ରାୟଗଡ଼ା: ଜିଲ୍ଲାରେ ଡିଏମଏଫ ଟଙ୍କା ପାଣି ପରି ଖର୍ଚ୍ଚ କରାଯାଇଛି। କିନ୍ତୁ ଲୋକେ ଉପକୃତ ହୋଇପାରୁନାହାନ୍ତି। ଜିଲ୍ଲାପାଳଙ୍କ ବିନା ନିର୍ଦେଶରେ ଡିଏମଏଫ ଟଙ୍କା ଖର୍ଚ୍ଚ ହୋଇପାରିବ ନାହିଁ। ତେବେ କାଶୀପୁର ଏବଂ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସେକ୍ଟରରେ ଏହି ଟଂକା ଖର୍ଚ୍ଚ କରାଯାଉଛି ବୋଲି କେବଳ କାଗଜ କଲମରେ ରିପୋର୍ଟ ଦେଖିବାକୁ ମିଳେ। ଅସଲ ଚିତ୍ର କିନ୍ତୁ ଭିନ୍ନ।କାଶୀପୁର ବ୍ଲକରେ ଯେତିକି ଡିଏମଏଫ ଟଂକା ଖର୍ଚ୍ଚ ହୋଇଛି। ସେତିକି ଟଙ୍କାରେ ଭଲ ରାସ୍ତା, ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ, ସ୍ବାସ୍ଥ୍ୟ ସେବା ଇତ୍ୟାଦି ଯୋଗାଇ ଦିଆଯାଇପାରିଥାନ୍ତା। କିନ୍ତୁ ଆଜି ବି ଏହି ବ୍ଲକର ୮୧ଟି ଗ୍ରାମରେର ପାଣିର ସୁବିଧା ନାହିଁ କି ଚାଲିବା ପାଇଁ ପକ୍କା ରାସ୍ତାଟିଏ ନାହିଁ।
ଡିଏମଏଫ ଟଙ୍କାକୁ କିପରି ଖର୍ଚ୍ଚ କରାଯାଉଛି ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ବ୍ଲକର କେରଡା ପଞ୍ଚାୟତର ଅନିଜା ଗାଁରେ। ଅନିଜା ଗାଁ ଠାରୁ ଶେଷ ମୁଣ୍ଡରେ ରହିଥିବା ଏକ ଘରୋଇ ରିସୋର୍ଟ ପର୍ଯ୍ୟନ୍ତ ଏକ ବିଟି ରାସ୍ତା ନିର୍ମାଣ କରାଯାଇଛି। ଏହି ରାସ୍ତା ପାଇଁ ଡିଏମଏଫ ଟଂକା ବ୍ୟବହୃତ ହୋଇଛି। ଏହି ରାସ୍ତା ପାଇଁ ୯୧ ଲକ୍ଷ ୪୪ ହଜାର ୧୫୭ ଟଂକା ଖର୍ଚ୍ଚ କରାଯାଇଛି। ଗତ ୨୦୨୩ ମସିହା ଅକ୍ଟୋବର ୨୦ ତାରିଖରେ କାମ ଆରମ୍ଭ ହୋଇ ଚଳିତ ମାସ ଫେବ୍ରୁଆରି ୧୯ ତାରିଖରେ ସମାପ୍ତ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦେଶରେ ଏହି କାମ ହୋଇଛି।
ପ୍ରକାଶ ଥାଉକି ଅନିଜା ଗାଁ ଏବଂ ଆନ୍ଧ୍ରପ୍ରଦେଶ ମଝିରେ ନାଗାବଳୀ ନଦୀ ପ୍ରବାହିତ ହେଉଛି। ଅନିଜା ଗାଁର ଶେଷ ମୁଣ୍ଡରେ ନାଗାବଳୀ ନଦୀ କୂଳେ ଆନ୍ଧ୍ରପ୍ରଦେଶର ଜନୈକ ବ୍ୟକ୍ତି ଏକ ରିସୋର୍ଟ ତିଆରି କରିଛନ୍ତି। ରିସୋର୍ଟକୁ ଯିବାକୁ ରାସ୍ତା ନଥିଲା। କିନ୍ତୁ ରିସୋର୍ଟକୁ ଯିବାକୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଇଟିଡିଏ ତରଫରୁ ଏହି ରାସ୍ତାକୁ ଡିଏମଏଫ ଟଂକା ଖର୍ଚ୍ଚ କରାଯାଇ ନିର୍ମାଣ କରାଗଲା। ଜିଲ୍ଲା ପ୍ରଶାସନର ରିସୋର୍ଟ ପ୍ରତି ଗଭୀର ଅନୁକମ୍ପା ଜଳ ଜଳ ଦିଶୁଛି। କାରମ ଏହି ରାସ୍ତା କୌଣସି ଗାଁ କିମ୍ବା ସାହିକୁ ସଂଯୋଗ କରୁନାହିଁ। ରାସ୍ତାଟି ସିଧା ରିସୋର୍ଟକୁ ଯାଇଛି, ଯେଉଁଥିପାଇଁ ସରକାରୀ ଟଂକା ଖର୍ଚ୍ଚ କରାଯାଇଛି।
ତେବେ ଏହି ରାସ୍ତା କାହା ସ୍ବାର୍ଥରେ ତିଆରି ହୋଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେରଡା ପଞ୍ଚାୟତର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନଥିବା ବେଳେ ଏହି ଟଂକାକୁ ସେହି ଗାଁଗୁଡିକକୁ ସଂଯୋଗ କରାଯାଇପାରିଥାନ୍ତା ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏନେଇ ଆଇଟିଡିଏର ପିଏ ଦିଲୀପ ବେହେରାଙ୍କୁ ପଚାରିବାରୁ ସେ ଏହି ରାସ୍ତା ଡିଏମଏଫ ଟଂକାରୁ ତିଆରି ହୋଇଥିବା ସ୍ବୀକାର କରିବା ସହ ଜିଲ୍ଲାପାଳଙ୍କ ନିର୍ଦେଶରେ ତିଆରି ହୋଇଥିବା କହିଥିଲେ। ଅନ୍ୟଦିଗରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ରାସ୍ତା ସଂପର୍କରେ ଜାଣିଛନ୍ତି। କିନ୍ତୁ ସେ ରାସ୍ତା କେଉଁଠାକୁ ଯାଉଛି ଦେଖିନଥିବା କହିଥିଲେ। ଡିଏମଏଫ ଟଂକା ଏଭଳି ଯଦି କିଛି ବ୍ୟକ୍ତିଙ୍କ ସ୍ବାର୍ଥରେ ଖର୍ଚ୍ଚ ହେଉଛି। ପୂର୍ବରୁ ଖର୍ଚ୍ଚ ହୋଇଥିବା ଡିଏମଏଫ ଟଂକା କେଉଁ ଜାଗାରେ ଏବଂ କିପରି ଖର୍ଚ୍ଚ ହୋଇଥିବା ସହଜରେ ଅନୁମେୟ।