ଭୁବନେଶ୍ବର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ୍‌ ଟେକ୍‌ନୋଲେଜି (ଭିଏସ୍‌ଏସ୍‌ୟୁଟି)ର ଉନ୍ନତୀକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଭିଏସ୍‌ଏସ୍‌ୟୁଟିର ଭିତ୍ତିଭୂମିର ବିକାଶ ଠାରୁ ଆରମ୍ଭ କରି ଅଧିକ ବିଭାଗ ଖୋଲିବାକୁ ଯୋଜନା ହୋଇଛି। ଏଠାରେ ଆଗାମୀ ୫ବର୍ଷରେ ତିନିଟି ପର୍ଯ୍ୟାୟରେ ୨ହଜାର କୋଟି ଖର୍ଚ୍ଚ କରାଯିବ। ୨୦୨୬ ସୁଦ୍ଧା ଏଠାରେ ୨୪ଟି ସ୍ନାତକ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏହାସହ ୨୦୩୦ ସୁଦ୍ଧା ଭିଏସ୍‌ଏସ୍‌ୟୁଟିକୁ ବହୁ ବିଭାଗୀୟ ଇଞ୍ଜିନିୟରିଂ ଏବଂ ଗବେଷଣା ବିଶ୍ବବିଦ୍ୟାଳୟ ଭାବେ ବିକଶିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

Advertisment

ଏହି ମାଷ୍ଟରପ୍ଲାନ ଅନୁଯାୟୀ ଭିଏସ୍‌ଏସ୍‌ୟୁଟିକୁ ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି, ଏନ୍‌ଆଇଟି ପରି ସଂସ୍ଥାଗୁଡ଼ିକ ସହ ସମକକ୍ଷ କରାଯିବ। ଏଥିରେ ସ୍କୁଲ ଅଫ୍‌ ଇଞ୍ଜିନିୟରିଂ, ଦକ୍ଷତା ବିକାଶ କେନ୍ଦ୍ର, ସ୍କୁଲ ଅଫ୍ ମେଡିକାଲ୍‌ ଟେକ୍ନୋଲୋଜି ଏବଂ ସ୍କୁଲ ଅଫ୍ ବେସିକ୍ ସାଇନ୍ସ ପରି ୭ଟି ସ୍କୁଲ ରହିବ। ଏଠାରେ ୧୦,୮୬୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ୨୮୪୯ ଛାତ୍ରଛାତ୍ରୀ ବିଭିନ୍ନ ପାଠ୍ୟକ୍ରମରେ ପାଠ ପଢୁଛନ୍ତି। ଏଥିରେ ୭ଟି ସ୍କୁଲରେ ୨୪ଟି ଇଞ୍ଜିନିୟରିଂ ପ୍ରୋଗ୍ରାମ, ୧୪ରୁ ଅଧିକ ବିଭାଗ ଓ ୨୭ରୁ ଅଧିକ ଉତ୍କର୍ଷ କେନ୍ଦ୍ର ଗଠନ କରାଯିବ। ପ୍ରତ୍ୟେକ ସ୍କୁଲରେ ଶ୍ରେଣୀ ଗୃହ, ଲାବୋରେଟୋରି, ପ୍ରଫେସରଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠଓ ଗ୍ୟାଲେରି ରହିବ। ସମସ୍ତ ସ୍କୁଲରେ ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଓ ଲାବୋରେଟୋରି ସୁବିଧା ଉପଲବ୍ଧ ହେବ। ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ସହିତ ଶିଳ୍ପାନୁଷ୍ଠାନଗୁଡ଼ିକର ସହଭାଗିତା କରାଯିବ ଏବଂ ଏଥିରେ ଅତି କମ୍‌ରେ ଜଣେ ପୂର୍ବତନ ଛାତ୍ର ମେଣ୍ଟର ଭାବରେ ଦାୟିତ୍ବ ଗ୍ରହଣ କରିବେ। ଏହାଦ୍ବାରା ପ୍ରତ୍ୟେକ ଉତ୍କର୍ଷ କେନ୍ଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ଅତ୍ୟାଧୁନିକ ଗବେଷଣା ଓ ପରାମର୍ଶ କେନ୍ଦ୍ର ଭାବେ କାର୍ଯ୍ୟ କରିପାରିବ। ଗ୍ରାମ୍ୟ ଓ ସହରାଞ୍ଚଳର ଉନ୍ନତୀକରଣ ପାଇଁ ଏକ ନୋଡାଲ ସେଣ୍ଟର ଭାବରେ ମଧ୍ୟ କାର୍ଯ୍ୟ କରିବ।

୨୦୨୬ ସୁଦ୍ଧା ୧୦ହଜାରରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ
୫-ଟିରେ ହେବ ରୂପାନ୍ତରଣ, ୨୭ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଗଠନ କରାଯିବ
୨୦୩୦ ସୁଦ୍ଧା ହେବ ବହୁ ବିଭାଗୀୟ ଇଞ୍ଜିନୟରିଂ ଏବଂ ଗବେଷଣା ବିଶ୍ବବିଦ୍ୟାଳୟ

ଏନେଇ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଆସନ୍ତା ତିନି ମାସ ମଧ୍ୟରେ ସମସ୍ତ ସ୍ମାର୍ଟ କ୍ଲାସ ରୁମ୍‌ ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହଷ୍ଟେଲ ଓ ଅନ୍ୟାନ୍ୟ ସାଧାରଣ ମରାମତି କାମକୁ ତୁରନ୍ତ ଶେଷ କରାଯିବ ଏବଂ ଅନୁଷ୍ଠାନକୁ ୨୪ ଘଣ୍ଟିଆ ବିଦ୍ୟୁତ ବ୍ୟବସ୍ଥାର ସୁବିଧା ଯୋଗାଯିବ। ମୁଖ୍ୟମନ୍ତ୍ରୀ ମଧ୍ୟ ବିଶ୍ବବିଦ୍ୟାଳୟର କୁଳପତି ଓ ପ୍ରଫେସରମାନଙ୍କ ସହ ଅଲୋଚନା କରିଥିଲେ। ସେମାନେ ସମସ୍ତେ ଏହି ରୂପାନ୍ତର କାର୍ଯ୍ୟର ଉଚ୍ଚପ୍ରଶଂସା କରିବା ସହିତ ଏଥିପାଇଁ ପ୍ରତିବଦ୍ଧତା ସହ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାବେଳେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦକ୍ଷତା ବିକାଶ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏହି ମାଷ୍ଟରପ୍ଲାନ୍‌ ଉପସ୍ଥାପନ କରିଥିଲେ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ୨୫ରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ବୁର୍ଲା ଗସ୍ତ କରି ଭିଏସ୍‌ଏସ୍‌ୟୁଟି ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ।