ଆର୍‌ଏସ୍‌ପିର ସିଏସ୍‌ଆର୍‌ ବ୍ୟୟ: ଶିକ୍ଷା କ୍ଷେତ୍ରରେ ସର୍ବାଧିକ, ୭ ବର୍ଷରେ ୪୭.୬୮ କୋଟି

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ପକ୍ଷରୁ ସିଏସ୍‌ଆର୍‌ ପ୍ରୟାସ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆର୍‌ଏସ୍‌ପିର ଚାରି ରାଜସ୍ବ ବ୍ଲକ, ଯଥା,-ଲାଠିକଟା, ନୂଆଗାଁ, କୁଆରମୁଣ୍ଡା ଓ ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ସ୍ବାବଲମ୍ବି କରିବାକୁ ପ୍ରଶିକ୍ଷଣ ଶିବିର ସମେତ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏତଦ୍‌ବ୍ୟତୀତ ସିଏସ୍‌ଆର ମାଧ୍ୟମରେ ବିପର୍ଯ୍ୟୟ ମୁକାବିଲା, ପରିବେଶ ସୁରକ୍ଷା, ଜାତୀୟ ଐତିହ୍ୟ ସଂରକ୍ଷଣ ଓ ବିକାଶ, ଗ୍ରାମ୍ୟ ବିକାଶ, କ୍ରୀଡ଼ା, ସ୍ବଚ୍ଛ ଭାରତ ଆଦି ଦିଗରେ ଅନୁଦାନ ଦିଆଯାଉଛି। ଗତ ୭ ବର୍ଷ ଭିତରେ ଆର୍‌ଏସ୍‌ପି ପକ୍ଷରୁ ସିଏସ୍‌ଆର୍‌ ବାବଦକୁ ୪୭.୬୮ କୋଟି ବ୍ୟୟ କରାଯାଇଥିବା ଜଣାପଡ଼ିଛି। ଆର୍‌ଏସ୍‌ପିର ସିଏସ୍‌ଆର୍‌ ମାଧ୍ୟମରେ କେଉଁ କ୍ଷେତ୍ରରେ କେତେ ବ୍ୟୟ କରିଛନ୍ତି ସେନେଇ ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ବିଧାନସଭାରେ ପ୍ରଶ୍ନ ଉପସ୍ଥାପନ କରିଥିଲେ। ଜବାବରେ ରାଜ୍ୟ ଶିଳ୍ପମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି। ମୋଟାମୋଟିଭାବେ ଆର୍‌ଏସ୍‌ପିର ସିଏସ୍‌ଆର୍‌ ପ୍ରୟାସ ଉନ୍ନତମାନର ରହିଛି; ତେବେ ବସ୍ତି ବିକାଶ, ପରିବେଶ କ୍ଷେତ୍ରରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।

ବିଭିନ୍ନ କ୍ଷେତ୍ରରେ ଆର୍‌ଏସ୍‌ପି ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୧-୨୨ ଯାଏ; ଅର୍ଥାତ୍‌ ଗତ ୭ ବର୍ଷରେ ୪୭ କୋଟି ୬୮ ଲକ୍ଷ ୫୪ ହଜାର ବ୍ୟୟ କରାଯାଇଛି। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସର୍ବାଧିକ ୨୨ କୋଟି ୧୮ ଲକ୍ଷ ୮୧ ହଜାର ବ୍ୟୟ କରାଯାଇଛି। ଦ୍ବିତୀୟରେ ରହିଛି ସ୍ବଚ୍ଛ ଭାରତ ଯୋଜନା। ଏ ଦିଗରେ କାରଖାନା ପକ୍ଷରୁ ୧୧ କୋଟି ୩୭ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ କରାଯାଇଛି। ଏତଦ୍‌ବ୍ୟତୀତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୭ କୋଟି ୭୪ ଲକ୍ଷ ୪୯ ହଜାର ବ୍ୟୟ ହୋଇଥିବାବେଳେ ବିପର୍ଯ୍ୟୟ ପରିଚାଳନା ଦିଗରେ ୨ କୋଟି ୭୦ ଲକ୍ଷ ୮୦ ହଜାର, ଜାତୀୟ ଐତିହ୍ୟ ସଂରକ୍ଷଣ ଓ ବିକାଶରେ ୧ କୋଟି ୧୨ ଲକ୍ଷ ୭୬ ହଜାର, ଲିଙ୍ଗଗତ ସମାନତା ଓ ସଶକ୍ତିକରଣରେ ୭୩ ଲକ୍ଷ ୫୫ ହଜାର, କ୍ରୀଡ଼ା କ୍ଷେତ୍ରରେ ୬୩ ଲକ୍ଷ ୩୮ ହଜାର, ଗ୍ରାମୀଣ ବିକାଶ ଦିଗରେ ୬୧ ଲକ୍ଷ ୨୫ ହଜାର, ବସ୍ତି ବିକାଶରେ ୪୪ ଲକ୍ଷ ୨୬ ହଜାର, ଓ ପରିବେଶ କ୍ଷେତ୍ରରେ ୧୧ ଲକ୍ଷ ୫୦ ହଜାର ବିନିଯୋଗ କରାଯାଇଛି।
ତେବେ ବସ୍ତି ବିକାଶ ଦିଗରେ ସିଏସ୍‌ଆର୍‌ ବିନିଯୋଗ ଅପେକ୍ଷାକୃତ କମ୍‌ ରହିଛି। ଗତ ୭ ବର୍ଷ ମଧ୍ୟରୁ ମାତ୍ର ତିନିଟି ଆର୍ଥିକ ବର୍ଷରେ ଏ କ୍ଷେତ୍ରରେ ଅନୁଦାନ ମିଳିଥିଲା। ୨୦୧୪-୧୫ ଆର୍ଥିକ ବର୍ଷରେ ୯ ଲକ୍ଷ ୧ ହଜାର ବ୍ୟୟ ହୋଇଥିବାବେଳେ ୨୦୧୮-୧୯ରେ ୧୮ ଲକ୍ଷ ଓ ୨୦୨୧-୨୨ରେ ୧୭ ଲକ୍ଷ ୨୫ ହଜାର ବ୍ୟୟ କରାଯାଇଥିଲା। ତେବେ ୨୦୧୫-୧୬, ୨୦୧୬-୧୭, ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଏନେଇ କୌଣସି ଅର୍ଥ ଅନୁମୋଦିତ ହୋଇନଥିଲା।

ସମ୍ବନ୍ଧିତ ଖବର