ଜଳେଶ୍ବର/ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଛକ ନିକଟରେ କିଛି ଦୁର୍ବୃତ୍ତ ଗୁଳି ଫୁଟାଇ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଆଜି ଅପରାହ୍ନରେ ପଶ୍ଚିମବଙ୍ଗରୁ ଏକ ବୋଲେରୋ ଗାଡ଼ିରେ ଭଦ୍ରକ ଅଭିମୁଖେ ଫେରୁଥିବା ଭଦ୍ରକ, କଟକ ଓ ଯାଜପୁର ଅଞ୍ଚଳର କିଛି ଗୋରୁ ବେପାରୀ ଏହି ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ବୋଲେରୋ ଚାଳକ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଓଡି୦୪କେ-୧୩୧୯ ନମ୍ବର ଏକ ବୋଲେରୋ ଗାଡ଼ିରେ କୋଲକାତାର ବିରିଶପୁରରୁ କେତେକ ଗୋରୁ ବ୍ୟବସାୟୀ ଫେରୁଥିଲେ। ଏମାନେ ସମସ୍ତେ ଗୋରୁ ବ୍ୟବସାୟୀ ହୋଇଥିବା ବେଳେ କୋଲକାତାରୁ ବକେୟା ଟଙ୍କା ଧରି ଚଣ୍ଡିଖୋଲ ଫେରୁଥିଲେ। ଚଣ୍ଡିଖୋଲରେ ପହଞ୍ଚିବା ପରେ ଟଙ୍କା ଭାଗବଣ୍ଟା ହୋଇଥାନ୍ତା। ତେବେ ଲକ୍ଷ୍ମଣନାଥ ତନଖି ଫାଟକଠାରୁ ଏକ ନମ୍ବରବିହୀନ ସ୍କର୍ପିଓ ଏହି ବୋଲେରୋକୁ ପିଛା କରୁଥିବାବେଳେ ଜଳେଶ୍ବର ଥାନା ଏକତାଳି ନିକଟରେ ସ୍କର୍ପିଓଟି ବୋଲେରୋର ବାଟ ଓଗାଳିଥିଲା। ଗୋରୁ ବ୍ୟବସାୟୀଙ୍କ ଗାଡ଼ି ଅଟକିବା ମାତ୍ରେ ମୁହଁରେ ରୁମାଲ ଓ କପଡ଼ା ବାନ୍ଧିଥିବା ପାଞ୍ଚ ଜଣ ବ୍ୟକ୍ତି ସ୍କର୍ପିଓରୁ ଓହ୍ଲାଇ ବୋଲେରୋ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ତେବେ, ଲକ୍ଷ୍ୟଭ୍ରଷ୍ଟ ହେବାରୁ ଗୁଳି ଗାଡ଼ିର ବନେଟ୍ରେ ବାଜିଥିଲା। ପରେ ଦୁର୍ବୃତ୍ତମାନେ ଜଗ୍ ରଡ୍ ସାହାଯ୍ୟରେ ବୋଲେରୋ କାଚକୁ ଭାଙ୍ଗିବା ସହ ଚାଳକ ଅବୁଦୁଲ ରଜାକଙ୍କୁ ଜଗ୍ ରଡ୍ରେ ବାଡେଇଥିଲେ। ଏଥିରେ ଗୋରୁ ବ୍ୟବସାୟୀମାନେ ଭୟଭୀତ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସେକ ଅଲିମୁଦ୍ଦିନଙ୍କ ନିକଟରୁ ପ୍ରାୟ ୮ ଲକ୍ଷ ୮୫ ହଜାର ଓ ମହମ୍ମଦ ଅଫସରଙ୍କ ନିକଟରୁ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଛଡାଇ ନେବା ସହ ସାଙ୍ଗରେ ଆଣିଥିବା ସ୍କର୍ପିଓରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇଥିଲେ।
ଏହି ଘଟଣା ପରେ ପୁଲିସ ଜିଲ୍ଲାର ବିଭିନ୍ନ ରାସ୍ତାକୁ ସିଲ୍ କରିବା ସହ ଗୋରୁ ବ୍ୟବସାୟୀଙ୍କୁ ଥାନାକୁ ଆଣି ସେମାନଙ୍କ ବୟାନ ରେକର୍ଡ କରିଛି। ଖବର ଲେଖାଯିବା ବେଳକୁ ଥାନାରେ ଏ ନେଇ କୌଣସି ଅଭିଯୋଗ ହୋଇନଥିଲା।