ଏସ୍‌ଟିଏଫ୍‌ ହାତରେ ସାଢ଼େ ୩୭ଲକ୍ଷର ନକଲି ନୋଟ୍‌

ମାଷ୍ଟରମାଇଣ୍ଡ ଗିରଫ, ସହଯୋଗୀ ଫେରାର୍‌, ହୋଇଥିଲା ୫ଲକ୍ଷର ଡିଲ୍‌

ଭୁବନେଶ୍ବର/ଟିଟିଲାଗଡ଼ : ଦୀର୍ଘଦିନ ଧରି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଚାଲିଥିବା ଏକ ନକଲି ନୋଟ୍‌ କାରବାର ରୢାକେଟ୍‌କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଠାବ କରିଛି। ରୢାକେଟ୍‌ର ମାଷ୍ଟରମାଇଣ୍ଡକୁ ଗିରଫ କରିବା ସହ ତା’ଠାରୁ ସାଢ଼େ ୩୧ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରାଯାଇଛି। ସେ ହେଲା କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟାମାଳ ଅଞ୍ଚଳର ଲିଙ୍ଗରାଜ‌ ବେହେରା(୫୦)। ଅନ୍ୟପଟେ ଗ୍ୟାଙ୍ଗର ଫର୍ଦ୍ଦାଫାଶ ପାଇଁ ଏସ୍‌ଟିଏଫ୍‌ ତନାଘନା ଆରମ୍ଭ କରିଛି। ଏହି ରୢାକେଟ୍‌ରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? କେତେ ଦିନ ହେବ ଏହି ରୢାକେଟ୍‌ ଚାଲିଥିଲା? ନକଲି ନୋଟ୍‌ କେଉଁଠୁ ଆସୁଥିଲା? କେଉଁଠି ଛପାଯାଉଥିଲା? ସମସ୍ତ ଦିଗକୁ ନେଇ ଏସ୍‌ଟିଏଫ୍‌ ତଦନ୍ତ କରୁଛି। ଦରକାର ପଡ଼ିଲେ ଲିଙ୍ଗରାଜକୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଳି ଜଣେ ଅଧିକାରୀ କହିଛନ୍ତି।

ସୂଚନା ମୁତାବକ, କିଛିଦିନ ହେବ ଟିଟିଲାଗଡ଼ ଅଞ୍ଚଳର ପେଟ୍ରୋଲ୍‌ ପମ୍ପ, ଦୋକାନ ବଜାରରେ ନକଲି ନୋଟ୍‌ କାରବାର ହେଉଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଥିଲା। ତୁରନ୍ତ ସେଠାରେ ଏକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତେବେ ଗତ ୧ ତାରିଖ ରାତିରେ ଜଣେ ବ୍ୟବସାୟୀଙ୍କୁ ସାଢ଼େ ୩୧ଲକ୍ଷ ଟଙ୍କା ଦେବା ପାଇଁ ୫ଲକ୍ଷ ଟଙ୍କାର ଡିଲ୍‌ ହୋଇଥିଲା। ବ୍ୟବସାୟୀ ଜଣଙ୍କ ୫ଲକ୍ଷ ଟଙ୍କା ଦେଇଥାଆନ୍ତେ। ତେବେ ଲିଙ୍ଗରାଜ ନକଲି ଟଙ୍କା ଧରି ସହରର ମହାରାଜା ସାଗର ନିକଟରେ ଥିବା ଆଇ ଲଭ୍‌ ଟିଟିଲାଗଡ଼ ପାର୍କଠାରେ ଅପେକ୍ଷା କରିଥିଲା। ଏହି ସମୟରେ ଏସ୍‌ଟିଏଫ୍‌ ଟିମ୍‌ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ତେବେ ଏସ୍‌ଟିଏଫ୍‌ ଟିମ୍‌ ଜାଣି ପାରି ଲିଙ୍ଗରାଜ ଓ ସହଯୋଗୀ ଫେରାର୍‌ ଉଦ୍ୟମ କରିଥିଲେ। କିଛି ସମୟ କସରତ ପରେ ଏସ୍‌ଟିଏଫ୍‌ ଲିଙ୍ଗରାଜକୁ କାବୁ କରି ନକଲି ଟଙ୍କା ଜବତ କରିଥିବା ବେଳେ ସହଯୋଗୀ ଫେରାର୍‌ ହୋଇଯାଇଥିଲା। ଟଙ୍କା ନେଇ ପଚରା ଉଚରା କରିବାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲା। ଏନେଇ ଏସ୍‌ଟିଏଫ୍‌ ମାମଲା ରୁଜୁକରି ତାକୁ କୋର୍ଟ ଚାଲାଣ କରିଛି।

ଜବତ ହୋଇଥିବା ନକଲି ନୋଟ୍‌ର ଯାଞ୍ଚ ପାଇଁ ନୋଟ୍‌କୁ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ମୁଦ୍ରଣ ନଗରରେ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍ଗ ନୋଟ୍‌ ମୁଦ୍ରଣ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି। ଏହି କାରବାରରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ଏ ଦିଗରେ ଏସଟିଏଫ୍ ଓ ସ୍ଥାନୀୟ ପୁଲିସ ଅଧିକ ତଦନ୍ତ କରୁଛି। ଏପର୍ଯ୍ୟନ୍ତ ଏସ୍‌ଟିଏଫ୍‌ ବିଭିନ୍ନ ମାମଲାରେ ୭୮ଲକ୍ଷ ୭୦ହଜାର ୬ଶହ ଟଙ୍କାର ନକଲି ନୋଟ୍‌ ଜବତ କରିଛି।

ସମ୍ବନ୍ଧିତ ଖବର