ଆର୍‌ଏସ୍‌ପି ୟୁନିଅନ ନିର୍ବାଚନ ବିଗୁଲ୍‌ ବାଜିଲା

ରାଉରକେଲା: ଶେଷଥର ପାଇଁ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ସ୍ବୀକୃତିପ୍ରାପ୍ତ ନିର୍ବାଚନ ୨୦୨୧ ନଭେମ୍ବର ୧୫ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟୀ ହୋଇଥିବା ରାଉରକେଲା ଶ୍ରମିକ ସଂଘ(ଆର୍‌ଏସ୍‌ଏସ୍‌)ର କାର୍ଯ୍ୟକାଳ ମାର୍ଚ୍ଚ ୧୧ ତାରିଖରେ ଶେଷ ହୋଇଥିଲା। ଏହା ପରଠାରୁ ବିଏମ୍‌ଏସ୍‌ ସହବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ଆର୍‌ଆଇକେକେଏସ୍‌) ନିର୍ବାଚନ ପାଇଁ ଦାବି କରିଆସୁଥିଲା। ଶୋଭାଯାତ୍ରା ସମେତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଶେଷରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଡେପୁଟି ଚିଫ୍‌ ଲେବର କମିସନର(ଭୁବନେଶ୍ବର)ଙ୍କ କାର୍ଯ୍ୟାଳୟରୁ ଆର୍‌ଏସ୍‌ପିର ସମସ୍ତ ଶ୍ରମିକ ସଂଗଠନକୁ ଅବଗତ କରାଯାଇଛି।
ଡେପୁଟି ଚିଫ୍‌ ଲେବର କମିସନରଙ୍କ କାର୍ଯ୍ୟାଳୟରୁ ଶନିବାର ଶ୍ରମିକ ସଂଗଠନକୁ ଚିଠି ମିଳିବାପରେ ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛନ୍ତି ଶ୍ରମିକ ସଂଗଠନ। ଡେପୁଟି ଚିଫ୍‌ ଲେବର କମିସନରଙ୍କ ନିର୍ଦ୍ଦେଶାନୁସାରେ, ସମସ୍ତ ଶ୍ରମିକ ସଂଗଠନ ନିଜ ନିଜ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାଁ ସହ ସଂଗଠନର ଅଧିନିୟମ, ନିର୍ବାଚନ ପାଇଁ ସହମତି ପତ୍ର ପ୍ରଦାନ କରିବେ। ଆସନ୍ତା ୧୫ ତାରିଖ ଭିତରେ ଏନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ବିଗତ ଦିନରେ ଆର୍‌ଏସ୍‌ପି ନିର୍ବାଚନକୁ ନେଇ ବିଭିନ୍ନ ଶ୍ରମିକ ସଂଗଠନ ନ୍ୟାୟାଳୟକୁ ଯିବାର ନଜିର ରହିଛି। ଏଥର ଏହାର ପୁନରାବୃତ୍ତି ଘଟିବ ନା ଶ୍ରମିକ ସଂଗଠନ ସହମତି ଦେବେ, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଉଲ୍ଲେଖଯୋଗ୍ୟ, ୨୦୨୧ ନିର୍ବାଚନବେଳେ ଆର୍‌ଏସ୍‌ପିରେ ୧୧,୬୫୩ ଜଣ ଶ୍ରମିକ ଭୋଟର୍‌ ଥିବାବେଳେ ଏବେ ଏହି ସଂଖ୍ୟାରେ ହ୍ରାସ ଘଟିଛି। ସଂପ୍ରତି ୯୮୫୦ରୁ ଅଧିକ ଭୋଟର୍‌ ଥିବା ଜଣାପଡ଼ିଛି।
ଡେପୁଟି ଚିଫ୍‌ ଲେବର କମିସନରଙ୍କ ନିଷ୍ପତ୍ତିକୁ ବିଏମ୍‌ଏସ୍‌ର ସ୍ବାଗତ
ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଆର୍‌ଆଇକେକେଏସ୍‌ ସ୍ବାଗତ କରିଛି। ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି, ମାର୍ଚ୍ଚ ୧୧ ତାରିଖରେ ସ୍ବୀକୃତିପ୍ରାପ୍ତ ସଂଗଠନର କାର୍ଯ୍ୟକାଳ ସମ୍ପନ୍ନ ହେବାପୂର୍ବରୁ ଫେବ୍ରୁଆରି ୮ ତାରିଖରେ ସଂଗଠନ ପକ୍ଷରୁ ନିର୍ବାଚନ ପାଇଁ ଭାରତ ସରକାରଙ୍କ ମୁଖ୍ୟ ଶ୍ରମ କମିସନରଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏମିତିକି ଅବଧି ସରିବା ଦିନ, ମାର୍ଚ୍ଚ ୧୧ ତାରିଖରେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଶ୍ରୁତି ଦେଇ ବିଗତ ନିର୍ବାଚନରେ ବିଜୟୀ ଲାଭ କରିଥିବା ସଂଗଠନ ଗୋଟିଏ ବି ପ୍ରତିଶ୍ରୁତିକୁ ପୂରଣ କରିପାରିଲାନି। ସ୍ବୀକୃତିପ୍ରାପ୍ତ ସଂଗଠନର ଅବହେଳା ଯୋଗୁଁ ବର୍ତ୍ତମାନ ଅବସର ନେଉଥିବା ଶ୍ରମିକ ଗ୍ରାଚୁଇଟି ଓ ଏରିଅର ବାବଦକୁ ପାଖାପାଖି ୧୩ ଲକ୍ଷ ଟଙ୍କା ହରାଉଛନ୍ତି। ବାସ୍ତବରେ ଶ୍ରମିକ ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆର୍‌ଆଇକେକେଏସ୍‌ ହିଁ ଏକମାତ୍ର ବିକଳ୍ପବୋଲି କୁହାଯାଇଛି।
ସମ୍ବନ୍ଧିତ ଖବର