ଭୁବନେଶ୍ବର : ମହାମାରୀ ଯୋଗୁ ଗତ ଦୁଇବର୍ଷର ଧନତେରସ୍ ସୁନା ବେପାର ଆଶାନୁରୂପ ରହିନଥିଲା। ଚଳିତ ବର୍ଷ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ସୁନା ଦୋକାନରେ ଖଚାଖଚ ଭିଡ଼। ଜଣେ କିଣୁଥିବା ବେଳେ ତାଙ୍କ ପଛରେ ଅପେକ୍ଷା କରିଛନ୍ତି ଆଉ ୮-୧୦ ଜଣ ଗ୍ରାହକ। ଆଗକୁ ବିବାହ ଋତୁ ଥିବାରୁ ଲୋକମାନେ ବିପୁଳ ପରିମାଣର ସୁନା କିଣିଛନ୍ତି। ଆନୁମାନିକ ହିସାବ ଅନୁଯାୟୀ ରବିବାର ଦିନ ରାଜ୍ୟରେ ପ୍ରାୟ ୧୭୦ କୋଟି ଟଙ୍କାର ସୁନା ଗହଣା ବିକ୍ରି ହୋଇଛି। ଗତବର୍ଷର ବିକ୍ରି ତୁଳନାରେ ଏହା ୩୦ ପ୍ରତିଶତ ଅଧିକ। ରାଜ୍ୟବାସୀ ଧନତେରସ୍ରେ ଘରକୁ ସାଢ଼େ ତିନି କ୍ବିଣ୍ଟାଲରୁ ଅଧିକ ସୁନା ବୋହି ନେଇଛନ୍ତି। କେବଳ ଭୁବନେଶ୍ବରରେ ୧୦୦ କୋଟିରୁ ଅଧିକ ସୁନା ଓ ଅନ୍ୟାନ୍ୟ ଗହଣା ବିକ୍ରି ହୋଇଛି। ତେଣୁ ପରିମାଣ ଦୃଷ୍ଟିରୁ ଦେଖିଲେ ଭୁବନେଶ୍ବରରେ ୨ କ୍ବିଣ୍ଟାଲରୁ ଅଧିକ ସୁନା ବିକ୍ରି ହୋଇଛି।
ଭୁବନେଶ୍ବର ସମେତ ରାଜ୍ୟର ଅନ୍ୟ ପ୍ରମୁଖ ସହର ଯଥା କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ବାଲେଶ୍ବର ଭଳି ସହରରେ ମଧ୍ୟ ବିକ୍ରିରେ ବୃଦ୍ଧି ଘଟିଛି। ଗ୍ରାହକମାନେ ସୁନା କାନଫୁଲ, ନାକଫୁଲ, ମୁଦି, ଚୁଡ଼ି, ଚେନ୍, ବ୍ରେସଲେଟ ଓ ହାର ଅଧିକ କିଣିଛନ୍ତି। ଗ୍ରାହକମାନେ ରବିବାର ଦିନ ହାରାହାରି ୭୫ ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗହଣା କିଣିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନ୍ତେରସ୍ରେ ଷ୍ଟୋର୍ରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ଦଶ ଗୁଣା ବୃଦ୍ଧି ଘଟିଛି। ଗ୍ରାହକମାନେ କେବଳ ସୁନା ଅଳଙ୍କାର ନୁହେଁ ହୀରା, ପ୍ଲାଟିନମ୍ ଓ ରୁପାରେ ତିଆରି ଅଳଙ୍କାର ମଧ୍ୟ କିଣିଛନ୍ତି।
/sambad/media/post_attachments/wp-content/uploads/2022/10/gold-ss-750x430.jpg)
ଧନତେରସ୍ରେ ଲୋକମାନେ ଅଧିକ ସୁନା, ଗାଡ଼ି ଓ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିଥାନ୍ତି। ଏହାକୁ ଦେଖି ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ସୋ’ରୁମ୍ଗୁଡ଼ିକ ଲୋଭନୀୟ ଅଫର ଘୋଷଣା କରିଥିଲେ। ନୂଆ ନୂଆ ଡିଜାଇନ ଓ କଲେକ୍ସନର ଗହଣା ବ୍ୟାପକମାତ୍ରାରେ ସୋ’ରୁମ୍ରେ ସଜାଇ ରଖିଥିଲେ। କିଛିମାସ ତଳେ ସୁନା ଦାମ ୫୨ ହଜାର ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଆଜି ସୁନା ମୂଲ୍ୟ ୪୭ ହଜାର ଟଙ୍କା ରହିଥିଲା। ଚଳିତବର୍ଷର ସର୍ବୋଚ୍ଚ ମୂଲ୍ୟ ତୁଳନାରେ ଧନତେରସ୍ରେ ସୁନା ମୂଲ୍ୟ ପାଖାପାଖି ୫ ହଜାର ଟଙ୍କା କମ୍ ରହିଥିଲା। ସୋ’ରୁମ ଗୁଡ଼ିକ ହୀରା ଗହଣା ମୂଲ୍ୟ ଏବଂ ସୁନା ଗହଣା ଗଢ଼ା ମଜୁରିରେ ରିହାତି ପ୍ରଦାନ କରିଥିଲେ। ଏସବୁ ଗ୍ରାହକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏଥିସହିତ ପାଗ ଭଲ ରହିବା ଫଳରେ ବଜାରକୁ ଗ୍ରାହକଙ୍କ ସୁଅ ଛୁଟିଥିଲା। ଗହଣା ଦୋକାନଗୁଡ଼ିକୁ ଏତେ ସଂଖ୍ୟକ ଲୋକ ଆସିଥିଲେ ଯେ ଗାଡ଼ି ରଖିବା ପାଇଁ ଜାଗା ମିଳି ନଥିଲା। ବହୁ ଦୂରରେ ଗାଡ଼ି ରଖି ଲୋକମାନେ ଦୋକାନକୁ ଚାଲି ଚାଲି ଆସିଥିବା ଦେଖିବାକୁ ମିଳିଥିଲା।
