ଭୁବନେଶ୍ବର : ଖଣିଜର ପ୍ରକୃତ ମାନକୁ ହ୍ରାସ କରି ପ୍ରଦର୍ଶନ କରିଥିବା ତିନିଟି ଖଣି ସଂସ୍ଥା ଉପରେ ରାଜ୍ୟ ସରକାର ୩୪୧ କୋଟି ଟଙ୍କା ଜରିମାନା ଲଗାଇଛନ୍ତି। ଜେଏସ୍ଡବ୍ଲୁ ଷ୍ଟିଲ୍ ଉପରେ ୨୯୮.୫୪ କୋଟି ଟଙ୍କା, ପଟ୍ଟନାୟକ ମିନେରାଲ୍ସ ଉପରେ ୩୭.୧ କୋଟି ଟଙ୍କା ଏବଂ ୟାଜ୍ଦାନି ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ ଉପରେ ୫.୪୨ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏହି ସଂସ୍ଥାଗୁଡ଼ିକ ଲୁହାପଥର ମାନକୁ ନିମ୍ନ କରି ପ୍ରଦର୍ଶନ କରୁଥିଲେ। ବିଧାୟକ ନବ ଚରଣ ମାଝିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ତଥ୍ୟ ଦେଇଛନ୍ତି।
ଖଣି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ କେତେକ ପଟ୍ଟାଦାର ପ୍ରିମିୟମ୍ରେ ହାସଲ କରିଥିବା ଖଣିରେ ଉଚ୍ଚ ମାନକୁ ହ୍ରାସ କରି ନିମ୍ନ ମାନର ଦର୍ଶାଇ ବ୍ୟାପକ ରାଜସ୍ବ ଫାଙ୍କୁଥିବା ଅଭିଯୋଗ ପରିପ୍ରେକ୍ଷୀରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଖଣିଗୁଡ଼ିକର ଗ୍ରେଡ୍ ନିରୂପଣ କରିବା ଲାଗି ଖଣି ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ଖଣି ନିୟନ୍ତ୍ରକ, ଭାରତୀୟ ଖଣି ବ୍ୟୁରୋ ଓ ଭୂତତ୍ତ୍ବ ନିର୍ଦେଶକଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। କମିଟି ୧୯ଟି ଖଣି ପରିଦର୍ଶନ କରିଥିଲେ ଓ ସେଥିରୁ ୩ଟି ଖଣିରେ ଖଣିଜର ମାନ ହ୍ରାସ କରାଯାଉଥିବା ଅନୁଧ୍ୟାନ କରିଥିଲେ।
କୋଇଡ଼ା ବ୍ଲକ୍ ଅଧୀନରେ ଥିବା ଜେଏସ୍ଡବ୍ଲୁ ଷ୍ଟିଲ୍ର ନାରାୟଣୀପୋଷୀ ଆଇରନ୍ ଓ ମାଙ୍ଗାନିଜ୍ ପଥର ଖଣିରେ ପଥରର ମାନକୁ ହ୍ରାସ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ୨୦୨୧ ନଭେମ୍ବର ପରଠାରୁ କ୍ରସର ଚାଲୁନଥିବା ଅନୁଧ୍ୟାନ ବେଳେ ଦର୍ଶାଯାଇଥିଲା। ମାତ୍ର ପାରିପାର୍ଶ୍ବିକ ପରିସ୍ଥିତିରୁ ସେଠାରେ କ୍ରସର ଚାଲୁଥିବାର ପ୍ରମାଣ ମିଳିଥିଲା। ସେହିପରି ୟାଜଦାନି ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍ର କୋଲ୍ମଙ୍ଗ ଆଇରନ୍ ଓ ମାଙ୍ଗାନିଜ ପଥର ଖଣିରେ ୨୦୨୧-୨୨ରେ ଖଣିଜର ମାନ ହ୍ରାସ କରାଯାଇଥିବା ଜଣାପଡ଼ିଥିଲା। ସେହିପରି ପଟ୍ଟନାୟକ ମିନେରାଲ୍ସର ମହୁଲଶୁଖା ଆଇରନ ଓ ମାଙ୍ଗାନିଜ ପଥର ଖଣିରେ ୨୦୨୧-୨୨ରେ ଖଣିଜର ମାନ ହ୍ରାସ କରି ପ୍ରଦର୍ଶନ କରାଯାଇଥିବା ଜଣାପଡ଼ିଥିଲା।