ଯାଜପୁର/ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ କଳାପଥର କେଳେଙ୍କାରୀ ମାମଲାରେ ଆଉ ୯ଜଣ ଲିଜ୍‌ଧାରୀଙ୍କୁ ମାତ୍ରାଧିକ ଖନନ ପାଇଁ ଜରିମାନା ଧାର୍ଯ୍ୟ କରାଯାଇଛି। ୧୦ଟି ସୈରାତର ଏହି ଲିଜ୍‌ଧାରୀଙ୍କୁ ଧର୍ମଶାଳା ତହସିଲ ଆଜି ୧୬୪କୋଟି ୫ଲକ୍ଷ ୭୦ହଜାର ୫୬୬ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ପ୍ରସଙ୍ଗରେ ପୂର୍ବରୁ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା।

Advertisment

ଧର୍ମଶାଳା ତହସିଲରେ ଲିଜ୍‌ଧାରୀଙ୍କ ଦ୍ୱାରା ବେଆଇନ କଳାପଥର ଖନନ, ପରିବହନ ଓ ମାତ୍ରାଧିକ ଖଣି କାରବାର ପ୍ରମାଣିତ ହୋଇଥିଲା। ଡ୍ରୋନ୍ କ୍ୟାମେରା ଓ ଡିଜିପିଏସ ଦ୍ୱାରା ମାପଚୁପ ପରେ ଚୁକ୍ତିନାମାଠାରୁ ଅଧିକ କଳାପଥର ଖନନ କରିବା ସହିତ ପରିବେଶ ଓ ଖଣି ଆଇନ୍‌କୁ ଉଲ୍ଲଂଘନ କରଯାଇଥିବା ସ୍ପଷ୍ଟ ହୋଇଥିଲା। ଏଥିପାଇଁ ୧୦ଟି ସୈରାତର ୯ଜଣ ଲିଜ୍‌ଧାରୀଙ୍କୁ ଧର୍ମଶାଳା ତହସିଲ ପକ୍ଷରୁ କାରଣଦର୍ଶାଅ ନୋଟିସ୍ କରାଯାଇଥିଲା। ମାତ୍ର, ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଲିଜ୍‌ଧାରୀମାନେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପ୍ରଶାସନ ପକ୍ଷରୁ ଲିଜ୍‌ଧାରୀଙ୍କୁ ଜରିମାନା ଡିମାଣ୍ଡ ନୋଟିସ ଆଜି ଜାରି କରଯାଇଛି।

publive-image

ସୂଚନା ଅନୁସାରେ, ବହୁଚର୍ଚ୍ଚିତ ଡଙ୍କାରୀ ପାହାଡ଼ରୁ ସର୍ବlଧିକ ବେଆଇନ ଖନନ କରିଥିବା ଜ୍ୟୋତ୍ସ୍ନା ଜେନାଙ୍କୁ ୭୯କୋଟି ୪୬ଲକ୍ଷ ୧ହଜାର ୨୨୬ ଟଙ୍କା ଜରିମାନା କରାଯାଇଛି। ସେହିପରି, ବରଡ଼ା ଖାଦାନର ଲିଜ୍‌ଧାରୀ ଅଜିତ ସାହୁଙ୍କୁ ୪କୋଟି ୪୩ଲକ୍ଷ ୭୨ହଜାର୨୭୯ ଟଙ୍କା ଓ ଲିଜ୍‌ଧାରୀ ପ୍ରହଲ୍ଲାଦ ଲେଙ୍କାଙ୍କୁ ୪କୋଟି ୬୮ଲକ୍ଷ ୬୭ହଜାର ୩୪୮ଟଙ୍କା,  ଲୁଣିବର ଖାଦାନ ଲିଜ୍‌ଧାରୀ ଗଙ୍ଗାଧର ଓଝାଙ୍କୁ ୧୯କୋଟି ୧୫ଲକ୍ଷ ୧୩ହଜାର ୩୪୬ଟଙ୍କା, ଲିଜ୍‌ଧାରୀ ରଙ୍ଗାଧର ପ୍ରଧାନଙ୍କୁ ୧୬କୋଟି ୬୮ଲକ୍ଷ ୬୮ହଜାର ୯୬୪ଟଙ୍କା, ଅଞ୍ଜିରା ଖାଦାନର ଲିଜ୍‌ଧାରୀ କୃଷ୍ଣଚନ୍ଦ୍ର ସାହୁଙ୍କୁ ୧୩କୋଟି ୩୧ଲକ୍ଷ ୩୧ହଜାର ୬୭୦ଟଙ୍କା, ବାଜବାଟୀ ପାହାଡ଼ର ଲିଜ୍‌ଧାରୀ ବିଶ୍ୱରଂଜନ ପରିଡ଼ାଙ୍କୁ ୯କୋଟି ୫୫ଲକ୍ଷ ୮୮ହଜାର ୪୪ଟଙ୍କା, ଶ୍ରୀନିବାସ ଜେନାଙ୍କ ଦୁଇଟି ସୈରାତ ପାଇଁ ଯଥାକ୍ରମେ ୩କୋଟି ୩୭ଲକ୍ଷ ୮୦ହଜାର ୧୩୦ଟଙ୍କା  ଓ ୫କୋଟି ୫୮ଲକ୍ଷ ୪୨ହଜାର ୪୧୯ଟଙ୍କା, ସୁଧାଂଶୁ ଜେନାଙ୍କୁ ୭ କୋଟି ୫୨ଲକ୍ଷ ୫ହଜାର ୧୪୦ଟଙ୍କା ପୈଠ କରିବାକୁ କୁହାଯାଇଛି। ୯ ଜଣ ଲିଜ୍‌ଧାରୀଙ୍କ ଉପରେ ସର୍ବମୋଟ ୧୬୪କୋଟି ୫ଲକ୍ଷ ୭୦ହଜାର ୫୬୬ଟଙ୍କା ଜରିମାନା କରାଯାଇଥିବା ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ କହିଛନ୍ତି l ଜରିମାନା ହୋଇଥିବା ଲିଜଧାରୀମାନେ ମୋଟ ୩୯ଲକ୍ଷ ୪୦ହଜାର ଘନମିଟର ଅଧିକ କଳାପଥର ଖନନ କରିଥିଲେ।

ସେହିପରି, ଆରୁହାର ଲିଜ୍‌ଧାରୀ ମନୋଜ ସାମଲଙ୍କୁ ମଧ୍ୟ ଗତକାଲି ମାତ୍ରାଧିକ ଖନନ ପାଇଁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀ ସାମଲ ଚୁକ୍ତିନାମାଠାରୁ ୧ଲକ୍ଷ ୮ହଜାର ଘନମିଟର କଳାପଥର ଅଧିକ ଖନନ କରିଥିବା ମାପଚୁପରୁ ଜଣାପଡ଼ିଛି।