୯୮୨୯ କୋଟିର ଅତିରିକ୍ତ ବଜେଟ୍‌

ମିଳିଲା ମନ୍ତ୍ରୀ ପରିଷଦର ଅନୁମୋଦନ, ୩୦ରେ ବିଧାନସଭାରେ ଉପସ୍ଥାପନ ହେବ

ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌କୁ ଆଜି ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିଛି। ଏଥର ଅତିରିକ୍ତ ବଜେଟ୍‌ରେ ୯୮୨୯ କୋଟି ଟଙ୍କା ବରାଦ ହୋଇଛି। ଆସନ୍ତା ୩୦ ତାରିଖରେ ବିଧାନସଭାରେ ଏହା ଉପସ୍ଥାପନ ହେବ।

ଗତ ଆର୍ଥିକ ବର୍ଷ ଅତିରିକ୍ତ ବଜେଟ୍‌ର ପରିମାଣ ଥିଲା ୫୯୮୩ କୋଟି ଟଙ୍କା। ଏଥର ଏହି ପରିମାଣ ଢ଼େର୍‌ ଅଧିକ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଆୟୋଜିତ ମନ୍ତ୍ରୀ ପରିଷଦ ବୈଠକରେ ଏହାକୁ ଅନୁମୋଦନ ଦିଆଯାଇଛି। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବିଭିନ୍ନ ବିଭାଗ ପକ୍ଷରୁ ବହୁ ପ୍ରସ୍ତାବ ଅର୍ଥ ବିଭାଗକୁ ଦିଆଯାଇଥିଲା। କିନ୍ତୁ ଅତିରିକ୍ତ ବଜେଟ୍‌ରେ କୃଷି, ଜଳସମ୍ପଦ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଆଦି କେତୋଟି ହାତଗଣତି ବିଭାଗକୁ ଛାଡ଼ି ଦେଲେ ଅନ୍ୟ ବିଭାଗ ପାଇଁ ବିଶେଷ କିଛି ରଖାଯାଇ ନାହିଁ। ଜଳସମ୍ପଦ ବିଭାଗକୁ ସର୍ବାଧିକ ଅର୍ଥ ବରାଦ ହୋଇଥିବା ସୂଚନା ମିଳିଛି। ସେହିପରି ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଜେଟ୍‌ରେ ଗଣଶିକ୍ଷା ବିଭାଗକୁ ଅର୍ଥ ବରାଦ କରାଯାଇଥିବା ଜଣାପଡ଼ିଛି।

୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ସରକାର ୧.୬ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ମୂଳ ବଜେଟ୍‌ରେ ସରକାର ବିଭିନ୍ନ ବିଭାଗକୁ ଯଥେଷ୍ଟ ଅର୍ଥ ବରାଦ କରିଥିଲେ। କିନ୍ତୁ ଅଧିକାଂଶ ବିଭାଗର ଖର୍ଚ୍ଚ ଆଶାନୁରୂପ ହୋଇ ନାହିଁ। ତେଣୁ ସମୟସୀମା ମଧ୍ୟରେ ବଜେଟ୍‌ ଅର୍ଥ ଖର୍ଚ୍ଚ କରିବାକୁ ଅର୍ଥ ବିଭାଗ ଗୁରୁତ୍ୱାରୋପ କରିଛି।

ମିଡିଆରେ ମୁହଁ ଖୋଲି ଅଡ଼ୁଆରେ ଅର୍ଥ ମନ୍ତ୍ରୀ

୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ର ରୂପରେଖ ସମ୍ପର୍କରେ ଆଜି ଗଣମାଧ୍ୟମକୁ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଥିଲେ। ବଜେଟ୍‌କୁ ସମ୍ପୂର୍ଣ୍ଣ ଗୋପନୀୟ ରଖିବାର ବିଧି ଥିବାରୁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ଅଡ଼ୁଆରେ ପଡ଼ିଯାଇଛନ୍ତି ଅର୍ଥ ମନ୍ତ୍ରୀ। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ସେ କହିଛନ୍ତି, ବିଧାନସଭାରେ ବଜେଟ୍‌ ଉପସ୍ଥାପନ ହୋଇ ଗୃହୀତ ହେବା ପୂର୍ବରୁ ଏହାର ସମ୍ପୂର୍ଣ୍ଣ ଗୋପନୀୟତା ରଖିବା ହେଲା ବିଧି। ମାତ୍ର ଯେଉଁ ପରି ଭାବେ ଅବାନ୍ତର ଆଚରଣ ଦେଖାଇ ଅର୍ଥ ମନ୍ତ୍ରୀ ଅତିରିକ୍ତ ବଜେଟ୍‌ର ରୂପରେଖ ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଛନ୍ତି, ତାହା ବିଧାନସଭାର ପ୍ରତିଷ୍ଠା ଉପରେ ଆଞ୍ଚ୍‌ ଆଣିଛି। ତେଣୁ ଅର୍ଥ ମନ୍ତ୍ରୀଙ୍କ ଏପରି କାର୍ଯ୍ୟଶୈଳୀକୁ ବିରୋଧ କରି ଆଗାମୀ ବିଧାନସଭା ଅଧିବେଶନରେ ତାଙ୍କ ବିରୋଧରେ ବିଜେପି ସ୍ୱାଧୀକାର ଭଙ୍ଗ ଅଭିଯୋଗ ଅଣାଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ସମ୍ବନ୍ଧିତ ଖବର