ସ୍ବାସ୍ଥ୍ୟ ଭିତ୍ତିଭୂମିରେ ୮୫୦୦ କୋଟି ନିବେଶ

କୋଭିଡ୍‌ ଯୁଦ୍ଧରେ ଡାକ୍ତରଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
୭୮୬ ଜଣ ନବନିଯୁକ୍ତ ଡାକ୍ତରଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ
୨୦୨୪ ଯାଏ ପ୍ରତି ବର୍ଷ ୨ଟି ମେଡିକାଲ କଲେଜ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଫୋକସ୍‌ରେ ସ୍ବାସ୍ଥ୍ୟ ସେବା ରହିଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରିବାରେ ୮୫୦୦ କୋଟି ଟଙ୍କାରୁ ଅଧିକ ନିବେଶ ହେଉଛି। ଗତ କିଛି ବର୍ଷ ହେଲା ଅଧିକ ମାନବ ସମ୍ବଳ ନିଯୁକ୍ତି ଦେଇ ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ନବନିଯୁକ୍ତ ୭୮୬ ଡାକ୍ତରଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ସମ୍ବୋଧିତ କରି କହିଲେ ଯେ ବର୍ତ୍ତମାନର ମହାମାରୀ ସମୟରେ ଡାକ୍ତରଙ୍କ ଭୂମିକା ପ୍ରଶଂସନୀୟ। ଡାକ୍ତରଙ୍କର ସମାଜରେ ଏକ ସ୍ବତନ୍ତ୍ର ସମ୍ମାନ ରହିଛି। ଜୀବନ-ମୃତ୍ୟୁର ସ୍ଥିତିରେ ଲୋକମାନେ ଡାକ୍ତରଙ୍କୁ ଭଗବାନ ପରି ମାନନ୍ତି। ସମ୍ପ୍ରତ୍ତି କୋଭିଡ୍‌ ମାହମାରୀ ଡାକ୍ତରମାନଙ୍କୁ ଯୋଦ୍ଧାରେ ପରିଣତ କରିଛି। ଗୋଟିଏ ବର୍ଷରୁ ଅଧିକ ସମୟ ହେଲା ଡାକ୍ତରମାନେ କୋଭିଡ୍‌ ବିରୋଧୀ ଯୁଦ୍ଧରେ ଆଗ ଧାଡ଼ିରେ ରହିଛନ୍ତି। ବିଶ୍ବର ଅନ୍ୟ ଅଞ୍ଚଳ ପରି ଓଡ଼ିଶା ଉପରେ ବି କରୋନାର ସାଂଘାତିକ ପ୍ରଭାବ ପଡ଼ିଛି। ଆମ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡ଼ିଛି। ଦ୍ରୁତ ସଂକ୍ରମଣ ସତ୍ତ୍ବେ ସମସ୍ତଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ସ୍ବାସ୍ଥ୍ୟସେବାରେ ଥିବା ବ୍ୟକ୍ତିମାନଙ୍କ ନିଷ୍ଠାପର ମନୋଭାବ ଯୋଗୁ ବିଭିନ୍ନ ଆହ୍ବାନ ସତ୍ତ୍ବେ ଆମେ ବହୁ ଜୀବନ ବଞ୍ଚାଇ ପାରିଛୁ। କୋଭିଡ୍‌ ବିରୋଧୀ ଲଢ଼େଇ ଏ ଯାଏ ଶେଷ ହୋଇନି।

ନବନିଯୁକ୍ତ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ଆପଣମାନଙ୍କ ଜୀବନରେ ଏକ ଉଲ୍ଲେଖନୀୟ ଦିନ। ଦୀର୍ଘ ବର୍ଷର ନିଷ୍ଠା, ପରିଶ୍ରମ ଓ ଶିକ୍ଷା ଗ୍ରହଣ ପରେ ଏହି ସଫଳତା ହାସଲ କରିଛନ୍ତି। ଆପଣମାନଙ୍କ ପରିବାର ଆପଣଙ୍କ ସଫଳଦତା ପାଇଁ ଗର୍ବିତ। ଆପଣମାନେ ଏବେ ସମାଜରେ ରୋଲ୍‌ ମଡେଲ୍। ଦେଶରେ କରୋନାର ଦ୍ବିତୀୟ ଲହର ଚାଲିଥିଲା ବେଳେ ଏକ ଆହ୍ବାନପୂର୍ଣ୍ଣ ସମୟରେ ଆପଣମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଯଦିଓ ଏବେ ସଂକ୍ରମଣ ହାତ କମୁଛି, ତେବେ ଆମକୁ ଅଧିକ ଦାୟିତ୍ବପୂର୍ଣ୍ଣ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। କ୍ଷେତ୍ର ସ୍ତରରେ ଯୁବ ଡାକ୍ତରମାନେ ହିଁ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଏକ ନୂଆ ଧାରା ଆଣିପାରିବେ। ଆପଣମାନଙ୍କର ବହୁ ସିନିୟର୍ମାନେ ଦୁର୍ଗମ ଅଞ୍ଚଳରେ ନିଯୁକ୍ତି ପାଇଛନ୍ତି ଓ ସଫଳତାର ସହ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି। ସେମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ନାଗରିକଙ୍କୁ ଉଚ୍ଚକୋଟୀର ସେବା ଯୋଗାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓଡ଼ିଶାରେ ଅଧିକ ଡାକ୍ତର ନିଯୁକ୍ତି କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନୂଆ ଡାକ୍ତରମାନଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ଅତି ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ବୋଲି କହିଥିଲେ।

୫-ଟି ସଚିବ ଭି ‌କେ ପାଣ୍ଡିଆନ୍ ଡାକ୍ତରମାନଙ୍କ ସହ ଆଲୋଚନା କରି ୫-ଟି ଭିତ୍ତିରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ ସୁଶାସନର ମୁଖ୍ୟ ଦିଗ ହେଲା ସବୁଠାରୁ ଗରିବ ଲୋକର ସନ୍ତୋଷ ପାଇଁ ସେବା ଯୋଗାଇବା। ଶୀଘ୍ର ଓ ଫଳପ୍ରଦ ସେବା ଯୋଗାଇବା ପାଇଁ ଟେକ୍ନୋଲୋଜିର ବ୍ୟବହାର ପ୍ରକୃତ ପରିବର୍ତ୍ତନ ଆଣିପାରିବ। ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’କୁ ଡାକ୍ତରମାନେ ଅନୁକରଣ କରିବା ଉଚିତ। ସେହିପରି ‘ମୋ ସରକାର’ ବ୍ୟବସ୍ଥାକୁ ‌ସାଧାରଣ ଜନତା ବହୁତ ପ୍ରଶଂସା କରିଛନ୍ତି। କ୍ୟାରିୟର୍‌ର ଶେଷ ପର୍ଯ୍ୟନ୍ତ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଚଳିତ ବର୍ଷରେ ପୁରୀରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ। ୨୦୨୪ ଯାଏ ପ୍ରତି ବର୍ଷ ଦୁଇଟି ଲେଖାଏ ମେଡିକାଲ କଲେଜ ଓଡ଼ିଶାରେ ଖୋଲିବ। ସ୍ବାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର