ଓଆର୍‌ଏଚ୍‌ଡିସିରୁ ଦେଢ଼ କୋଟି ହଡ଼ପ: ମୋକିମଙ୍କ ସମେତ ୪ଜଣଙ୍କୁ ୩ ବର୍ଷ ଜେଲ

ପୂର୍ବତନ ଆଇଏଏସ୍‌ ବିନୋଦ କୁମାର ବି ଦୋଷୀ, ଦଣ୍ଡାଦେଶ ପରେ ୪ ଅଭିଯୁକ୍ତଙ୍କୁ ଜାମିନ୍

ଭୁବନେଶ୍ବର : ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ଋଣ ହଡ଼ପ ମାମଲାର ଶୁଣାଣି କରି ଗୁରୁବାର ଦିନ ଭିଜିଲାନ୍ସ କୋର୍ଟ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ, ପୂର୍ବତନ ଆଇଏଏସ୍ ତଥା ଓଆର୍‌ଏଚ୍‌ଡିସିର ତତ୍କାଳୀନ ଏମ୍‌ଡି ବିନୋଦ କୁମାର, କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର, କଟକ-ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷ ମହାନ୍ତି। ସମସ୍ତଙ୍କୁ ୩ବର୍ଷ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଜରିମାନା ରାଶି ଅନାଦେୟ ହେଲେ ୬ମାସ ଅଧିକ କାରାଦଣ୍ଡ ଭୋଗିବାକୁ ରାୟରେ ନିର୍ଦ୍ଦେଶ ରହିଛି। ୧୭ଜଣ ସାକ୍ଷ୍ୟ ଓ ତଥ୍ୟ ପ୍ରମାଣକୁ ଆଧାର କରି ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ରାୟ ଦେଇଛନ୍ତି। ୨୨ବର୍ଷ ତଳେ ଘଟିଥିବା ଏହି ଦୁର୍ନୀତି ମାମଲାର ରାୟ ପଦାକୁ ଆସିବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅପରପକ୍ଷେ ଏହି ମାମଲାର ରାୟ ପ୍ରକାଶ ପାଉ ପାଉ ବିଧାୟକ ମୋକିମ୍‌ଙ୍କ ସମେତ ଆଇଏଏସ୍‌ ବିନୋଦ କୁମାର, ପିୟୁଷ ମହାନ୍ତି ଓ ସ୍ବସ୍ତିରଂଜନ ମହାପାତ୍ରଙ୍କୁ ଭୁବନେଶ୍ବର ଭିଜିଲାନ୍ସ କୋର୍ଟରୁ ଜାମିନ୍‌ ମିଳି ଯାଇଛି।

ଭିଜିଲାନ୍ସ ପକ୍ଷରୁ ମାମଲା ପରିଚାଳନା କରୁଥିବା ସ୍ବତନ୍ତ୍ର ପିପି ହେମନ୍ତ କୁମାର ସ୍ବାଇଁଙ୍କ ସୂଚନା ମୁତାବକ, ଜାନୁଆରି ୨୦୦୦ରେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ନୂଆପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରକଳ୍ପ କରିବା ପାଇଁ ଓଆର୍‌ଏଚ୍‌ଡିସିରେ ଋଣ ଆବେଦନ କରିଥିଲା। ପ୍ରାୟ ୫୦ଟି ଫ୍ଲାଟ୍ ତିଆରି ପାଇଁ ଓଆର୍‌ଏଚ୍‌ଡିସି ମେଟ୍ରୋ ବିଲଡର୍ସକୁ ଦେଢ଼ କୋଟି ଟଙ୍କା ଦେଇଥିଲା। ଜୁଲାଇ ୭ ତାରିଖରେ ପ୍ରଥମ ପର୍ଯ୍ୟାୟରେ କୋଟିଏ ଟଙ୍କା ଋଣ ଦିଆଯାଇଥିବା ବେଳେ ଅଗଷ୍ଟ ୨୪ରେ ୩୦ ଲକ୍ଷ ଓ ଅଗଷ୍ଟ ୨୮ରେ ୨୦ଲକ୍ଷ; ଏହିଭଳି ମୋଟ ୩ଟି ପର୍ଯ୍ୟାୟରେ ଦେଢ଼କୋଟି ଟଙ୍କା ଦିଆଯାଇଥିଲା। ଆଇଏଏସ୍‌ ବିନୋଦ କୁମାର ସେତେବେଳେ ନିଗମର ଏମ୍‌ଡି ଥିବାରୁ ତାଙ୍କ ନିର୍ଦ୍ଦେଶକ୍ରମେ ଏହି ଋଣ ଅନୁମୋଦନ କରାଯାଇଥିଲା। ମେଟ୍ରୋ ବିଲଡର୍ସ ଲୋନ୍ ଆବେଦନ ଫର୍ମକୁ ଯାଞ୍ଚ କରିବାଠୁ ନେଇ ମୂଲ୍ୟାଙ୍କନ କରିବା ପର୍ଯ୍ୟନ୍ତ ସମସ୍ତ କାମ କମ୍ପାନି ସେକ୍ରେଟାରି ସ୍ବସ୍ତିରଂଜନ ମହାପାତ୍ର କରିଥିଲେ। ଶେଷରେ ଋଣ ଅନୁମୋଦନ ହେବା ପରେ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତି ଚୁକ୍ତିପତ୍ରରେ ଦସ୍ତଖତ କରି ଟଙ୍କା ନେଇଥିଲେ। ଆବେଦନପତ୍ର ସଠିକ୍ ଭାବେ ଯାଞ୍ଚ ନ କରି ବିନୋଦ କୁମାର ଓ ସ୍ବସ୍ତି ରଂଜନ ମେଟ୍ରୋ ବିଲଡର୍ସକୁ ଋଣ ଦେଇଥିଲେ। କିନ୍ତୁ ଘର କରିବା ପରିବର୍ତ୍ତେ ସଂସ୍ଥା ସବୁତକ ଟଙ୍କା ହଡ଼ପ କରିଦେଇଥିଲା।

ଏ ଦୁର୍ନୀତି ପଦାକୁ ଆସିବା ପରେ ୨୦୦୫ ମସିହାରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ପ୍ରଥମେ କମ୍ପାନି ସେକ୍ରେଟାରି ସ୍ବସ୍ତି ରଂଜନ ମହାପାତ୍ରଙ୍କୁ ଉକ୍ତ ବର୍ଷ ଫେବ୍ରୁଆରି ୧୨ ତାରିଖରେ ଗିରଫ କରାଯାଇଥିଲା। ରିମାଣ୍ଡରେ ନେଇ ସ୍ବସ୍ତିଙ୍କୁ ପଚରାଉଚରା କରିବା ପରେ ଠକେଇର ପର୍ଦ୍ଦାଫାସ୍ ହୋଇଥିଲା। ପରେ ଅନ୍ୟ ଏକ ମାମଲାରେ ଜେଲରେ ଥିବା ଆଇଏଏସ୍ ବିନୋଦ କୁମାରଙ୍କ କେଳେଙ୍କାରୀ ପଦାକୁ ଆସିଥିଲା। ଜେଲ୍‌ରେ ଥିବା ସମୟରେ ତାଙ୍କ ବିରୋଧରେ କୋର୍ଟରେ ରିମାଣ୍ଡ ଲଗାଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ମେଟ୍ରୋ ବିଲଡର୍ସର ଏମ୍‌ଡି ତଥା ବିଧାୟକ ମହମ୍ମଦ ମୋକିମ୍ ଗିରଫ ହେବା ପୂର୍ବରୁ ଫେରାର୍ ହୋଇଯାଇଥିଲେ। ପରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରି ଗିରଫଦାରୀରୁ ବର୍ତ୍ତିଥିଲେ।