ଆଗକୁ ବିବାହ ଋତୁ ରହିଛି। ବର୍ତ୍ତମାନର ରିହାତି ଓ ଅଫର ସୁଯୋଗ ନେଇ ଲୋକମାନେ ଆଜି ସୁନା ଓ ଅନ୍ୟାନ୍ୟ ଧାତୁର ଗହଣା କିଣିଛନ୍ତି। ଚଳିତବର୍ଷ ଧନତେରସ ଦୁଇଦିନ ପାଳନ ହେଉଥିବାରୁ ଜନପଥରେ ଥିବା ପ୍ରମୁଖ ଗହଣା ସୋ’ରୁମ୍ଗୁଡ଼ିକରେ ଶନିବାର ଓ ରବିବାର ଗ୍ରାହକମାନେ ଗହଣା କିଣିଛନ୍ତି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।
/sambad/media/post_attachments/wp-content/uploads/2022/10/m9-750x430.jpg)
ଧନ୍ତେରସ୍ ବିକ୍ରି ଏଥର ଉତ୍ସାହଜନକ ରହିଛି ବୋଲି ଖିମ୍ଜୀ ଜୁଏଲର୍ସର ମିତେଶ ଖିମ୍ଜୀ ଏବଂ ଲାଲ୍ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି। ଶ୍ରୀ ଖିମ୍ଜୀ କହିଛନ୍ତି ଯେ ୨୦୧୯ରେ ଧନ୍ତେରସ୍େର ଯେଉଁଭଳି ଚାହିଦା ଥିଲା ଏଥର ସେଭଳି ଚାହିଦା ରହିଛି। ଗତବର୍ଷ ତୁଳନାରେ ଏଥର ବିକ୍ରି ୨୯-୩୦ ପ୍ରତିଶତ ବୃଦ୍ଧି ହୋଇଛି। ସୋ’ରୁମ୍ରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ମଧ୍ୟ ବହୁ ଗୁଣା ବୃଦ୍ଧି ଘଟିଛି। ସ୍ବାଭାବିକ ଦିନ ତୁଳନାରେ ଆଜି ୧୦ ଗୁଣାରୁ ଅଧିକ ଗ୍ରାହକ କିଣାକିଣି କରିଛନ୍ତି ବୋଲି ସେ କହିଛନ୍ତି। ଦୁଇଚକିଆ ଯାନ ବିକ୍ରି ମଧ୍ୟ ଆଜି ବଢ଼ିଥିବା ସେ କହିଛନ୍ତି।
ଲାଲ୍ଚାନ୍ଦ ଜୁଏଲର୍ସର ଅଧ୍ୟକ୍ଷ ଶ୍ରୀ ହଂସ କହିଛନ୍ତି ଯେ କରୋନା କଟକଣା ନଥିବାରୁ ଚଳିତବର୍ଷ ଲୋକମାନେ ଉତ୍ସାହର ସହିତ ଧନତେରସ ପାଳନ କରୁଛନ୍ତି। ଘୋଷଣା କରାଯାଇଥିବା ଗ୍ରାହକକୈନ୍ଦ୍ରିକ ଅଫର ଏବଂ ନୂଆ ସମ୍ଭାରରେ ଆକୃଷ୍ଟ ହୋଇ ଚଳିତବର୍ଷ ବହୁ ଅଧିକ ସଂଖ୍ୟକ ଗ୍ରାହକ ଆମ ସୋରୁମରୁ ଗହଣା କିଣିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ନୂଆ ଗ୍ରାହକ ବି ରହିଛନ୍ତି। ଗ୍ରାହକଙ୍କ କିଣାକିଣି ମନୋଭାବ ଉତ୍ସାହଜନକ ରହିଛି। କମ୍ ଓଜନ ଠାରୁ ଆରମ୍ଭ କରି ଓଜନିଆ, ପାରମ୍ପରିକ ଏବଂ ଆଧୁନିକ ଡିଜାଇନ ଆଦି ପର୍ଯ୍ୟନ୍ତ ସବୁ ପ୍ରକାର ଗହଣା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି। ସେହିଭଳି ଖିମ୍ଜୀ ଜୁଏଲର୍ସର ସିଇଓ ପାର୍ଥ ସାରଥୀ କହିଛନ୍ତି ଯେ ଧନତେରସ୍ ପାଇଁ ଆମର ସମସ୍ତ ସୋରୁମକୁ ଅଧିକ ସଂଖ୍ୟକ ଲୋକ ଆସିଛନ୍ତି। ଛୁଟିଦିନ ସହିତ ସୁନା ମୂଲ୍ୟ ଅପେକ୍ଷାକୃତ ଭାବେ କମ୍ ରହିବା ଏବଂ ଆଗକୁ ବିବାହ ସିଜନ୍ ଥିବା କାରଣରୁ ଗ୍ରାହକମାନେ ଗହଣା କିଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଆମ ସୋ’ରୁମ୍ରେ ଥିବା ବିଭିନ୍ନ ପ୍ରକାର ଗହଣା ମଧ୍ୟରୁ ଅଧିକ ଡିଜାଇନ ହୋଇଥିବା ଗହଣାକୁ ଗ୍ରାହକ କିଣିଛନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/m10-1.jpg)