ଭୁବନେଶ୍ବର : ମହାନଦୀର ଅବକ୍ଷୟ ରୋକିବା, ବନ୍ୟା ନିୟନ୍ତ୍ରଣ ଓ ସବୁଜ ପରିବେଶ ସୃଷ୍ଟି ସହ ପରିବେଶ ସୁରକ୍ଷା ପାଇଁ ଗ୍ରିନ୍ ମହାନଦୀ ଯୋଜନା ଆରମ୍ଭ ହୋଇଛି। ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ମହାନଦୀ ଓ ତାର ଶାଖା ନଦୀ/ଉପନଦୀ ସମେତ ରାଜ୍ୟର କେତେକ ପ୍ରମୁଖ ନଦୀ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ପ୍ରାୟତଃ ୪୧ହଜାର ହେକ୍ଟର ବନୀକରଣ ଏବଂ ୫ହଜାର କିଲୋମିଟର ପଥପାର୍ଶ୍ବ ବନୀକରଣ କରି ୫କୋଟିରୁ ଉର୍ଦ୍ଧ୍ବ ଚାରା ରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ବନୀକରଣର ରକ୍ଷଣାବେକ୍ଷଣ ପାଇଁ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ଏହି ଯୋଜନା ମୁତାବକ ୨୦୧୮-୧୯ ମସିହାଠାରୁ ଅକ୍ଟୋବର ୩୧, ୨୦୨୨ ମଧ୍ୟରେ ମୋଟ୍ ୨୧୯୪୬.୭୬ ହେକ୍ଟର ପରିମିତ ଅଞ୍ଚଳରେ ୧୨୦.୪୭ଲକ୍ଷ ବୃକ୍ଷଚାରା ରୋପଣ କରାଯାଇଛି। ଏଥିପାଇଁ ୨୨୦କୋଟି ୫୫ଲକ୍ଷ ୮୦ହଜାର ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଚଳିତବର୍ଷ ନଭେମ୍ବର ୨୨ତାରିଖ ସୁଦ୍ଧା ମୋଟ୍ ୧୮୧କୋଟି ୧୨ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରାଯାଇଛି। ଯେଉଁ ଚାରା ଲଗାଯାଇଛି ସେଥିରୁ ୭୫%ରୁ ୯୫% ବଞ୍ଚିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।