ଦିବ୍ୟାଙ୍ଗ, ରୋଗାକ୍ରାନ୍ତଙ୍କୁ ଡ୍ୟୁଟି ଆସିବାକୁ ବାଧ୍ୟ କରୁଛି ଆରଏସପି

ଅନ୍ୟ ଇସ୍ପାତ କାରଖାନାରେ ଘରୁ କାମ କରିବାକୁ ସୁଯୋଗ

ରାଉରକେଲା: ଦେଶରେ କରୋନା ମହାମାରୀ ସଂକ୍ରମଣ ଶୀର୍ଷରେ ରହିଛି। ସଂକ୍ରମଣ ରୋକିବାକୁ ଏକାଧିକ ନିୟମାବଳୀ ଜାରି କରାଯାଇଛି। ଏମିତିକି ବିଭିନ୍ନ ଇସ୍ପାତ କାରଖାନାରେ କାର୍ଯ୍ୟରତ ଦିବ୍ୟାଙ୍ଗ, ଗର୍ଭବତୀ ଓ ଏକାଧିକ ରୋଗରେ ସଂକ୍ରମିତ ବ୍ୟକ୍ତିବିଶେଷଙ୍କୁ ଘରୁ ରହି ଡ୍ୟୁଟି କରିବାକୁ ନିୟମ କରାଯାଇଛି। ଏଚ୍ଆଇଭି, କେମୋଥେରାପି ନେଉଥିବା କ୍ୟାନ୍ସର ରୋଗୀ, ଜଟିଳ ଅସ୍ତ୍ରୋପଚାର କରିଥିବା କର୍ମଚାରୀ, ଟ୍ୟୁବରସିଲୋସିସ୍, କିଡିନ୍‌ ରୋଗୀ, ସିକଳ୍ସେଲ୍ ରୋଗୀମାନଙ୍କୁ ଏହି ବର୍ଗରେ ରଖାଯାଇଛି। ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟ୍‌ରେ ଗତ ୧୦ ତାରିଖରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଏ ବର୍ଗର କର୍ମଚାରୀ ଆସନ୍ତା ୩୧ ତାରିଖ ସୁଦ୍ଧା ଘରେ ରହି କାମ କରିପାରିବେ। ତେବେ ରାଉରକେଲା ଇସ୍ପାତ କାରଖାନାରେ କିନ୍ତୁ ଏହାର ଓଲଟା ଦେଖିବାକୁ ମିଳୁଛି। ଏଠାରେ ଏ ବର୍ଗର ଲୋକଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଇନଥିବାରୁ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

ଇସ୍ପାତ ସହରରେ ସଂକ୍ରମଣ ସୀମା ଟପିଲାଣି। ପ୍ରତ୍ୟହ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। ଏମିତିକି ଆର୍‌ଏସ୍‌ପିିରେ କାର୍ଯ୍ୟରତ ପ୍ରାୟ ୩୦ ଜଣ କର୍ମଚାରୀ, ଅଧିକାରୀଙ୍କର ପରଲୋକ ଘଟିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଶାରୀରିକ ଅକ୍ଷମ, ଦୁର୍ବଳ କର୍ମଚାରୀଙ୍କୁ ଘରୁ ରହି କାର୍ଯ୍ୟ କରିବାର ସୁଯୋଗ ଦିଆଯିବାର ଆବଶ୍ୟକତା ରହିଛି। ମାତ୍ର ଏଠାରେ ସେଭଳି କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇନଥିବାରୁ ଏ ବର୍ଗର କର୍ମଚାରୀଙ୍କ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସଂକ୍ରମଣ ଆଶଙ୍କା ରହିଥିବା ସତ୍ତ୍ବେ ଅନିଚ୍ଛାସତ୍ତ୍ବେ କାର୍ଯ୍ୟରେ ଯୋଗଦେଉଛନ୍ତି। ଏ ଦିଗରେ କାରଖାନା କର୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର