ଭାଗବତ ଟୁଙ୍ଗୀ ପୁନରୁଦ୍ଧାର ପାଇଁ ୯ କୋଟି

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ଭାଗବତ ଟୁଙ୍ଗୀଗୁଡ଼ିକର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୯ କୋଟି ଟଙ୍କା ବ୍ୟୟ କରାଯିବ। ପୂର୍ବରୁ ପ୍ରତି ଟୁଙ୍ଗୀର ପୁନରୁଦ୍ଧାର ବାବଦରେ ୨୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଏବେ ୫୦ ହଜାର ଟଙ୍କା ଦିଆଯିବ। ବିଡିଓ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଟୁଙ୍ଗୀ ପୁନରୁଦ୍ଧାର ଓ ତଦାରଖ କ୍ଷେତ୍ରରେ କାର୍ଯ୍ୟ କରିବେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ବୈଠକରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଓ ପରିଚାଳନା ବାବଦରେ ଆଲୋଚନା ହୋଇଥିଲା। ଗତ ତିନିଟି ଆର୍ଥିକ ବର୍ଷରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ବର୍ଷ ୧୨୦୦ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରୁ ଏହି ଅର୍ଥରାଶିକୁ ଦ୍ୱିଗୁଣିତ କରାଯାଇଛି। ଏହା ଫଳରେ ଅଧିକ ସଂଖ୍ୟାରେ ଭାଗବତ ଟୁଙ୍ଗୀକୁ ସହାୟତା ପ୍ରଦାନ କରାଯାଇପାରିବ।

ଭାଗବତ ଟୁଙ୍ଗୀର ପରିଚାଳନା ନିମନ୍ତେ ଟୁଙ୍ଗୀର ତତ୍ତ୍ୱାବଧାରକ ଓ ସ୍ଥାନୀୟ ବିଡିଓ ନାମରେ ବ୍ୟାଙ୍କ ଜମା ବହି ଯୁଗ୍ମ ଭାବେ ଖୋଲାଯିବ। ସଂପୃକ୍ତ ଜିଲ୍ଲାର ସଂସ୍କୃତି ଅଧିକାରୀ ପୁନରୁଦ୍ଧାର ସହାୟତା ପାଉଥିବା ଟୁଙ୍ଗୀଗୁଡ଼ିକର କାର୍ଯ୍ୟକ୍ରମ ତଦାରଖ କରିବେ ଓ ସେ ବାବଦରେ ସମସ୍ତ ବିବରଣୀ ପ୍ରଦାନ କରିବେ ବୋଲି ସଚିବ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ସଂସ୍କୃତି ଅଧିକାରୀମାନେ ଯୋଗ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ରାମକୃଷ୍ଣ ସାହୁ ଓ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର