ଯାଜପୁର : ଯାଜପୁର ଜିଲ୍ଲାରେ ୧୨୫୦ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୮ଟି ବୃହତ୍‌ ପାନୀୟଜଳ ପ୍ରକଳ୍ପ ୩ ବର୍ଷ ହେଲା ନିର୍ମାଣ ଚାଲିଛି। ଗୋଟିଏ ପ୍ରକଳ୍ପ ଅଧା କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ୭ ଟି ପ୍ରକଳ୍ପର ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। କାର୍ଯ୍ୟ ଶେଷ କରିବାର ନିର୍ଦ୍ଧାରିତ ସମୟ ୨ବର୍ଷ ହେଲା ଶେଷ ହେଲାଣି। ଠିକାଦାରମାନେ ସରକାରଙ୍କୁ ଭୁଆଁ ବୁଲାଇ ମିଥ୍ୟା ତଥ୍ୟ ଦେଇ ଚାଲିଛନ୍ତି। ବିଭାଗୀୟ ଅଧିକାରୀ ପ୍ରଭାବଶାଳୀ ଠିକାଦାରଙ୍କ ସହିତ ହାତ ମିଳାଇଛନ୍ତି। ଅପରପକ୍ଷରେ ଜିଲ୍ଲାବାସୀ ପିଇବା ପାଣି ପାଇଁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି।

Advertisment

ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ନିର୍ମାଣାଧୀନ ବୃହତ୍‌ ପାନୀୟଜଳ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଗଲେ ବିଭାଗ ତଥ୍ୟ କେତେ ମିଛ! ତାହା ସାମ୍‌ନାକୁ ଆସିଯାଉଛି। ଏହି ୨ ଟି ବ୍ଲକର ୭୭ ଟି ପଞ୍ଚାୟତବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାପାଇଁ ୩ବର୍ଷ ତଳେ ୨୦୧୯ ଡିସେମ୍ବର ୩୦ ରେ ଠିକାଦାର କାର୍ଯ୍ୟ ଆରମ୍ଭ କରିଥିଲେ। ନିର୍ମାଣର ଅବଧି ଶେଷପରେ ପୁଣି ଅବଧି ବୃଦ୍ଧି କରି ଧାର୍ଯ୍ୟ ସମୟ ସୀମା ୨୦୨୨ କରାଗଲା। ତଥାପି ନିର୍ମାଣ କାମ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ୨୦୨୨ ନଭେମ୍ବର ୨୯ରେ ପ୍ରକଳ୍ପର ୮୨ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି ବୋଲି ବିଭାଗୀୟ ଅଧିକାରୀ ବିଧାୟକଙ୍କୁ ଉତ୍ତର ଦେଇଥିଲେ। ତୃଣମୂଳରେ ବଡ଼ଚଣା ବ୍ଲକରେ ୩୭ଟି ଓଭରହେଡ୍ ଟାଙ୍କି ମଧ୍ୟରୁ ୧୬ ଟି ସଂପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୮ ଟି ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି। ଏପରିକି ୩ଟି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ଧର୍ମଶାଳା ବ୍ଲକରେ ୪୦ଟି ଓଭରହେଡ୍‌ ପାଣିଟାଙ୍କି ମଧ୍ୟରୁ ୧୮ ଟି ଟାଙ୍କି ସଂପୂର୍ଣ୍ଣ ହୋଇଛି। ୨୧ ଟି ଟାଙ୍କି ଅଧ‌ା ହୋଇଛି। ‌ଗୋଟିଏ ଟାଙ୍କି ଆରମ୍ଭ ହୋଇନାହିଁ। ପାଣିକୁ ବିଶୋଧନ କରିବା ପାଇଁ ବଡ଼ଚଣା ବ୍ଲକର ରାଧାଦେଇପୁରଠାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ କାର୍ଯ୍ୟ ୮୦ ଭାଗ ଶେଷ ‌ହୋଇଛି। ଧର୍ମଶାଳା ବ୍ଲକ୍‌ରେ ୭୫ ଭାଗ କାମ ହୋଇଛି। ସେହିଭଳି ଲୋକଙ୍କ ଘରକୁ ଟ୍ୟାପ୍‌ ସଂଯୋଗ କାମ ଅଧାରେ ପଡ଼ିରହିଛି।

ଏହିଭଳି ସମଗ୍ର ଜିଲ୍ଲାରେ ‌ବୃହତ୍‌ ପାନୀୟ ଜଳ ପ୍ରକଳ୍ପର କାମ ଅତି ମନ୍ଥର ଗତିରେ ଚାଲିଥିବାବେଳେ ନିମ୍ନମାନର କାମ ନେଇ ବାରମ୍ବାର ଅଭିଯୋଗ ହେଉଛି। ଏପରିକି ସୁକିନ୍ଦା ପ୍ରକଳ୍ପକୁ ତଦନ୍ତରେ ବ୍ୟାପକ ହେରଫେର ଲୋକଲୋଚନକୁ ଆସିଛି। ତଥାପି ବିଭାଗୀୟ ଅଧିକାରୀ ପ୍ରଭାବଶାଳୀ ଠିକାଦାରଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ପ୍ରକଳ୍ପ କାମ ସନ୍ତୋଷଜନକ ହୋଇନଥିବା ବେଳେ କେଉଁ ଆଧାରରେ ବିଭାଗ କିଭଳି ସରକାରଙ୍କୁ ମିଥ୍ୟା ତଥ୍ୟ ଦେଲା? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।