୭୦ ବର୍ଷ ପରେ ବି ସରୁନି ଆର୍‌ଏସ୍‌ପି ବିସ୍ଥାପନ ସମସ୍ୟା

ଆଗେଇ ପାରୁନି କେନ୍ଦ୍ର ଓ ରାଜ୍ୟ ପ୍ରକଳ୍ପ, କୃଷକ ବଜାର, ବିଜ୍ଞାନ କେନ୍ଦ୍ର ବିବାଦରେ ଝୁଲୁଛି

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସ୍ଥାପନ ହେବାର ପ୍ରାୟ ୭୦ ବର୍ଷ ହୋଇ ଗଲାଣି, କିନ୍ତୁ ବିସ୍ଥାପିତଙ୍କ ସମସ୍ୟା ତୁଟୁନି। ଫଳରେ ଜାତୀୟ ଜନଜାତି କମିସନଙ୍କ ହସ୍ତକ୍ଷେପ ଯୋଗୁ ସହରରେ ଆଗେଇପାରୁନି ଅନେକ ପ୍ରକଳ୍ପ। ବର୍ଷ ବର୍ଷ ଧରି ଅଟକିଛି ଅନେକ ମେଗା ପ୍ରକଳ୍ପ। ରାଉରକେଲାରୁ ଭୁବନେଶ୍ବର ଓ ଦିଲ୍ଲୀ ପର୍ଯ୍ୟନ୍ତ ବୈଠକ ପରେ ବୈଠକ ବସୁଛି। ସମସ୍ୟା ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି। କିନ୍ତୁ, ସମାଧାନର ବାଟ ବାହାରିପାରୁନି। ନିକଟରେ ଜାତୀୟ ଜନଜାତି କମିସନର ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍‌ କରିଥିଲେ। ଏହାପରେ ମାମଲା ଟିକିଏ ବି ଆଗେଇ ନାହିଁ।

୨୦୦୯ରେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ପ୍ରଥମ ପର୍ଯ୍ୟାୟରେ ୮୭ ଓ ୨୦୧୦ରେ ଦ୍ବିତୀୟ ପର୍ଯ୍ୟାୟରେ ୬୬, ଏମିତି ମୋଟ୍‌ ୧୬୩ ଜଣଙ୍କୁ ଆର୍‌ଏସ୍‌ପିରେ ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ପରବର୍ତ୍ତୀ ସମୟରେ ଜଣେ ହେଲେ ବିସ୍ଥାପିତଙ୍କୁ ଆରଏସ୍‌ପିରେ ନିଯୁକ୍ତି ମିଳି ନଥିଲା। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା, ଆଜି ପର୍ଯ୍ୟନ୍ତ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ୬ଥର ଆରପିଡିଏସି ବୈଠକ ବସିଛି। ବିସ୍ଥାପିତଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଆର୍‌ଡିସି ନିର୍ଦ୍ଦେଶ ଦେଇଛନ୍ତି। ତା’ସତ୍ତ୍ବେ ଆଜି ଯାଏ ବିସ୍ଥାପିତଙ୍କ ସମସ୍ୟାର ଯେମିତିକୁ ସେମିତି ରହିଯାଇଛି। ଏଥିପାଇଁ ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଦୁଇଟି ମେଗା ପ୍ରକଳ୍ପ ଅଧପନ୍ତରିଆ ହୋଇ ପାଚେରିରେ ସୀମିତ ରହିଯାଇଛି। ପ୍ରଥମଟି ହେଉଛି ବାଲୁଘାଟସ୍ଥ ହୋଲସେଲ୍‌ କୃଷକ ବଜାର। ଗତ ୨୦୧୪ରେ ମୁଖ୍ୟମନ୍ତ୍ରୀ ଏହାକୁ ଶିଳାନ୍ୟାସ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପର୍ଯ୍ୟାୟରେ ୯୮ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ନିକଟରେ ସ୍ମାର୍ଟସିଟି ପକ୍ଷରୁ ୨୫ କୋଟି ଟଙ୍କା ଖର୍ଚ୍ଚ ହେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା‌। କିନ୍ତୁ, ସେଠାରେ ବିସ୍ଥାପିତଙ୍କ ଘର ଥିବାରୁ ସ୍ମାର୍ଟସିଟି ସେ ପ୍ରକଳ୍ପରୁ ଓହରି ଯାଇଛି। ପୂର୍ବରୁ ଆସିଥିବା ପ୍ରାୟ ୯୮ କୋଟି ଟଙ୍କାରୁ ୨୦% ଖର୍ଚ୍ଚ ହୋଇଛି। ଅବଶିଷ୍ଟ ଟଙ୍କା ସେମିତି ବ୍ୟାଙ୍କରେ ପଡିଛି।

ସେମିତି ଆଉ ଏକ ପ୍ରକଳ୍ପ ହେଉଛି ସେକ୍ଟର-୧୩ ଓମ୍‌ଫେଡ୍‌ ଡାଏରୀ ପଛପାର୍ଶ୍ବ କୃଷି ବିଜ୍ଞାନ କେନ୍ଦ୍ର। ୫୦ ଏକର ଜାଗାରେ ସୁନ୍ଦରଗଡ଼ ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ପାଚେରି ନିର୍ମାଣ ପାଇଁ ୧ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପାଚେରି ନିର୍ମାଣ କାମ ଆରମ୍ଭରୁ ପ୍ରତିବାଦ କରିଥିଲେ ସେଠାରେ ରହୁଥିବା ବିସ୍ଥାପିତ ପରିବାର। ଜମି ବଦଳରେ ଜମି ଓ ଆର୍‌ଏସ୍‌ପିରେ ନିଯୁକ୍ତି ଦାବିରେ ନିର୍ମାଣ କାମକୁ ଜୋରଦାର ବିରୋଧ କରିଥିଲେ। ଘଟଣାସ୍ଥଳରେ ୧୪୪ ଧାରା ଲାଗୁ ହୋଇଥିଲା। ବିସ୍ଥାପିତ ପରିବାର ଜିଲ୍ଲା ପ୍ରଶାସନ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ରହିତାଦେଶ ଜାରି କରିଥିଲେ। ସେବେଠୁ କୃଷି ବିଜ୍ଞାନ କେନ୍ଦ୍ର ସେମିତି ଅଧଖଣ୍ଡିଆ ପାଚେରୀରେ ସୀମିତ ରହିଛି। ବନ୍ଧମୁଣ୍ଡା କୁକୁଡା ଗେଟ୍‌ ରେଳ ଓଭରବ୍ରିଜ୍‌ରେ ମଧ୍ୟ ସେହି ସମାନ ସ୍ଥିତି ସୃଷ୍ଟି ହୋଇଛି। ଜମି ସମସ୍ୟାର ସମାଧାନ ହୋଇ ପାରୁ ନଥିବାରୁ ରେଳ ଓଭରବ୍ରିଜ୍‌ କାମ ଧିମେଇ ଚାଲିଛି। ସହର ଓ ଏହାର ଆଖପାଖରେ ଏମିତି ଅନେକ ପ୍ରକଳ୍ପ ବିସ୍ଥାପିତ ସମସ୍ୟାରୁ ଅଟକିଛି। ସେପଟେ ସମସ୍ୟାର ସମାଧାନ ପାଇ ଜାତୀୟ ଜନଜାତି କମିଶନ ଜିଲ୍ଲା ପ୍ରଶାସନ ବରିଷ୍ଠ ଅଧିକାରୀଙ୍କୁ ଅନେକ ବାର ଦାଗିଦ୍‌ କରିଛନ୍ତି। ପ୍ରର୍ଯ୍ୟାୟକ୍ରମେ ବିସ୍ଥାପିତ ପରିବାରଙ୍କ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କିନ୍ତୁ କିଛି ଫଳ ମିଳିନାହିଁ। ବିସ୍ଥାପିତଙ୍କ ସମସ୍ୟା ଓ ତା ଭିତରେ ଅଟକି ଯାଉଥିବା ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ସଂପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର