ମାଓ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ୯ଶହ କୋଟି ଖର୍ଚ୍ଚ ପ୍ରସ୍ତାବ

ଭୁବନେଶ୍ବର : ଓଡ଼ିଶା ମାଓ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାରେ ୯ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଏହି ଟଙ୍କା ବ୍ୟୟରେ ୯୯ଟି ସଡ଼କ ଓ ୨ଟି ସେତୁ ନିର୍ମାଣ ପାଇଁ ଯୋଜନା ହୋଇଥିବା ନେଇ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ଏହି ରାସ୍ତା ଓ ସେତୁର ସମ୍ପୂର୍ଣ୍ଣ ବିବରଣୀ ସହ ଚିଠି ଲେଖିଛନ୍ତି। ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଦେଓଗଡ଼, ସମ୍ବଲପୁର ଓ ବୌଦ୍ଧ ଭଳି ୧୨ଟି ମାଓ ଉପଦ୍ରୁତ ଜିଲ୍ଲାରେ ୯୭ଟି ନୂଆ ସଡ଼କ ପାଇଁ ପ୍ରସ୍ତାବ ରହିଛି। ମାଲକାନାଗିରି ଜିଲ୍ଲାରେ ୧୨ଟି ପ୍ରକଳ୍ପରେ ୧୮୦ କୋଟି ବ୍ୟୟ ଅଟକଳ କରାଯାଇ ଥିବା ବେଳେ କୋରାପୁଟ ଜିଲ୍ଲାରେ ୧୫ଟି ପ୍ରକଳ୍ପରେ ୬୪ କୋଟି ବ୍ୟୟ ଅଟକଳ କରାଯାଇଛି। ଅନ୍ୟ ୧୦ଟି ମାଓ ପ୍ରଭାବିତ ଜିଲ୍ଲାରେ ୭୨ଟି ପ୍ରକଳ୍ପ ପାଇଁ ୬୭୮ କୋଟି ବ୍ୟୟ ଅଟକଳ କରାଯାଇଛି। ଏଥିରେ ୫୯୪ କିମି ଲମ୍ବାର ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ରାୟଗଡ଼ା ଜିଲ୍ଲାରେ ୭ଟି, କଳାହାଣ୍ଡିରେ ୧୦ଟି, କନ୍ଧମାଳରେ ୯ଟି, ନୂଆପଡ଼ାରେ ୬ଟି, ବଲାଙ୍ଗୀରରେ ୧୧ଟି, ବରଗଡ଼ରେ ୪ଟି, ବୌଦ୍ଧରେ ୪ଟି, ଦେଓଗଡ଼, ସମ୍ବଲପୁର ଓ ନବରଙ୍ଗପୁରରେ ୭ଟି ଲେଖାଏଁ ପ୍ରକଳ୍ପ ରହିଛି। ଏହି ପ୍ରସ୍ତାବକୁ ନେଇ ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଥିବା ବେଳେ ନିକଟ ଅତୀତରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ସମୀକ୍ଷା କରିଛନ୍ତି। ଏହି ସବୁ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପାଇଲେ ମାଓ ଅଞ୍ଚଳର ଅନେକ ଅଗମ୍ୟ ସ୍ଥାନକୁ ସବୁଦିନିଆ ପିଚୁ ରାସ୍ତା‌ ହେବା ସହ ସମ୍ପୃକ୍ତ ଅଞ୍ଚଳର ସାମାଜିକ ଓ ଆର୍ଥିକ ଚିତ୍ର ବଦଳିଯିବ ବୋଲି କୁହାଯାଉଛି। ମାଲାକାନାଗିରର ଅଗମ୍ୟ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ଜରିଆରେ ରାଜ୍ୟସରକାର କରିଥିବା ସଂଯୋଗୀକରଣକୁ କେନ୍ଦ୍ର ସରକାର ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କର ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଗୁରୁତ୍ବାରୋପ କରିଛି। ଏଣୁ ପ୍ରସ୍ତାବ ଖୁବ୍‌ଶୀଘ୍ର ମଞ୍ଜୁରୀ ପାଇବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର