ବନ୍ୟା ସହାୟତା ପାଇଁ ୧୨୮କୋଟି ୫୮ଲକ୍ଷ

ଭୁବନେଶ୍ବର : ଗତ ଅଗଷ୍ଟ ମାସର ଦ୍ବିତୀୟ ଓ ତୃତୀୟ ସପ୍ତାହରେ ହୋଇଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ରାଜ୍ୟର ୨୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବରଗଡ଼, ବୌଦ୍ଧ, ନୟାଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ଼। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ପରେ ରାଜ୍ୟ ସରକାର ୧୨୮କୋଟି ୫୮ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜିଲ୍ଲାପାଳଙ୍କ ଠାରୁ ମିଳିଥିବା କ୍ଷୟକ୍ଷତିର ଆକଳନ ତଥ୍ୟ ଅନୁଯାୟୀ, ବର୍ଷା ଓ ବନ୍ୟାରେ ୧୪୨୩୫ଟି ବାସଗୃହ, ୧୨୩୬ଟି ଗାଈ ଗୁହାଳ, ୫୦୩୬ ହେକ୍ଟର ଚାଷ ଜମି ବାଲିଚର, ୧୧୨୫ଟି ଡଙ୍ଗା ଓ ଜାଲ, ୨୮.୩୮୨ ହେକ୍ଟର ମାଛ ପୋଖରୀ ଓ ୪୮୩.୧୪୫ ହେକ୍ଟର ମାଛ ଜାଅଁଳ ଚାଷ କ୍ଷତିଗ୍ରସ୍ତ ହୋଇଛି। ୧,୨୬,୧୬୨ ହେକ୍ଟର ଚାଷ ଜମି‌ରେ ୩୩%ରୁ ଅଧିକ ଫସଲ ହାନି ହୋଇଛି। ଏହି ଆକଳନକୁ ଭିତ୍ତି କରି ଓ ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ଘର ନିର୍ମାଣ ସହାୟତା, ବାସନକୁସନ ସହାୟତା, କୃଷିଭିତ୍ତିକ ସହାୟତା, ବାଲିଚର ସହାୟତା, ମୃତ ଗୋରୁଗାଈଙ୍କ ପାଇଁ ସହାୟତା, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟ ପୋଖରୀ, ମତ୍ସ୍ୟ ଜାଅଁଳ ଚାଷ, ହସ୍ତତନ୍ତ ବୁଣାକାର, ହସ୍ତଶିଳ୍ପ କାରିଗର, ରେଶମ ଚାଷୀଙ୍କ ପାଇଁ ସହାୟତା ବାବଦକୁ ୧୨୮କୋଟି ୫୮ଲକ୍ଷ ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର ହୋଇଛି।

୧୪୨୩୫ଟି ଘର ଭାଙ୍ଗିଛି, ୫୦୩୬ ହେକ୍ଟର ଚାଷ ଜମି ବାଲିଚର
୧,୨୬,୧୬୨ ହେକ୍ଟର ଚାଷ ଜମି‌ରେ ୩୩%ରୁ ଅଧିକ ଫସଲ କ୍ଷତି ହୋଇଛି
ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ୮୭କୋଟି ମଞ୍ଜୁର

ସେହିପରି ଜଳବନ୍ଦି ଘେରରେ ଥିବା‌ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସହାୟତା ବାବଦକୁ ଅଦ୍ୟାବଧି ଜିଲ୍ଲାପାଳମାନଙ୍କୁ ୯୯କୋଟି ୯୨ଲକ୍ଷ ୯୭ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଜୁର ହୋଇଛି। ଅପରପକ୍ଷେ ସାଧାରଣ ସମ୍ପତ୍ତି କ୍ଷୟକ୍ଷତିର ତୁରନ୍ତ ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ୫୨କୋଟି ୭୭ଲକ୍ଷ ୬୯ହଜାର, ପୂର୍ତ୍ତ ବିଭାଗ ୨୦କୋଟି ୧୯ଲକ୍ଷ ୪୪ହଜାର, ଗ୍ରାମ୍ୟ ଉନ୍ନୟନ ବିଭାଗ ୪୨କୋଟି ୫୪ଲକ୍ଷ ୭୦ହଜାର, ଗୃହ ଓ ନଗର ଉନ୍ନୟନ ବିଭାଗ ୬କୋଟି ୭ଲକ୍ଷ ୭୨ ହଜାର, ଶକ୍ତି ବିଭାଗ ୫କୋଟି ୩ଲକ୍ଷ ୩୮ହଜାର ଟଙ୍କା ଆବଶ୍ୟକ ବୋଲି ଜଣାଇଛନ୍ତି।

ମାତ୍ର ବିପର୍ଯ୍ୟୟ ସହାୟତା ପାଣ୍ଠିର ସର୍ତ୍ତ ଓ ନିୟମାବଳୀ ଅନୁଯାୟୀ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିର ତୁରନ୍ତ ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ୪୩କୋଟି ୫୩ଲକ୍ଷ ୯୨ହଜାର, ପୂର୍ତ୍ତ ବିଭାଗ ୧୩କୋଟି ୬୭ଲକ୍ଷ ୨୫ହଜାର, ଗ୍ରାମ୍ୟ ଉନ୍ନୟନ ବିଭାଗ ୨୪କୋଟି ୧୪ଲକ୍ଷ ୩୭ହଜାର, ଗୃହ ଓ ନଗର ଉନ୍ନୟନ ବିଭାଗ ୮୨ଲକ୍ଷ ୪୬ ହଜାର , ଶକ୍ତି ବିଭାଗ ୪କୋଟି ୯୭ଲକ୍ଷ ୫୧ହଜାର ଟଙ୍କା ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ମଞ୍ଜୁର କରାଯାଇଛି। ଏହିଭଳି ମୋଟ୍‌ ୮୭କୋଟି ୧୫ଲକ୍ଷ ୫୧ହଜାର ଟଙ୍କା ଉକ୍ତ ବିଭାଗଗୁଡ଼ିକୁ ସାଧାରଣ ସମ୍ପତ୍ତିର ତୁରନ୍ତ ମରାମତି ଓ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର