୨୪୦୦ କୋଟିର ନୂଆ ଯୋଜନା

ଭୁବନେଶ୍ୱର : କୃଷକମାନଙ୍କ କଲ୍ୟାଣ ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହି ଅର୍ଥ କିଭଳି ଖର୍ଚ୍ଚ ହେବ, ଅଥବା କୃଷକଙ୍କ କି କଲ୍ୟାଣରେ ଲାଗିବ, ସେକଥା ବିଭାଗ ପରେ ଜଣାଇବ। ବିକାଶମୂଳକ କାର୍ଯ୍ୟକୁ ବଢାଇବା ପାଇଁ ୧ହଜାର ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ‘ଆମ ଗାଁ ଆମ ବିକାଶ’ ଯୋଜନା ନାମରେ ଏହି ଅର୍ଥ ବିନିଯୋଗ ହେବ। ମୁଖ୍ୟମନ୍ତ୍ରୀ ସିଧାସଳଖ ପଞ୍ଚାୟତ ପ୍ରତିନିଧିଙ୍କ ସହିତ କଥା ହୋଇ ଏହି ଅର୍ଥକୁ ମଞ୍ଜୁରି ଦେବେ। କେବଳ ଏହି ଦୁଇଟି ନୁହେଁ, ରାଜ୍ୟ ସରକାର ବଜେଟ୍‌ରେ ଏଭଳି ୧୯ଟି କାର୍ଯ୍ୟକ୍ରମ ବା ଯୋଜନା ପାଇଁ ଅର୍ଥ ବରାଦ କରିଛନ୍ତି, ଯେଉଁଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ, କୃଷକ, ଖେଳାଳି, ଆଦିବାସୀ, ବୁଣାକାର, ଯୁବ ବର୍ଗ, କଳାକାର ଠାରୁ ଆରମ୍ଭ କରି ଐତିହ୍ୟ କୀର୍ତିରାଜି ବିକାଶ ଆଦି ସ୍ଥାନ ପାଇଛି। ହକିକୁ ଛାଡି ୨୩୫୪ କୋଟି ଟଙ୍କାର ନୂଆ ଯୋଜନା ଓ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ହକି ଆଦିକୁ ମିଶାଇଲେ ପାଖାପାଖି ୨୪ଶହ କୋଟି ଟଙ୍କା ଛୁଇଁପାରେ।

କୌତୂହଳର କଥା ହେଉଛି, ଯଦିଓ ବିଜୁ ବାବୁଙ୍କ ବହି ଉନ୍ମୋଚନକୁ ଅତ୍ୟନ୍ତ ଆଡ଼ମ୍ବର ପୂର୍ଣ୍ଣ ଭାବେ ଶାସକ ଦଳ କରିଥିଲା, ବିଜୁଙ୍କ ନାଁରେ ଏଥର କିନ୍ତୁ ଗୋଟିଏ କାର୍ଯ୍ୟକ୍ରମ (ବିଜୁ ଯୁବ ବାହିନୀ)ର ନାମକରଣ କରାଯାଇଛି। ବରଂ ରାଜ୍ୟର ନିଜସ୍ୱ ଯୋଜନା ସଂପର୍କରେ ଲୋକଙ୍କୁ ଜଣାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନାମରେ ଏକାଧିକ ଯୋଜନା ହାତକୁ ନିଆଯାଇଛି। କେବଳ ସେତିକି ନୁହେଁ, ମହାନଦୀ ପାଣିକୁ ନେଇ ବିବାଦ ହେବା ପରେ ସରକାର ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି ତଥା ବିକାଶ ପାଇଁ ‘ଗ୍ରୀନ୍‌ ମହାନଦୀ ମିସନ’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଯେଉଁଥିରେ ୩୦ କୋଟି ଟଙ୍କା ବିନିଯୋଗ ହେବ।

ଉଲ୍ଲେଖଯୋଗ୍ୟ, ଯେ କୌଣସି ମୁହୂର୍ତରେ ସାଧାରଣ ନିର୍ବାଚନକୁ ସାମ୍ନା କରିବେ ରାଜ୍ୟ ସରକାର। ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ଏଣୁ ବଜେଟ୍‌ରେ ବିଭିନ୍ନ ବର୍ଗଙ୍କୁ ଖୁସି କରିବା ଲାଗି ଆଉ କିଛି ନୂଆ ପଦକ୍ଷେପ ନିଆଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି, ‘ଖୁସି’ ନାମରେ ଏକ ନୂଆ ଯୋଜନା ଆରମ୍ଭ ହୋଇଛି। ଯେଁଉଥିରେ ତରୁଣୀ ଓ ମହିଳାମାନଙ୍କର ଋତୁସ୍ରାବ କାଳୀନ ସ୍ୱାସ୍ଥ୍ୟରକ୍ଷା, ସେମାନଙ୍କର ସମ୍ମାନ, ଆତ୍ମବିଶ୍ୱାସ ଓ ସଶକ୍ତୀକରଣ ଲାଗି ଅର୍ଥ ଖର୍ଚ୍ଚ ହେବ। ଏଥିଲାଗି ୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସାର୍ବଜନୀନ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ଅର୍ଥାତ୍‌ ‘ମୁଖ୍ୟମନ୍ତ୍ରୀ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ-ସୁନେତ୍ର’ ମାଧ୍ୟମରେ ଆସନ୍ତା ୫ ବର୍ଷ ମଧ୍ୟରେ ୬୮୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୮-୧୯ ଅର୍ଥାତ୍‌ ଏବର୍ଷ ୮୭ କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି। ପରିଷ୍କାର, ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ସଂସ୍ଥାରେ ସୁରକ୍ଷା ପରି ଆନୁଷଙ୍ଗିକ ସେବା ଲାଗି ‘ନିର୍ମଳ’ ମାଧ୍ୟମରେ ଆସନ୍ତାବର୍ଷ ୭୦ କୋଟି ଖର୍ଚ୍ଚ ହେବ। ନବରଙ୍ଗପୁରରେ ‘ଡିଜିଟାଲ୍‌ ହେଲ୍‌ଥ’ କାର୍ଯ୍ୟକ୍ରମରେ ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ‘ନିଦାନ’ ଯୋଜନାରେ ୯୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି, ‘ଆମ ଘରେ ଏଲ୍‌ଇଡି ଲାଇଟ୍‌’ ନାମକ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ଏଥିରେ ପ୍ରତ୍ୟେକ ଗରିବ ପରିବାରଙ୍କୁ ୪ଟି ଏଲ୍‌ଇଡି ଲାଇଟ୍‌ ଯୋଗାଇ ଦିଆଯିବ। ଏ ବାବଦରେ ୧୨୫ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶା ହସ୍ତତନ୍ତ ଓ ହସ୍ପଶିଳ୍ପ ବିକାଶ ଏବଂ ସମୃଦ୍ଧି ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ନିକଟରେ ଘୋଷଣା ହୋଇଥିବା ‘ରାଜ୍ୟ ମିଲେଟ୍‌ ମିସନ’ ଅଧୀନରେ ମାଣ୍ଡିଆ ଆଦି ସଂଗ୍ରହ ପାଇଁ ୧୦୦ କୋଟି ବିନିଯୋଗ ହେବ। ବିଜୁ ଯୁବ ସଶକ୍ତୀକରଣ ଯୋଜନା ଓ ଏହାର ନୂଆ ଉପଯୋଜନା ‘ବିଜୁ ଯୁବ ବାହିନୀ’ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ ଲକ୍ଷ୍ୟ ରହିଛି।

ମାଧ୍ୟମିକ ବିଦ୍ୟାଳୟରେ ଭିତ୍ତିଭୂମି ଉନ୍ନତି ପାଇଁ ‘ମୋ ସ୍କୁଲ ଅଭିଯାନ’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଯୋଜନାରେ ଜନସାଧାରଣଙ୍କ ପ୍ରଦତ୍ତ ରାଶିର ଦୁଇଗୁଣ ଅର୍ଥ ସରକାର ପ୍ରଦାନ କରି ବିଜ୍ଞାନାଗାର, ପାଠାଗାର ଓ କ୍ରୀଡାର ବିକାଶ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପ୍ରାଥମିକ ସହାୟତା ଭାବେ ୫୦ କୋଟି ଟଙ୍କା ବରାଦ ହୋଇଛି। ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରୋତ୍ସାହନ ନିମନ୍ତେ ‘ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା’ରେ ୪୦ ହଜାର ସଫଳ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯିବ। ପ୍ରତ୍ୟେକ ସଫଳ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ଏହି ଯୋଜନା ପାଇଁ ୨୦ କୋଟିର ବ୍ୟୟବରାଦ ହୋଇଛି। ଅନ୍ୟାନ୍ୟ ପଛୁଆବର୍ଗ ଓ ସାମାଜିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟି ଛାତ୍ରାବାସ ବା ଛାତ୍ରୀନିବାସ ନିର୍ମାଣ ପାଇଁ ୩୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଅର୍ଥମନ୍ତ୍ରୀ କହିଛନ୍ତି, ୪୫ ବର୍ଷରୁ ଉର୍ଧ୍ୱ ମହିଳା କଳାକାର ଓ ୬୦ବର୍ଷରୁ ଉର୍ଧ୍ୱ ପୁରୁଷ କଳାକାରଙ୍କ ନିମନ୍ତେ ମାସିକ ୧୨ଶହ ଟଙ୍କା ହିସାବରେ ଭତ୍ତା ପ୍ରଦାନ କରିବା ଲାଗି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ଘୋଷଣା ହୋଇଛି। ଏଥିରେ ପ୍ରାୟ ୫୦ ହଜାର ହିତାଧିକାରୀ ଉପକୃତ ହେବେ ବୋଲି ହିସାବ କରାଯାଇଛି। ବଜେଟ୍‌ରେ ଏଥିପାଇଁ ୬୦ କୋଟି ଟଙ୍କା ନିଆଯାଇଛି। ଏହା ବ୍ୟତୀତ ସରକାର କୋଣାର୍କରେ ‘ସନ୍‌ ଆଣ୍ଡ ସ୍ୟାଣ୍ଡ୍‌ ମାରାଥନ୍‌’ ଆୟୋଜନ ପାଇଁ ୧୫ କୋଟି ଟଙ୍କା ବଜେଟ୍‌ରେ ରଖିଛନ୍ତି। ସେହିଭଳି ସତ୍ୟବାଦୀ ପଞ୍ଚସଖାଙ୍କ ପୀଠ ‘ବକୁଳବନ’ର ଉନ୍ନତି ପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ଲାଗି ଅର୍ଥ ରଖାଯାଇଛି।

ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ପାଞ୍ଚ ବର୍ଷ ପାଇଁ ସମସ୍ତ ଜାତୀୟ ବରିଷ୍ଠ ଏବଂ କନିଷ୍ଠ, ପୁରୁଷ ଓ ମହିଳା ହକି ପ୍ରତିଯୋଗିତା ପ୍ରାୟୋଜିତ ଲାଗି ହକି ଇଣ୍ଡିଆ ସହିତ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏ ବାବଦ ଅର୍ଥ ବି ବଜେଟ୍‌ରେ ନିଆଯାଇଛି।

ସମ୍ବନ୍ଧିତ ଖବର