କାଳିଆପାଣି : କ୍ରୋମ୍ ଉପତ୍ୟକାର ଖଣି ପ୍ରଭାବିତ ସୁକିନ୍ଦା ଓ ଦାନଗଦୀ ବ୍ଲକର ବିକାଶ ପାଇଁ ଆଗାମୀ ଦିନରେ ୬୩୫ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ କରାଯିବ। ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଅଭ୍ୟର୍ଥନା ପ୍ରକୋଷ୍ଠରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏ ସଂପର୍କିତ ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ଆଜିର ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍ଏଫ୍) ବୋର୍ଡର ଅନୁମୋଦନ ଲାଭ କରିଛି। ଏଥିରେ ଶିକ୍ଷାର ବିକାଶ ଓ ପ୍ରସାର ପାଇଁ ସର୍ବାଧିକ ଗୁରୁତ୍ବ ଦିଆଯାଇ ଉଭୟ ବ୍ଲକର ବିଭିନ୍ନ ପ୍ରାଥମିକ ସ୍କୁଲ ଓ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ପାଇଁ ୨୫୫ କୋଟି, ସମସ୍ତ ଆଶ୍ରମ ସ୍କୁଲର ଉନ୍ନତୀକରଣ ଓ ରୂପାନ୍ତରଣ ପାଇଁ ୨୫ କୋଟି, କୁହିକା ଯୁକ୍ତ ୨ କଲେଜ ଭିତ୍ତିଭୂମି ପାଇଁ ୧୨ କୋଟି ୫୦ ଲକ୍ଷ ଓ କାଳିଆପାଣିରେ ପ୍ରସ୍ତାବିତ ଆଦର୍ଶ ବିଦ୍ୟାଳୟ ପାଇଁ ୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସେହିପରି ଟମକା-ମଙ୍ଗଳପୁର ସଡ଼କର ପ୍ରଶସ୍ତୀକରଣ ପାଇଁ ୧୮୦ କୋଟି, ଉଭୟ ବ୍ଲକର ବିଭିନ୍ନ ପଞ୍ଚାୟତର ସଡ଼କ ଓ ଡ୍ରେନ୍ ନିର୍ମାଣ ଓ ଦାନଗଦୀ ବ୍ଲକ ତ୍ରିଜଙ୍ଗା କଲୋନିର ଉନ୍ନତୀକରଣ ପାଇଁ ୨୨ କୋଟି ୫୦ ଲକ୍ଷ, ସମସ୍ତ ପଞ୍ଚାୟତରେ ଗ୍ରିନ୍ ପାର୍କ ଓ ଷ୍ଟାଡିଅମ୍ ନିର୍ମାଣ ପାଇଁ ୪୮ କୋଟି, ଦକ୍ଷତା ବିକାଶ ଓ ଜୀବିକା ଅର୍ଜନ ଯୋଜନା ଲାଗି ୫୦ କୋଟି ଟଙ୍କା ବ୍ୟୟ କରାଯିବାକୁ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଡିଏମ୍ଏଫ୍ ସିଇଓ ତଥା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଟ୍ରଷ୍ଟ୍ ବୋର୍ଡ ସଭ୍ୟ ଭାବେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି ଓ କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର ଏବଂ ଉନ୍ନୟନ କାର୍ଯ୍ୟରେ ସଂପୃକ୍ତି ରହୁଥିବା ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ। ଡିଏମ୍ଏଫ୍ ଟିମ୍ ଲିଡର ଡ. କୁମାର ଶୁଭାଶିଷ ବୈଠକର ସଂଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/jjj.jpg)