ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କାପ୍‌ଟିଭ୍‌ ପାୱାର ପ୍ଲାଣ୍ଟ (ସିପିପି)-୧ରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଜଣକ ହେଲେ, ସେକ୍ଟର-୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା (୪୨)। ଅନ୍ୟ ଜଣେ ଠିକା ଶ୍ରମିକ ସୁଶୀଲ କୁମାର ଦେଓଗ୍ରାମ ଆହତ ହୋଇଛନ୍ତି। ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଆର୍‌ଏସ୍‌ପି କର୍ତ୍ତୃପକ୍ଷ।

Advertisment

ଉଭୟ ଅମର ଓ ସୁଶୀଲ ରାଉରକେଲାର ଏକ ଠିକା ସଂସ୍ଥା ‘ଗୋମତି ଏଣ୍ଟରପ୍ରାଇଜେସ୍‌’ ଅଧୀନରେ କାମ କରୁଥିଲେ। ରବିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଦୁହେଁ ସିପିପି -୧ରେ ସଫାଇ କାମ କରୁଥିଲେ। ସେତିକିବେଳେ ହଠାତ୍‌ ପାଇପ୍‌ ଲାଇନ୍‌ରେ ବିସ୍ଫୋରଣ ଘଟିବାରୁ ଲୁହା ପାଇପ୍‌ ଫାଟି ଦୁହିଁଙ୍କ ଉପରେ ପଡ଼ିଥିଲା। ଫଳରେ ଅମରଙ୍କ ବେକ କଟିଯାଇଥିଲାବେଳେ ସୁଶୀଲଙ୍କ ଦେହରେ ଗଭୀର ଆଘାତ ଲାଗିଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଆଇଜିଏଚ୍‌ରେ ପଞ୍ଚିବା ପୂର୍ବରୁ ଅମରଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ।

ମୃତକଙ୍କ ପରିବାର ଓ ଶ୍ରମିକ ସଙ୍ଗଠନ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଅଡ଼ି ବସିବାରୁ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ରାଉରକେଲା କଣ୍ଟ୍ରାକ୍ଟର୍ସ ଆସୋସିଏନ୍‌ର ସମ୍ପାଦକ ସଜ୍ଜଲ ବାନାର୍ଜୀ ଓ ଅନ୍ୟମାନେ ପହଞ୍ଚି ମୃତକଙ୍କ ପରିବାରକୁ ବୁଝାସୁଝା କରିଥିଲେ। ଠିକା ସଂସ୍ଥା ମୃତକଙ୍କ ପତ୍ନୀ ସ୍ମିତା କୁମାରୀ ପଣ୍ଡାଙ୍କୁ ୩ ଲକ୍ଷ ଟଙ୍କା ଓ ଆର୍‌ଏସ୍‌ପି ମ୍ୟାନେଜମେଣ୍ଟ ନିଯୁକ୍ତି ପତ୍ର ପ୍ରଦାନ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଆର୍‌ଏସ୍‌ପି କାର୍ଯ୍ୟବାହୀ ନିର୍ଦ୍ଦେଶକ ଅମରେନ୍ଦୁ ପ୍ରକାଶ ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଯାଞ୍ଚ ଟିମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଘଟଣ ପାଇଁ ବିଭିନ୍ନ ଶ୍ରମିକ ସଙ୍ଗଠନ ଆର୍‌ଏସ୍‌ପିର ବିଭାଗୀୟ ଅଧିକାରୀଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।