ବିଜେଡି ସାଂସଦ ସସ୍ମିତ୍‌ ପାତ୍ରଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରଶଂସା : ‘ଉତ୍ତମ କହୁଛି, ଧନ୍ୟବାଦ୍‌ ଆପ୍‌କୋ’: ଭେଙ୍କୟା ନାଇଡ଼ୁ

ଭୁବନେଶ୍ବର : ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ୍‌ ପାତ୍ରଙ୍କୁ ଓଡ଼ିଆ ଓ ହିନ୍ଦି ଭାଷାରେ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କୟା ନାଇଡ଼ୁ। ଶୂନ୍ୟକାଳରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଡଃ ପାତ୍ର ଗୃହରେ ପ୍ରସଙ୍ଗ ଉତ୍‌ଥାପନ କରି କହିଥିଲେ ଏ ନେଇ ଗଠିତ ଟ୍ରିବ୍ୟୁନାଲରେ ଓଡ଼ିଶାକୁ ନ୍ୟାୟ ମିଳିବାରେ ବିଳମ୍ବ ଘଟୁଛି। ଏହାସହିତ ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନିଗିର ଜିଲ୍ଲାର କିପରି ୬ ହଜାର ଆଦିବାସୀ ପ୍ରଭାବିତ ହେବେ ସେ ନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଦାବି କରିଥିଲେ। ଡଃ ପାତ୍ର କହିସାରିବା ପରେ ସାଂସଦମାନଙ୍କୁ ଲକ୍ଷ୍ୟ କରି ଶ୍ରୀ ନାଇଡ଼ୁ କହିଥିଲେ, ଡଃ ପାତ୍ର ‘ଉତ୍ତମ କହୁଛି, ଧନ୍ୟବାଦ୍‌ ଆପ୍‌କୋ’। ଅଧ୍ୟକ୍ଷ ପ୍ରଶଂସା କରିଥିବା ସ୍ଲିପ୍‌ରେ ମଧ୍ୟ ଡଃ ପାତ୍ରଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ। ରାଜ୍ୟସଭାରେ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ଦୃଢ଼ ଦାବି ଓ ସରକାରୀ ବିଲ ଆଲୋଚନାରେ ଭାଗ ନେଇ ସୁଚିନ୍ତିତ ମତାମତ ଦେଇଥିବାରୁ ଗତ ୬ ମାସ ମଧ୍ୟରେ ଶ୍ରୀ ନାଇଡ଼ୁ ଏହାକୁ ମିଶାଇ ୩ ଥର ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର