୍ର କାବୁ କରାଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର