ଚା’ଦୋକାନି ଓ କାଠ ମିସ୍ତ୍ରୀ ନାଁରେ ୯୦ କୋଟିର ବେପାର, ଜାଲ୍ କମ୍ପାନି ଗଢ଼ି ଜିଏସ୍‌ଟି ଆଇଟିସି ଅର୍ଥ ଖାଇଦେଲେ

ରାଉରକେଲା:  ସ୍ବାମୀ-ସ୍ତ୍ରୀଙ୍କ ଚା ଦୋକାନ ରହିଛି। ତେବେ ଆୟ କମ୍ ଥିବାରୁ ସ୍ତ୍ରୀ ଚା’ ଦୋକାନ ସମ୍ଭାଳୁଥିବାବେଳେ ସ୍ବାମୀ ଅଟୋ ଚାଳକ। କିନ୍ତୁ କାଗଜପତ୍ରରେ ଉଭୟଙ୍କର ଦୁଇଟି କମ୍ପାନି ଅଛି ଓ ସେମାନଙ୍କର ମୋଟ୍ ସଂପତ୍ତି ପରିମାଣ ପ୍ରାୟ ୪୦/୫୦ କୋଟି। ଆଉଜଣେ ମହିଳା ମୁଢ଼ି, ପାମ୍ପଡ଼ ବିକ୍ରି କରି ପରିବାର ଭରଣପୋଷଣ କରନ୍ତି। ମାତ୍ର କାଗଜପତ୍ରରେ ସେ ବି ପ୍ରାୟ ୨୦ କୋଟିର ମାଲିକାଣୀ। ଆଉ ଜଣେ ବ୍ୟକ୍ତି ଜଣେ କାଠ ମିସ୍ତ୍ରୀ ପାଖରେ ସହାୟକଭାବେ କାମ କରନ୍ତି। କିନ୍ତୁ କାଗଜପତ୍ରରେ ତାଙ୍କର ବି କମ୍ପାନି ରହିଛି ଓ ସେ ପ୍ରାୟ ୨୨ କୋଟିର ମାଲିକ। ବାଲୁଘାଟ ନୂଆ ବସ୍ତିରେ ରହୁଥିବା ଏହି ଚାରି ଜଣଙ୍କ ନାଁରେ ଜାଲ୍ କମ୍ପାନି ମାଧ୍ୟମରେ ପ୍ରାୟ ୮୦/୯୦ କୋଟି ଟଙ୍କାର ବେପାର କରି ଜିଏସ୍‌ଟି ଆଇଟିସି ଅର୍ଥ ଠକି ନେଇଛନ୍ତି ଜିଏସ୍‌ଟି ଦଲାଲ। ଅପରପକ୍ଷରେ ଜିଏସ୍‌ଟି ଠକଙ୍କ ହାବୁଡ଼ରେ ପଡ଼ି ଏବେ ଏମାନେ ଅନିଶ୍ଚିତତା ଭିତରେ କାଳାତିପାତ କରୁଛନ୍ତି।

ବାଲୁଘାଟ ନୂଆ ବସ୍ତିରେ ସନ୍ତୋଷ ସାହୁ ପତ୍ନୀ କବିତା ସାହୁ ଓ ଦୁଇ ପୁଅ ଝିଅଙ୍କ ସହ ବାସ କରନ୍ତି। ମାସକୁ ୧୮ ଶହ ଟଙ୍କା ଦେଇ ଭଡ଼ା ଘରେ ରୁହନ୍ତି ଏମାନେ। ପେଶା କହିଲେ ଏନ୍.ଏଚ୍. ଡାକବଙ୍ଗଳା ପାଖରେ ଠେଲାରେ ଚା’ ବିକନ୍ତି। ତେବେ ଚା’ ଦୋକାନରୁ ଆବଶ୍ୟକ ପରିମାଣର ଆୟ ହେଉନଥିବାରୁ ସନ୍ତୋଷ ଭଡ଼ାରେ ଅଟୋ ଚଲାନ୍ତି। ଏମାନଙ୍କ ନିଃସହାୟତାକୁ ଦେଖି ଉକ୍ତ ବସ୍ତିରେ ରହୁଥିବା ଶଙ୍କର ପ୍ରଜାପତି ନାମକ ବ୍ୟକ୍ତି ଜରିଆରେ ଜଣେ ଦଲାଲ କାଗଜପତ୍ର ନେଇଯାଇଥିଲେ। ମାସିକ ୧୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ ସ୍ବାମୀ-ସ୍ତ୍ରୀ ସନ୍ତୋଷ-କବିତାଙ୍କୁ ନେଇ ରାୟପୁର ନେଇଯାଇଥିଲା ଦଲାଲ। ରାୟପୁରର ଏକ ବ୍ୟାଙ୍କରେ ଦୁଇଟି ପୃଥକ୍ ପୃଥକ୍ ଆକାଉଣ୍ଟ୍ ଖୋଲିବାପରେ ବ୍ୟାଙ୍କ୍ ପକ୍ଷରୁ ଉଭୟଙ୍କୁ ଚେକ୍ ବୁକ୍ ଦିଆଯାଇଥିଲା।

ତେବେ ଦଲାଲ ଚେକ୍ ବୁକ୍ ଦେବାକୁ କହିବାରୁ ସେମାନେ ମନା କରିଦେଇଥିଲେ। ମାତ୍ର ଜୀବନରୁ ମାରିଦେବାର ଧମକ ଦବୋରୁ ସେମାନେ ଚେକ୍ ବୁକ୍ ଦେଇଦେଇଥିଲେ। ଉକ୍ତ ଆକାଉଣ୍ଟ୍ ବଳରେ ଦଲାଲ ଦୁଇଟି ଜାଲ୍ କମ୍ପାନି, ଯଥା- କବିତା ଏଣ୍ଟରପ୍ରାଇଜେସ୍ ଓ ସନ୍ତୋଷ ଟ୍ରେଡର୍ସ୍ ଖୋଲି ପାଖାପାଖି ୪୦/୫୦ କୋଟି ଟଙ୍କାର ବେପାର କରି କୋଟି କୋଟି ଟଙ୍କାର ଜିଏସ୍‌ଟି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍(ଆଇଟିସି) ଠକି ନେଇଥିଲେ। ଏହି ଆଇଟିସି ଠକେଇ ବିଷୟରେ କିନ୍ତୁ ସାହୁ ଦଂପତ୍ତି ଜାଣିପାରିନଥିଲେ। ବେଶ୍ କିଛି ଦିନ ପୂର୍ବେ ଜିଏସ୍‌ଟି କର୍ତୃପକ୍ଷ ଏହି ଠକେଇ ବିଷୟରେ ଜାଣି ନୋଟିସ୍ ଦେବାରୁ ସାହୁ ଦଂପତ୍ତି ଏ ବିଷୟରେ ଅବଗତ ହୋଇଥିଲେ। ସମାନ ପଦ୍ଧତିରେ ଠକାମିର ଶିକାର ହୋଇଛନ୍ତି ଜଣେ କାଠ ମିସ୍ତ୍ରୀ ପାଖରେ ସହାୟକଭାବେ କାମ କରୁଥିବା ଅଜୟ କୁମାର ରାମ। ତାଙ୍କୁ ମଧ୍ୟ ରାୟପୁରକୁ ନେଇ ଜୋରଜବରଦସ୍ତ ଆକାଉଣ୍ଟ୍ ଖୋଲି ‘ୟୁନିକ୍ ଟ୍ରେଡର୍ସ୍ ନାଁରେ ଜାଲ୍ ଆକାଉଣ୍ଟ୍ ଖୋଲାଯାଇଛି। ଉକ୍ତ କମ୍ପାନି ନାଁରେ ପ୍ରାୟ ୨୨ କୋଟି ଟଙ୍କାର ବେପାର କରି ଜିଏସ୍ଟି ଆଇଟିସି ଅର୍ଥ ଠକି ନେଇଛନ୍ତି।

ଠିକ୍ ସେହିଭଳି ଉକ୍ତ ବାଲୁଘାଟ ନୂଆ ବସ୍ତିରେ ମୁଢ଼ି, ପାମ୍ପଡ଼ ତିଆରି ବିକ୍ରି କରୁଥିବା ଝୁନୁ ପ୍ରଧାନଙ୍କ ନାଁରେ ଉଦିତନଗର ବନ୍ଧନ ବ୍ୟାଙ୍କରେ ଏକ ଜାଲ୍ ଆକାଉଣ୍ଟ୍ ଖୋଲି ‘ତ୍ରିନାଥ ଟ୍ରେଡର୍ସ୍ ନାଁରେ ନକଲି କମ୍ପାନି ତିଆରି କରାଯାଇଛି। ୨୦୧୭ ଜୁଲାଇରୁ ୨୦୧୯ ଏପ୍ରିଲ ଭିତରେ ଉକ୍ତ ନକଲି କମ୍ପାନି ନାଁରେ ପ୍ରାୟ ୨୦ କୋଟି ଟଙ୍କାର ବେପାର କରି ଜିଏସ୍‌ଟି ଆଇଟିସି ଠକି ନେଇଛନ୍ତି।

ଉକ୍ତ ବସ୍ତିର ଶଙ୍କର ପ୍ରଜାପତି ନାମକ ଜଣେ ବ୍ୟକ୍ତି ଚାକିରି ଦେବା ଲୋଭ ଦେଖାଇ ଆବଶ୍ୟକୀୟ କାଗଜପତ୍ର ନେଇଥିବା ଅଭିଯୋଗ କରିଛନ୍ତି। କମ୍ପାନି କିମ୍ବା ଏହାର କାରବାର ମଧ୍ୟରେ ଜାଣିନଥିଲୁ। ଜିଏସ୍‌ଟି କର୍ତୃପକ୍ଷଙ୍କ ନୋଟିସ୍ ଆସିବାପରେ ଏହି ଠକେଇ ବିଷୟରେ ଅବଗତ ହେଲୁବୋଲି କହିଛନ୍ତି। ଅପରପକ୍ଷରେ କାଗଜପତ୍ର ନେଇଥିବା ଶଙ୍କର ପ୍ରଜାପତି ନିଜକୁ ନିର୍ଦ୍ଦୋଷ ଅବିହିତ କରିଛନ୍ତି। ସେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ତୁଳସୀ ବେହେରା ନାମ୍ନୀ ଜଣେ ମହିଳାଙ୍କୁ କାଗଜପତ୍ର ଦେଇଥିଲେ। ଉକ୍ତ ଡକ୍ୟୁମେଣ୍ଟ ତୁଳସୀ ସେକ୍ଟର ଅଞ୍ଚଳର ସନ୍ଦୀପ ମହାନ୍ତିଙ୍କୁ ଦେଇଥିଲେ। ତେବେ ଏହି କାଗଜପତ୍ରରେ ସନ୍ଦୀପ ଜାଲ କମ୍ପାନି ତିଆରି ଅର୍ଥ ହଡ଼ପ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର