ଭୁବନେଶ୍ବର : ଦଶହରାରୁ ଦୀପାବଳି ପର୍ଯ୍ୟନ୍ତ ରାଜ୍ୟ‌ରେ ପ୍ରାୟ ୪ ହଜାର କୋଟି ଟଙ୍କାର କାରବାର ହୋଇଛି। ଗତବର୍ଷ ତୁଳନାରେ ଏଥର ୫୦ ପ୍ରତିଶତ ଅଧିକ ବ୍ୟବସାୟ ହୋଇଛି। କରୋନା ଯୋଗୁଁ ଦୁଇ ବର୍ଷ ଧରି ଓଡ଼ିଶାର ଅର୍ଥନୀତି ଦୋହଲିଯାଇଥିଲା। ଚଳିତବର୍ଷ କୋଭିଡ୍ ଜନିତ କଟକଣା ହଟିଥିଲା ଓ ପାର୍ବଣ ସମୟରେ ପାଣିପାଗ ବି ବେଶ୍ ଅନୁକୂଳ ରହିଥିଲା। କେବଳ ସେତିକି ନୁହେଁ, ଉଭୟ ସରକାରୀ କର୍ମଚାରୀ ଦରମା ଓ ବୋନସ୍ ପାଇଥିଲେ, ଏହା ତାର ପ୍ରଭାବ ବୋଲି କୁହାଯାଉଛି।

Advertisment

୨୦୨୧ରେ ପାର୍ବଣ ଋତୁରେ କାରବାର ପରିମାଣ ୨୬୦୦ କୋଟି ଟଙ୍କା ପାଖାପାଖି ଥିଲା। ୨୦୨୨ ପାର୍ବଣ ଋତୁରେ ତାହା ୪୦୦୦ କୋଟି ଟଙ୍କାରୁ ଅଧିକ ରହିଛି। ଲୋକମାନେ ଏହି ସମୟରେ ସୁନା ଓ ଗହଣା କିଣିବାରେ ଅଧିକ ବ୍ୟୟ କରିଛନ୍ତି। ଏହା ବ୍ୟତୀତ କାର, ବାଇକ୍‌, ସ୍କୁଟର, ଟିଭି, ଫ୍ରିଜ୍, ୱାସିଂ ମେସିନ୍, ଏସି, ମାକ୍ରୋଓଭେନ୍, ଇଲେକ୍ଟ୍ରିକାଲ୍ ସାମଗ୍ରୀ, ପୋଷାକ, ରୋଷେଇ ଘର ଉପକରଣ, ଖେଳନା, ଆପ୍ଲାଏନ୍‌ସେସ୍‌, ଏଫ୍ଏମ୍‌ସିଜି ଉତ୍ପାଦ, ମିଠା, ଚକୋଲେଟ୍‌, ଉପହାର ସାମଗ୍ରୀ ଏବଂ ଘର ସାଜ୍ଜସଜା ସାମଗ୍ରୀ ମଧ୍ୟ କିଣିଛନ୍ତି। ପ୍ରାୟ ସବୁ ଦୋକାନରେ ଏଥର ଭିଡ଼ ଦେଖିବାକୁ ମିଳିଥିଲା। ବ୍ୟବସା‌ୟୀ ମହାସଂଘ ଅଧୀନରେ ରାଜ୍ୟର ୨୦ ଲକ୍ଷରୁ ଅଧିକ ବ୍ୟବସାୟୀ ରହିଛନ୍ତି। ସେମାନଙ୍କ ଦୋକାନରେ ଏହି ସବୁ ସାମଗ୍ରୀ ବିକ୍ରି ହୋଇଛି ବୋଲି କହିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ତଥା ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଓଡ଼ିଶା ରାଜ୍ୟ ସଭାପତି ସୁଧାକର ପଣ୍ଡା।

‌ତେବେ ପାର୍ବଣ ସମୟରେ ଅନ୍‌ଲାଇନ୍‌ରେ ମଧ୍ୟ ବହୁତ ଭଲ କାରବାର ହୋଇଛି। ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଇ-କମର୍ସ ସାଇଟ୍‌ରୁ ଲୋକମାନେ ମୋବାଇଲ୍‌ ଫୋନ୍, ହେଡ୍‌ଫୋନ୍, ଇୟରଫୋନ୍, ଆସେସୋରିଜ୍, ପୋଷାକ, ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ରୋଷେଇ ଘର ସାମଗ୍ରୀ ଆଦି କିଣାକିଣି କରିଛନ୍ତି। ଓଡ଼ିଶାକୁ ନେଇ କୌଣସି ନିର୍ଦିଷ୍ଟ ତଥ୍ୟ ଉପଲବ୍ଧ ନଥିବାରୁ ଏହି ହିସାବରେ ଅନଲାଇନ୍‌ କାରବାର ତଥ୍ୟକୁ ସାମିଲ କରାଯାଇନାହିଁ। ଅନଲାଇନ୍ କାରବାରକୁ ଯୋଡ଼ିଲେ ଏବର୍ଷ ପାର୍ବଣରେ କାରବାର ୪୦୦୦ କୋଟି ଟଙ୍କାରୁ ନିଶ୍ଚିତ ଯଥେଷ୍ଟ ଅଧିକ ହୋଇଥିବ ବୋଲି କୁହାଯାଇପାରିବ।

publive-image
ଉଲ୍ଲେଖଥାଉକି, ପାର୍ବଣ ଋତୁରେ ଧନ୍‌ତେରସ୍‌ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଦିନ ରାଜ୍ୟରେ ପ୍ରାୟ ୧୭୦ କୋଟି ଟଙ୍କାର ସୁନା କାରବାର ହୋଇଛି। ଏହା ବ୍ୟତୀତ ବହୁ ଲୋକ କାର୍‌, ବାଇକ୍ ଓ ସ୍କୁଟରର ଡେଲିଭରି ହାସଲ କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଦୋକାନରେ ମଧ୍ୟ ବିଭିନ୍ନ ଜିନିଷ କିଣିବାକୁ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ସୁନା ଗହଣା ଦୋକାନା, ଇଲେକ୍ଟ୍ରୋନିକ୍ସ ଓ ଗାଡ଼ି ସୋ’ରୁମ୍‌ଗୁଡ଼ିକ ଆକର୍ଷଣୀୟ ଓ ମନଲୋଭା ଅଫର ଘୋଷଣା କରିଥିଲେ।

ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ତଥ୍ୟ ଅନୁଯାୟୀ ସାରା ଦେଶରେ ଗତ ‌‌ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨୩ ତାରିଖ ମଧ୍ୟରେ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ଏହା ଦ୍ବାରା କ୍ଷୁଦ୍ର ଶିଳ୍ପ, ସ୍ଥାନୀୟ ବ୍ୟବସାୟୀ, କାରିଗର, କଳାକାର ଏବଂ ବୁଣାକାରମାନେ ଉପକୃତ ହୋଇଛନ୍ତି। ମହାସଂଘର ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଭାରତରେ ବ୍ୟବସାୟ କରିବାର ପଦ୍ଧତି ବଦଳିଛି। ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍‌ ଗ୍ରହଣ କରିବା ଲାଗି ବ୍ୟବସାୟୀମାନେ ବାୟୋମେଟ୍ରିକ୍ ମେସିନ୍, ପିଓଏସ୍‌ ମେସିନ୍, କ୍ୟୁଆର୍‌ କୋଡ୍ ଆଦି ବ୍ୟବହାର କରୁଛନ୍ତି। ୨୦୧୯ରେ ପାର୍ବଣ ଋତୁରେ ସାରା ଦେଶରେ ପ୍ରାୟ ୯୦ ହଜାର କୋଟି ଟଙ୍କାର କାରବାର ହୋଇଥିଲା। ଚଳିତ ବର୍ଷ ଭାରତୀୟମାନେ ସ୍ବଦେଶୀ ସାମଗ୍ରୀ କିଣିବା ଉପରେ ଅଧିକ ଧ୍ୟାନ ଦେଇଥିବାରୁ ଚୀନ୍‌କୁ ୭୫ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଶ୍ରୀ ଖଣ୍ଡେଲୱାଲ କହିଛନ୍ତି।