ଭିଜିଲାନ୍ସରେ ମାମଲା ରୁଜୁ ପରେ ପ୍ରଥମେ କମ୍ପାନି ସେକ୍ରେଟାରି ସ୍ବସ୍ତିଙ୍କୁ ପଚରାଉଚରା କରାଯାଇଥିଲା। ଜଣାପଡ଼ିଥିଲା ଯେ ମେଟ୍ରୋ ବିଲଡର୍ସ ନୂଆପଲ୍ଲୀର ମେଟ୍ରୋ ସିଟି-୨ ନାଁରେ ସେମିତି କିଛି ପ୍ରକଳ୍ପ ତିଆରି କରିନାହିଁ। ଓଆର୍‌ଏଚ୍‌ଡିସିରୁ ଟଙ୍କା ହଡ଼ପ କରିବା ପାଇଁ ନକଲି ବିଡିଏ ପ୍ଲାନ୍, ପ୍ରକଳ୍ପ ମୂଲ୍ୟାଙ୍କନ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ସମେତ ଏକାଧିକ ଜାଲିଆତି ପ୍ରମାଣପତ୍ର ଓଆର୍‌ଏଚ୍‌ଡିସିରେ ଦାଖଲ କରିଥିଲା। ଏବଂ ଏଥିରେ ତତ୍କାଳୀନ ଓଆର୍‌ଏଚ୍‌ଡିସି ଏମ୍‌ଡିଙ୍କ ପ୍ରଚ୍ଛନ୍ନ ହାତ ରହିଥିଲା। ସେ ଏହି ଦୁର୍ନୀତିର ମାଷ୍ଟରମାଇଣ୍ଡ୍ ଥିଲେ। ସେ ଉକ୍ତ ଜାଲିଆତି କାଗଜାତ୍‌କୁ ଲୋନ୍ ଆପ୍ରୁଭାଲ୍ କମିଟି ପାଖରେ ଉପସ୍ଥାପନ କରି ନଥିଲେ। ଆଧିକାରିକ କ୍ଷମତା ନଥିଲେ ହେଁ ସେ ମେଟ୍ରୋ ବିଲଡର୍ସ ପାଇଁ ଋଣ ଅନୁମୋଦନ କରାଇ ଦେଇଥିଲେ। ଭିଜିଲାନ୍ସ ତଦନ୍ତ ବେଳେ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ଗୋଟେ ପଟେ ବିଲ୍ଡିଂ ନଥାଇ ବିଲଡର୍ସ ସଂସ୍ଥାକୁ ଟଙ୍କା ଦେବା ଏବଂ ଟଙ୍କା ନେବାର ୭ ବର୍ଷ ମଧ୍ୟରେ ଟଙ୍କା ଫେରସ୍ତ ନ କରିବାକୁ ନେଇ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଥିଲେ। ସେତେବେଳେ ଅର୍ଥାତ୍‌ ୨୦୦୭ ମସିହା ବେଳକୁ ଘଟଣା ସାମ୍ନାକୁ ଆସିବା ବେଳକୁ ମୂଳଧନ ଓ ସୁଧ ମିଶାଇ ଓଆର୍‌ଏଚ୍‌ଡିସିର ଏହି ଦେଢ଼ କୋଟି ଋଣ ୬ କୋଟି ୨୨ଲକ୍ଷ ୨୫ହଜାର ୨ଶହ ୧୪ ଟଙ୍କାରେ ପହଞ୍ଚି ଯାଇଥିଲା।

India News Diary

୨୬ ମାମଲାରୁ ୩ଟିରେ ଦୋଷୀ ବିନୋଦ କୁମାର
ଦୁର୍ନୀତିଖୋର୍ ପ୍ରାଶାସନିକ ଅଧିକାରୀ ବିନୋଦ କୁମାରଙ୍କ ନାଁରେ ଦୁର୍ନୀତି, ଲାଞ୍ଚ କାରବାର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଭଳି ୨୬ରୁ ଊର୍ଦ୍ଧ୍ବ ମାମଲା ରହିଛି। ସେଥିମଧ୍ୟରୁ ଆଜିର ଘଟଣାକୁ ମିଶାଇ ମୋଟ ୩ଟି ମାମଲାରେ ତାଙ୍କୁ ଦଣ୍ଡାଦେଶ ହୋଇଛି। ୪ବର୍ଷ ପୂର୍ବେ ଅର୍ଥାତ୍ ୧୦ ଅଗଷ୍ଟ ୨୦୧୮ରେ ତାଙ୍କୁ ପ୍ରଥମଥର ପାଇଁ ଦଣ୍ଡାଦେଶ ହୋଇଥିଲା। ଏହା ପରେ ଅର୍ଥାତ୍ ଉକ୍ତ ବର୍ଷ ସେପ୍ଟେମ୍ବର ୨୪ତାରିଖରେ ଶାସ୍ତ୍ରୀନଗରସ୍ଥିତ ଜ୍ୟୋତ୍ସ୍ନା ଗାର୍ଡେନ୍‌ରେ ଆପାର୍ଟମେଣ୍ଟ ତିଆରି କରିବାକୁ କୋଟିଏରୁ ଅଧିକ ଟଙ୍କା ଋଣ ଦେଇଥିବା ଅଭିଯୋଗ ଆସିଥିଲା। ୧୯୯୮ ମସିହାରେ ବିନୋଦ କୁମାର ଏହି କେଳେଙ୍କାରୀ କରିଥିଲେ। ସେ କୌଣସି ସଂପତ୍ତି ବନ୍ଧକ ନ ରଖି ଏକ ବିଲଡର୍ ସଂସ୍ଥାକୁ ଋଣ ପ୍ରଦାନ କରିଥିଲେ। ଯେଉଁଥିପାଇଁ ପରବର୍ତ୍ତୀ ମୁହୂର୍ତ୍ତରେ ସରକାରଙ୍କୁ ପ୍ରାୟ କୋଟିଏ ୬୮ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହିଭଳି ୩ଟି ମାମଲାର ଦଣ୍ଡାଦେଶ ଘୋଷଣା ହୋଇସାରିଥିବା ବେଳେ ଆସନ୍ତା ମାସ ଅର୍ଥାତ୍ ଦଶହରା ପରେ ବହୁଚର୍ଚ୍ଚିତ ହୁଡ୍‌କୋ କେଳେଙ୍କାରୀର ରାୟ ପ୍ରକାଶ ପାଇବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର