ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବ୍ୟତୀତ ସୁନ୍ଦରଗଡ଼ରେ ଛୋଟବଡ ମୋଟ ୩୫୯ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍ଘାଟନୀ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ରାଜଗାଙ୍ଗପୁର ପୌରପାଳିକାରେ ୪୨.୯୭ କୋଟିର ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ଲାଠିକଟା ବ୍ଲକ ଅନ୍ତର୍ଗତ ସୁଇଡିହିରେ ୧୪ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ମାନସିକବାଧିତ ପୁରୁଷ ଆଶ୍ରମ । କୋଇଡା ବ୍ଲକରେ ୩୬ କୋଟି ୫୫ ଲକ୍ଷ ଟଙ୍କାରେ ନୂଆ ତନ୍ତରା ସ୍କୁଲରୁ କସ୍ତୁଟୋଲା, ବିମଳାଗଡରୁ ପରମଡିହି, ରେହ୍ଲାତୁରୁ ମହୁଆପଦା, ଟୋପାଡିହିରୁ କରମପଦା, ନାଳିଆଡିହି ରୁ ମିର୍ଥିଡା, ପାଟମୁଣ୍ଡାରୁ ପାନପୋସିଆ, କଦମଟୋଲା ରୁ ଆମ୍ଭାଝରଣ, ପାଟବେଡାରୁ ଦଳିତା, ତେହେରାଇ ବନ କ୍ୟାମ୍ପରୁ ଭାଲିଆଡିହି, ଆର୍ଡି ରାସ୍ତାରୁ ରଙ୍ଗମାଟିଆ ରାସ୍ତାର ଉଦ୍ଘାଟନ କରିଥିଲେ।
୪୧୭.୭୭ କୋଟିର ସରକାରୀ ମେଡିକାଲ କଲେଜ ଲୋକାର୍ପିତ
ପ୍ରଥମ ପର୍ଯ୍ୟାୟରେ ଗଡ଼ିଲା ୩୦ଟି ‘ମୋ ବସ୍’
ବଣାଇ ବ୍ଲକରେ ୩୫ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟରେ ବ୍ରାହ୍ମଣୀନଦୀ ଉପରେ ଏଚ୍ଏଲ୍ ପୋଲ, କୁଆରମୁଣ୍ଡା ବ୍ଲକରେ ୯ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ପୋଲ, ୧୭ କୋଟି ଟଙ୍କା ବ୍ୟୟରେ ରାଉରକେଲା ପାନ୍ଥନିବାସର ଉନ୍ନତିକରଣ କାର୍ଯ୍ୟ, ସୁନ୍ଦରଗଡ଼, ତଲସରା, ବୀରମିତ୍ରପୁର, ରାଜଗାଙ୍ଗପୁର ଓ ବଣାଇ ନିର୍ବାଚନ ମଣ୍ଡଳୀରେ ୧୨ କୋଟି ଟଙ୍କା ବ୍ୟୟରେ ୮ଟି ୧୦୦ ଶଯ୍ୟା ବିଶିଷ୍ଟ ସଂଖ୍ୟାଲଘୁ ହଷ୍ଟେଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ହେମଗିରି ବ୍ଲକ ଅନ୍ତର୍ଗତ ଜୁଲୁମ୍ବାହାଲ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରନିବାସ, କର୍ମଚାରୀ କ୍ବାର୍ଟର୍ସ, ଶ୍ରେଣୀଗୃହ ସହ ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଏସ୍ଏସ୍ଡି ଉଚ୍ଚ ବିଦ୍ୟାଳୟର ଛାତ୍ରନିବାସ, ଛାତ୍ରୀ ନିବାସ କର୍ମଚାରୀଙ୍କ କ୍ବାର୍ଟର୍ସ ଉଦ୍ଘାଟିତ ହୋଇଯାଇଛି।
ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଜିଏନ୍ଏମ୍ ବିଦ୍ୟାଳୟରେ ୩ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ପ୍ରଥମ ମହଲା କୋଠା, ସୁନ୍ଦରଗଡ଼ରେ ୧୦ କୋଟି ଟଙ୍କା ବ୍ୟୟରେ ଭବାନୀଭବନ ଇଣ୍ଡୋର ଷ୍ଟାଡିୟମ, ୧୦ କୋଟି ଟଙ୍କା ବ୍ୟୟରେ ଭବାନୀପୁର ସ୍କୋର୍ଟସ୍ ଟ୍ରେନିଂ ହଷ୍ଟେଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ବଣାଇ ବ୍ଲକ ଅନ୍ତର୍ଗତ ଝିର୍ଡାପାଲିରେ ୭୨ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟରେ ଭାରିଯାନ ତାଲିମ ଅନୁଷ୍ଠାନ, ୪୧୭.୭୭ କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ, ୩ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟରେ ବନ୍ଧପାଲି ମେଗା ଜଳ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ।
ସେମିତି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଅଧୀନରେ ୱାଲ୍ ପେଣ୍ଟିଂ, ମୁକ୍ତାଯୋଜନାରେ ପାଚେରି ନିର୍ମାଣ, ହନୁମାନବାଟିକାରୁ ସ୍ପେସ୍ ଛକ ପର୍ଯ୍ୟନ୍ତ ପାଥ୍ୱେ ନିର୍ମାଣ, ପାନପୋଷ ମାର୍କେଟ ନିକଟ ଗାଡି ପାର୍କିଂ, ରଙ୍ଗିଲା ଛକରୁ ତରକେରା ପମ୍ପହାଉସ ପର୍ଯ୍ୟନ୍ତ ରାସ୍ତା ଆଲୋକୀକରଣ, ଟ୍ରାଫିକ ଗେଟ୍ ମାର୍କେଟର ପାରିପାର୍ଶ୍ବିକ ବିକାଶ, ଡିଏଭି ପୋଖରୀ ପାଚେରୀ ନିର୍ମାଣ ଆଦି ପ୍ରକଳ୍ପଗୁଡ଼ିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ୩୦ଟି ‘ମୋ ବସ୍’ ସେବାର ଶୁଭାରମ୍ଭ କରିଛନ୍ତି। ଏସବୁ ବସ୍ଗୁଡ଼ିକ ସହରରୁ କେଉଁ କେଉଁ ବ୍ଲକ ଚାଲିବ ଓ ସହରରେ କେଉଁ କେଉଁ ରୁଟ୍ରେ ଚାଲିବ ଏଯାଏଁ ନିଷ୍ପତ୍ତି ନିଆ ଯାଇ ନଥିବା ଜଣାପଡିଛି।