ବାଣପୁର : ସୋମବାର ଅପରାହ୍ଣରେ ବାଣପୁର ନନ୍ଦପୁର ଶକ୍ତି ସିନେମା ହଲ୍ ନିକଟରେ ଜଣେ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ୨ ଲୁଟେରା ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେବା ପରେ ଏକ ପଲ୍ସର ଗାଡ଼ିରେ ଫେରାର୍ ହୋଇଯାଇଛନ୍ତି। ବାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନା ଅନୁସାରେ, ବାଣପୁର ବିଦ୍ୟୁତ୍ ବିଭାଗ ଟିପିସିଓଡିଏଲ୍ରୁ ଫ୍ରାନ୍ଚାଇଜ୍ ନେଇ ଇମ୍ପେରିଆଲ୍ ସଂସ୍ଥା ବିଦ୍ୟୁତ୍ ବିଲ୍ ଆଦାୟ କରୁଛି। ଇମ୍ପେରିଆଲ୍ରେ ସୁପରଭାଇଜର୍ ଭାବେ କାମ କରୁଥିବା ସଞ୍ଜୟ କୁମାର ପ୍ରଧାନ ବିଦ୍ୟୁତ୍ ବିଲ୍ କଲେକ୍ସନ ବାବଦକୁ ଆଦାୟ ହୋଇଥିବା ୭ ଲକ୍ଷ ଟଙ୍କାକୁ ଡିପୋଜିଟ୍ କରିବା ପାଇଁ ବାଲୁଗାଁ ଟାଟା ପାୱାର ଅଫିସ୍କୁ ଯାଉଥିଲେ। ସେ ନିଜ ବୁଲେଟ୍ରେ ଯାଉଥିବା ବେଳେ ଦିନ ୧୨ଟା ୪୫ ମିନିଟ୍ ସମୟରେ ନନ୍ଦପୁର ଶକ୍ତି ସିନେମା ହଲ୍ ନିକଟସ୍ଥ ହମ୍ପ୍ସ ପାଖରେ ଏକ ପଲ୍ସର ଗାଡ଼ିରେ ଦୁଇ ଜଣ ବାଣପୁରୁ ପଟୁ ଆସି ତାଙ୍କୁ ଅଟକାଇଥିଲେ। ଜଣେ ଡକାୟତ ଏକ ବନ୍ଧୁକ ତାଙ୍କ ଅଣ୍ଟାରେ ଲଗାଇ ଟଙ୍କା ଥିବା ବ୍ୟାଗ୍କୁ ଛଡାଇ ନେଇଥିଲେ। ବ୍ୟାଗ୍ ଭିତରୁ ୬ ଲକ୍ଷ ଟଙ୍କା ନେବା ପରେ ବ୍ୟାଗ୍, ଶ୍ରୀ ପ୍ରଧାନଙ୍କ ବୁଲେଟ୍ ଚାବି ଓ ମୋବାଇଲ୍ ଫୋନ୍କୁ ଏକ ବୁଦା ଭିତରକୁ ଫିଙ୍ଗି ଦେଇ ଦୁଇ ଲୁଟେରା ବାଣପୁର ଆଡ଼କୁ ପଳାଇ ଯାଇଥିଲେ। ତେବେ ତରବରରେ ଲୁଟେରାମାନେ ବ୍ୟାଗ୍ ଭିତରେ ଥିବା ଲକ୍ଷେ ଟଙ୍କା ଜାଣି ନପାରି ଫୋପାଡ଼ି ଚାଲି ଯାଇଥିଲେ। ଲୁଟେରାମାନେ ହେଲ୍ମେଟ୍ ପିନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇପାରିନାହିଁ।
ଲୁଟେରାମାନେ ଯିବା ପରେ ସଞ୍ଜୟ ଦୌଡ଼ି ଯାଇ ନିକଟସ୍ଥ ସର୍ଭସ୍ ସେଣ୍ଟର୍ରେ ଥିବା ଲୋକଙ୍କୁ ଜଣାଇ ଥିଲେ। ସେମାନଙ୍କ ସାହାର୍ଯ୍ୟରେ ଗାଡ଼ି ଚାବି ଓ ମୋବାଇଲ୍ ଫୋନ୍କୁ ବୁଦା ଭିତରୁ ଉଦ୍ଧାର କରି ଥାନାରେ ଅଭିଯୋଗ କରିଥିଲେ। ବାଣପୁର ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।