ଧର୍ମଶାଳା : ଧର୍ମଶାଳା ବ୍ଲକ୍ ଜାରକା ପଞ୍ଚାୟତ ଦୁବଗଡ଼ିଆ ମୌଜାରେ ରହୁଥିବା ବ୍ୟବସାୟୀ ଅୟସକାନ୍ତ ରାୟଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟରୁ କୌଣସି ଦୁର୍ବୃତ୍ତ ପର୍ଯ୍ୟାୟକ୍ରମେ ୯୫ ହଜାର ଟଙ୍କା ଉଠାଇ ନେଇଛି। ଏନେଇ ଶ୍ରୀ ରାୟ ଜାରକା ଶାଖାର
ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସାଇବର ପୁଲିସ୍ ଅଭିଯୋଗ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି।
ପ୍ରକାଶ ଯେ, ଦୁବଗଡ଼ିଆ ବାସିନ୍ଦା ଶ୍ରୀ ରାୟ ଜାରକା ଏସ୍ବିଆଇ ଶାଖାରେ ଥିବା ଆକାଉଣ୍ଟ (ନଂ-୩୧୫୦୧୯୩୭୩୫୨)ରେ ଟଙ୍କା ଦେଣନେଣ କରନ୍ତି। ଗତ ଏପ୍ରିଲ ୧୮ ତାରିଖରୁ ମେ ୪ ତାରିଖ ମଧ୍ୟରେ ତାଙ୍କ ଅଜାଣତରେ କେହି ୮ଟି ପର୍ଯ୍ୟାୟରେ ୯୫ ହଜାର ଟଙ୍କା ଉଠାଇ ନେଇଛନ୍ତି। ଏପ୍ରିଲ ୧୮ ତାରିଖରେ ୨ ଥରରେ ୬ ହଜାର, ୧୯ ତାରିଖରେ ୩ ହଜାର, ୨୦ ତାରିଖରେ ୯ ହଜାର, ୨୬ ତାରିଖରେ ୧୫ ହଜାର ଟଙ୍କା, ୨୮ ତାରିଖରେ ୨ ଥରରେ ୨୦ ହଜାର ଟଙ୍କା ଲେଖାଏଁ ୨ ଥର ଓ ମେ ୪ ତାରିଖରେ ୪୫ ହଜାର ଟଙ୍କା ଡେବିଟ୍ କାର୍ଡ ମାଧ୍ୟମରେ ଉଠାଣ ହୋଇଛି। ତେବେ ୫ ହଜାର ଟଙ୍କା ଉଠାଣ ସମୟରେ ଗ୍ରାହକଙ୍କ ମୋବାଇଲକୁ ଓଟିପି ମେସେଜ୍ ଆସୁଥିବା ବେଳେ ତାଙ୍କୁ ଏନେଇ କୌଣସି ସୂଚନା ମିଳିନଥିବାରୁ ସେ ବିସ୍ମୟ ପ୍ରକାଶ କରିଛନ୍ତି। ଏପରିକି ଡେବିଟ୍ କାର୍ଡ ତାଙ୍କ ଘରେ ରହିଥିବା ବେଳେ ଏହା କିଭଳି ବ୍ୟବହାର ହେଲା ତାକୁ ନେଇ ଶ୍ରୀ ରାୟ ପ୍ରଶ୍ନ ଉଠାଇଛନ୍ତି।
ଠକେଇର ଶିକାର ହୋଇଥିବା ଗ୍ରାହକଙ୍କୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସାହାଯ୍ୟ କରିବା ପରିବର୍ତ୍ତେ ହାତ ଛାଡ଼ିଦେବା ଘଟଣାକୁ ସେ ନାପସନ୍ଦ କରିଛନ୍ତି। ସାଇବର ପୁଲିସ୍ ଲୁଟ୍ ହୋଇଥିବା ଟଙ୍କାକୁ ତୁରନ୍ତ ଫେରାଇ ଆଣିବାକୁ ଶ୍ରୀ ରାୟ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/atm-2.jpg)