ବାକି ପଡ଼ିଛି ୧୧ ହଜାର କୋଟିର ରାଜସ୍ୱ

ଭୁବନେଶ୍ୱର : ବଡ଼ ବଡ଼ ଶିଳ୍ପ ସଂସ୍ଥା ଓ ସରକାରୀ ଉଦ୍ୟୋଗ ସରକାରଙ୍କୁ ଠିକ୍‌ ସମୟରେ ରାଜସ୍ୱ ଦେଉ ନାହାନ୍ତି। କିଏ ଜଳ କର ବାକି ରଖୁଛି ତ କିଏ ବାଣିଜ୍ୟ କର। ପୁଣି କିଏ ବିଜୁଳି ବିଲ୍‌ ପଇଠ କରୁନି। ଏମିତି ଭାବେ ଶିଳ୍ପାୟନ ପଛରେ ପଡ଼ିଥିବା ରାଜ୍ୟ ସରକାର ଶିଳ୍ପ ସଂସ୍ଥାଠାରୁ ଅର୍ଥ ଆଦାୟ କରିପାରୁ ନାହାନ୍ତି। ପାଖାପାଖି ୧୧ ହଜାର କୋଟି ଟଙ୍କା ରାଜସ୍ୱ ବାକି ପଡ଼ିଛି।

ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ ଭାଗୀରଥି ବଡ଼ଜେନାଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଏହି ତଥ୍ୟ ଦେଇଛନ୍ତି। କୋଟିଏ ଟଙ୍କାରୁ ଅଧିକ ବାକି ରଖିଥିବା ଖିଲାପକାରୀଙ୍କ ତାଲିକାକୁ ମିଶାଇ ମନ୍ତ୍ରୀ ୧୧ ହଜାର କୋଟି ବାକି ଦର୍ଶାଇଛନ୍ତି। ଛୋଟ ଛୋଟ ଖିଲାପକାରୀଙ୍କୁ ମିଶାଇଲେ ଏହି ସଂଖ୍ୟା ଆହୁରି ବଢ଼ିଯିବ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବାଣିଜ୍ୟ କର ବାବଦକୁ ୧୩୪ ସଂସ୍ଥା ଉପରେ ବାକି ଅଛି ୪୫୮୦ କୋଟି ୭୮ ଲକ୍ଷ ଟଙ୍କା। ଏହି ତାଲିକାରେ ସର୍ବାଗ୍ରେ ଅଛି ସାରଦା ମାଇନ୍‌ସ୍‌। ଏହି ସଂସ୍ଥା ଉପରେ ସରକାରଙ୍କ ବାକି ଅଛି ୬୮୬.୦୩ କୋଟି ଟଙ୍କା। ଦ୍ୱିତୀୟରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ ଓ ତୃତୀୟରେ ଭୂଷଣ ଷ୍ଟିଲ୍‌ ଲିମିଟେଡ୍‌। ଏହି ଦୁଇ ସଂସ୍ଥାର ବାକି ଯଥାକ୍ରମେ ୪୮୪.୫୭ କୋଟି ଓ ୩୩୨.୨୦ କୋଟି ଟଙ୍କା। ଶହେ କୋଟିରୁ ଅଧିକ ବାକି ରଖିଥିବା ସଂସ୍ଥାଗୁଡ଼ିକ ହେଲେ ଟାଟା ଷ୍ଟିଲ୍‌, ମେସର୍ସ ରମେଶ ପ୍ରସାଦ ସାଓ, ବେଦାନ୍ତ ଲିମିଟେଡ୍‌, ଜିନ୍ଦଲ୍‌ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌, ବାର୍ଲା ଟାୟାର, ଆଇଭିଆର୍‌ସିଏଲ୍‌ ଲିମିଟେଡ୍‌, ଆଇଓଟି ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଆଣ୍ଡ୍‌ ଏନର୍ଜି, ସିମେନ୍‌ସ୍‌ ଲିମିଟେଡ୍‌।

୪୨ଟି ସଂସ୍ଥା ଉପରେ ବାକି ପଡ଼ିଥିବା ବିଦ୍ୟୁତ ଦେୟର ପରିମାଣ ହେଉଛି ୧୪୩୯.୪୩ କୋଟି ଟଙ୍କା। ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ତାଲିକାର ସର୍ବାଗ୍ରେ ଅଛି ଇମ୍ଫା। ଏହି ସଂସ୍ଥାର ବାକି ୪୪୫.୧୩ କୋଟି ଟଙ୍କା। ଦ୍ୱିତୀୟରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ(ବାକି ପରିମାଣ ୨୬୩.୩୧ କୋଟି) ଓ ତୃତୀୟରେ ଭୂଷଣ ପାଓ୍ଵାର୍‌ ଆଣ୍ଡ୍‌ ଷ୍ଟିଲ୍‌ ଲିମିଟେଡ୍‌(ବାକି ପରିମାଣ ୧୦୦.୪୨ କୋଟି)।

ସେହିପରି ୭୬ଟି ସଂସ୍ଥା ଉପରେ ଜଳ କର ବାବଦକୁ ବାକି ଗଡ଼ୁଛି ୨୬୧୮ କୋଟି ୫୪ ଲକ୍ଷ ଟଙ୍କା। ତାଲିକାର ଶୀର୍ଷରେ ଅଛି ନାଲ୍‌କୋ। ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ଦେବ ୭୩୧ କୋଟି ଟଙ୍କା। ଜଳ କର ବାକି ରଖିଥିବା ପ୍ରମୁଖ ସଂସ୍ଥାଗୁଡ଼ିକ ହେଲେ ସେବା କାଗଜ କଳ(୪୨୬ କୋଟି), ବଲାରପୁର ଇଣ୍ଡଷ୍ଟ୍ରିଜ୍‌ (୨୪୫ କୋଟି) ଓ ଝାରସୁଗୁଡ଼ାର ଦକ୍ଷିଣ-ପୂର୍ବ ରେଳପଥ ଶାଖା(୨୦୨ କୋଟି)।

ଏକ କୋଟି ଟଙ୍କାରୁ ଅଧିକ ଖଣି ରାଜସ୍ୱ ବାକି ରଖିଥିବା ୯ଟି ସଂସ୍ଥା ଠାରୁ ସରକାର ପାଇବେ ୧୮୫୩ କୋଟି ୪୭ ଲକ୍ଷ ଟଙ୍କା। ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ସଂସ୍ଥା ଏମ୍‌ସିଏଲ୍‌ର ବାକିର ପରିମାଣ ୧୩୩୦ କୋଟି ଟଙ୍କା। ଯୋଡ଼ାର ଟିସ୍କୋ ଉପରେ ୩୩୪ କୋଟି ଟଙ୍କା, ନାଲ୍‌କୋ ଉପରେ ୯୫ କୋଟି ଓ ଉତ୍କଳ ଆଲୁମିନା ଉପରେ ୧୭ କୋଟି ଟଙ୍କା ଖଣି ରାଜସ୍ୱ ବାକି ପଡ଼ିଛି। ଏହା ବାଦ୍‌ ଲାଇସେନ୍‌ସ୍‌ ପ୍ରାପ୍ତ ବ୍ୟବସାୟୀଙ୍କ ଉପରେ ଅବକାରୀ ଟିକସ ବାବଦକୁ ବାକି ଅଛି ୬୧.୭୩ କୋଟି ଏବଂ ଜଙ୍ଗଲ ଉନ୍ନୟନ ନିଗମ ଓ ଅନ୍ୟାନ୍ୟ ଠିକାଦାରଙ୍କ ଠାରୁ ଜଙ୍ଗଲ ଉନ୍ନୟନ ଟିକସ ବାବଦକୁ ବାକି ଅଛି ୫୨.୨୯ କୋଟି ଟଙ୍କା।

ବକେୟା ଟିକସ ଆଦାୟ ନେଇ ମନ୍ତ୍ରୀଙ୍କ ଉତ୍ତର ହେଲା, ରାଜସ୍ୱ ସମ୍ବନ୍ଧୀୟ ମାମଲାଗୁଡ଼ିକର ଆଶୁ ଫଇସଲା ନିମନ୍ତେ ସ୍ୱତନ୍ତ୍ର ଅଧିବକ୍ତା ନିଯୁକ୍ତି କରି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି। କୋର୍ଟ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ‘ଓ୍ଵାନ୍‌ ଟାଇମ୍‌ ସେଟଲ୍‌ମେଣ୍ଟ୍‌’ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକ ଉପରେ ବକେୟା ଥିବା ରାଜସ୍ୱ ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାଣିଜ୍ୟ କର ସମ୍ବନ୍ଧୀୟ ଅପିଲ୍‌ର ଫଇସଲା କରିବା ପାଇଁ ଅପିଲେଟ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର