ବରଗଡ଼: କୋଭିଡ-୧୯ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲାର ଜଣେ ସରପଂଚଙ୍କୁ ମହଙ୍ଗା ପଡ଼ିଛି। ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡା ପଂଚାୟତର ସରପଂଚ ମାଳବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜିରମାନା ଆଦେଶ ହୋଇଛି। ଗାଇସିଲଟ ବିଡିଓ ନିରଂଜନ ସା ଜରିମାନା ଟଙ୍କା ଆଗାମୀ ୩ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ଗତକାଲି ସରପଂଚ ମାଳବ ସାହୁ ପ୍ରାୟ ଦେଢ଼ ଶହ ଲୋକଙ୍କୁ ନେଇ ପଂଚାୟତ ସମିତି କାର୍ଯ୍ୟାଳୟ ଘେରାଉ କରିବାକୁ ଯାଇଥିଲେ ବୋଲି ବ୍ଲକ କାର୍ଯ୍ୟାଳୟର ସିସିଟିଭ ଫୁଟେଜରୁ ଜଣାପଡ଼ିଛି। ନିର୍ଦ୍ଦେଶ ପତ୍ରରେ ଗାଇସିଲେଟ ବିଡିଓ ନିରଂଜନ ସା କହିଛନ୍ତି, ମୁଁ ଯେତେବେଳେ ଫିଲ୍ଡ ପରିଦର୍ଶନରେ ଯାଇଥିଲି, ସେହି ସମୟରେ ସରପଂଚ ନିଜର ପଂଚାୟତର ପ୍ରାୟ ୧୫୦ ଜଣ ଲୋକଙ୍କୁ ଠୁଳ କରିବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ବିନା ଅନୁମତିରେ ମାତ୍ରାଧିକ ଲୋକଙ୍କୁ ଠୁଳ କରିବା କୋଭିଡ-୧୯ର ଉଲ୍ଲଂଘନ। ତେଣୁ ସରପଂଚଙ୍କୁ ଲକ୍ଷେ ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅର୍ଥରାଶି ୩ ଦିନ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରରେ ପୈଠ ନ ହେଲେ, କୋଭିଡ-୧୯ ନିୟମ ଅନୁସାରେ ସରପଂଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ନିର୍ଦ୍ଦେଶ ପତ୍ରରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, କୋଭିଡ-୧୯ କାଳରେ ରାଜ୍ୟ ସରକାର ସରପଂଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି। କିନ୍ତୁ କିଛି ସରପଂଚ ନିଜର କର୍ତ୍ତବ୍ୟକୁ ଭୁଲିଯାଇ କ୍ଷମତାର ଅପବ୍ୟବହାର କରିଥିବାରୁ ସମାଲୋଚନାର ଶିକାର ହେଉଛନ୍ତି।
/sambad/media/post_attachments/wp-content/uploads/2020/09/BGH-760x1024.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/29.jpg)